www.samajalive.in
Monday, December 15, 2025
15.1 C
Bhubaneswar

ମିଳୁନି ରିପୋର୍ଟ, ବଢୁଛି ସଂକ୍ରମଣ

ବ୍ରହ୍ମପୁର : ସହରର ଜଣେ ବ୍ୟକ୍ତି ଓ ତାଙ୍କ ଗର୍ଭବତୀ ପତ୍ନୀ ବୈକୁଣ୍ଠନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ୧୧ ତାରିଖରେ ସ୍ୱାବ ନମୁନା ଦେଇଥିଲେ। ଦୁଇ ଜଣଙ୍କ ଠାରେ କରୋନା ଲକ୍ଷଣ ଥିଲା। ଡାକ୍ତର ପଚରାଉଚରା କରିବା ପରେ ଉଭୟଙ୍କ ଆଣ୍ଟିଜେନ ଟେଷ୍ଟ କରିଥିଲେ। ହେଲେ ଆଜିପର୍ଯ୍ୟନ୍ତ ସେ କରୋନା ପଜିଟିଭ କି ନେଗେଟିଭ ତାହା ଜଣାପଡ଼ିଲା ନାହିଁ। ସେମାନେ ୧୦ ଦିନ ଗୃହ ସଙ୍ଗରୋଧରେ ରହିଲେ। ଏହା ଭିତରେ ୨ ଥର ସ୍ୱାବ ଦେଇଥିବା ସ୍ଥାନକୁ ଗଲେ। ତଥାପି ରିପୋର୍ଟ ମିଳିଲାନାହିଁ। ଫଳରେ ସେ ୯ ମାସର ଗର୍ଭବତୀ ହୋଇ ମଧ୍ୟ ଅନ୍ୟ କେଉଁଠିକୁ ଚିକିତ୍ସା ପାଇଁ ଯାଇପାରୁ ନାହାନ୍ତି। ହନୁମାନବଜାର ସ୍ଥିତ ଏକ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହେଲେ। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫୋନ ଆସିଲା। ଯେହେତୁ ମ୍ୟାନେଜର ଜଣଙ୍କ ନିୟମିତ ବ୍ୟାଙ୍କ ଯାଉଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସୁଥିଲେ, ତେଣୁ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କୁ ସଂଗରୋଧରେ ପଠାଇବାର ଥିଲା। ହେଲେ ଏଥିପାଇଁ ଉପରିସ୍ଥ ଅଧିକାରୀମାନେ ପତ୍ନୀଙ୍କ ପଜିଟିଭ ରିପୋର୍ଟ ମାଗିଲେ। ଆଉ ପଜିଟିଭ ରିପୋର୍ଟ ପାଇଁ ମ୍ୟାନେଜର ଜଣଙ୍କ ବିଏମସି କର୍ତ୍ତୃପକ୍ଷ ସହ ଯୋଗାଯୋଗ ବେଳେ ସେମାନେ ସିଡିଏମଓଙ୍କ କାର୍ଯ୍ୟାଳୟକୁ ପଠାଇଲେ। ଆଉ ସେଠାରେ ପଜିଟିଭ ରିପୋର୍ଟ ଦିଆଯିବନି ବୋଲି ରେକଠୋକ ମନା କରାଗଲା। ସେହିପରି ଆଉ ସହରର ଆଉ ଜଣେ ବ୍ୟକ୍ତି ଆଜକୁ ୪ ଦିନ ହେବ ସ୍ୱାବ ନମୁନା ଦେଇଛନ୍ତି। କିନ୍ତୁ ତାଙ୍କ ରିପୋର୍ଟ ଆସିନି। ଜ୍ୱର, ଥଣ୍ଡା ଲାଗିରହିଛି। ସେ କେଉଁ ଔଷଧ ଖାଇବେ କ’ଣ କରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ଚାହିଁ ବସିଛନ୍ତି। କେବଳ ଏହି ତିନୋଟି ଘଟଣା ନୁହଁ, ସହରରେ ପ୍ରତ୍ୟେକ ଦିନ ଏଭଳି ଅନେକ ଅଭିଯୋଗ ଆସୁଛି। ଜଣେ ବ୍ୟକ୍ତି ପଜିଟିଭ କି ନେଗେଟିଭ ତାହା ଜଣାଇବାକୁ ପ୍ରଶାସନ ୪ ରୁ ୫ ଦିନ ନେଇଯାଉଛି। ଯେଉଁଥି ପାଇଁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲାରେ ଦିନକୁ ଦିନ ସଂକ୍ରମଣର ହାର ବଢିବାରେ ଲାଗିଛି ବୋଲି ଆଲୋଚନା ହେଉଛି। କରୋନା ଲକ୍ଷଣ ଦେଖାଦେବା ପରେ ହିଁ ଜଣେ ସ୍ୱାବ ନମୁନା ଦେବାକୁ ଯାଉଛି। ହେଲେ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ସେ ଏହା ଭିତରେ ଅନେକ ଲୋକଙ୍କ ସହ ସେ ସଂସ୍ପର୍ଶରେ ଆସୁଛି। ଆଉ ଯାହା ସାଙ୍ଗରେ ମିଶୁଛି ତାକୁ ରୋଗ ବାଣ୍ଟୁଛି। ସ୍ୱାବ ଦେଇଥିବା ଯେଉଁ ଲୋକ ପାଖକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫୋନ୍‌ କଲ ଯାଉନି ତାହାର ରିପୋର୍ଟ ନେଗେଟିଭ ବୋଲି ଧରିନେବାକୁ ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ଏହି ବ୍ୟବସ୍ଥା କେତେଦୂର ଠିକ ତାହା ସମୟ କହିବ। କିନ୍ତୁ ଏହି ବ୍ୟବସ୍ଥା ଯୋଗୁ ଜିଲାରେ ସଂକ୍ରମଣ ଯେ ଦ୍ରୁତ ଗତିରେ ବଢିଛି ତାହା ଅସ୍ୱୀକାର କରିହେବନି। ସେହିପରି ଜିଲାରେ ବିଭିନ୍ନ ସ୍ଥାନରେ ଏପରିକି ପ୍ରାୟ ସମସ୍ତ ବ୍ଳକରେ ସ୍ୱାବ ସଂଗ୍ରହ ପାଇଁ ବର୍ତ୍ତମାନ ବ୍ୟବସ୍ଥା ହୋଇସାରିଛି। ଏହି ସ୍ୱାବଗୁଡ଼ିକ ପରୀକ୍ଷଣ ପାଇଁ ଏମକେସିଜି ମେଡିକାଲ ସହ ଆଇଜରରେ ବ୍ୟବସ୍ଥା ହୋଇଛି। ହେଲେ ପଜିଟିଭ କି ନେଗେଟିଭ ଜଣାଯିବାର ବ୍ୟବସ୍ଥା ହୋଇନାହିଁ। ଆଣ୍ଟିଜେନ ଟେଷ୍ଟ କଲେ କିଛି ସମୟ ଭିତରେ ରିପୋର୍ଟ ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଗଞ୍ଜାମରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ରିପୋର୍ଟ ନେଗେଟିଭ କି ପଜିଟିଭ ତାହା ରୋଗୀଙ୍କୁ ତୁରନ୍ତ ଜଣାଇଲେ ସେମାନେ ସତର୍କ ହେବା ସହ ସଂକ୍ରମଣକୁ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories