ବ୍ରହ୍ମପୁର: ସୁରତରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବଡଧରଣର ବାହୁଡା ପର୍ବ ଆରମ୍ଭ ହୋଇଛି ା ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ ହଜାରେରୁ ଅଧିକ ଶ୍ରମିକ ଟ୍ରେନ ଅପେକ୍ଷାରେ ରହିଥିବା ଦୃଶ୍ୟ ଆଖି ଝଲସାଇ ଦେଇଛି। ସୁରତରୁ ଫେରିବାକୁ ଯେତିକି ବ୍ୟାକୁଳ ଥିଲେ ଏବେ ପୁଣି ଯିବାକୁ ତାଠାରୁ ଅଧିକ ବ୍ୟାକୁଳ ଥିବା ଅସମ୍ଭାଳ ଭିଡରୁ ବେଶ ପ୍ରତୀୟମାନ।
କରୋନା କାଳରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣିଥରେ ସୁରତ ଫେରିବା ଆରମ୍ଭ କରି ଦେଇଛନ୍ତି । ଆଜକୁ ଏକମାସ ହେବ ଶ୍ରମିକମାନେ ନିଜ ଖର୍ଚ୍ଚରେ ଅଥବା କମ୍ପାନୀ ସହାୟତାରେ ବସ ଭଡା କରି କର୍ମସ୍ଥଳକୁ ଫେରୁଛନ୍ତି। ଓଡ଼ିଶାରେ ସେମାନଙ୍କ ପାଇଁ କୌଣସି ରୋଜଗାରର ମାଧ୍ୟମ ନଥିବାରୁ ଏବଂ ସେମାନଙ୍କ କୌଶଳ ଅନୁସାରେ ପ୍ରତିଷ୍ଠାନ ନଥିବାରୁ ସେମାନେ ଫେରିବାକୁ ବାଧ୍ୟ ହେଉଛନ୍ତି । ଶ୍ରମିକମାନେ ବସରେ ଗଲା ବେଳେ ନିକଟ ଅତୀତରେ ଏକାଧିକ ଦୁର୍ଘଟଣା ଘଟି କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ସ୍ଥିତିରେ ଶ୍ରମିକଙ୍କ ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନ ଚଳାଚଳ ଅନିବାର୍ଯ୍ୟ ହୋଇ ପଡ଼ିଥିଲା।ଏପଟେ ଶ୍ରମିକ ସ୍ବତନ୍ତ୍ର ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ସେହିକ୍ରମରେ ରେଳ ବିଭାଗ ପକ୍ଷରୁ ଖୋରଧାରୋଡଠାରୁ ଅହମ୍ମଦବାଦ, ଓଖା ଏବଂ ଗାନ୍ଧିଧାମକୁ ୩ ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ୩ଟି ଟ୍ରେନ ମଧ୍ୟରୁ ଆଜି ସନ୍ଧ୍ୟାରେ ପ୍ରଥମ ଟ୍ରେନ ଖୋରଧା ରୋଡ-ଅହମ୍ମଦବାଦ(୦୨୮୪୩) ଓଡ଼ିଶା ଅଭିମୁଖେ ବାହାରିଥିଲା। ଏହି ଟ୍ରେନ ପାଇଁ ୨ ଦିନ ତଳେ ଟିକଟ ବିକ୍ରି କରାଯାଇଥିଲା। ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ୮ଟା୫୦ ମିନିଟରେ ପହଞ୍ଚିଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଲାଗିବାର ପ୍ରାୟ ୫ ଘଣ୍ଟା ପୂର୍ବରୁ ଶ୍ରମିକମାନେ ଷ୍ଟେସନ ସମ୍ମୁଖରେ ରୁଣ୍ଡ ହୋଇଥିଲେ। କିଛି ଶ୍ରମିକ ନିଜ ପିଲାଛୁଆଙ୍କୁ ସାଙ୍ଗରେ ଧରିଥିଲେ । ଷ୍ଟେସନ ସମ୍ମୁଖରେ ଶ୍ରମିକମାନେ ଲମ୍ବା ଧାଡିରେ ବସି ରହିଥିଲେ। ଶହଶହ ସଂଖ୍ୟାରେ ପ୍ରବାସୀଙ୍କୁ ଦେଖି ରେଳ ବିଭାଗ, ଆରପିଏଫ, ଜିଆରପି ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜଣକ ପରେ ଜଣେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ଟିକଟ ଯାଞ୍ଚ ପରେ ଭିତରକୁ ଛଡାଯାଇଥିଲା। ଏହି ପ୍ରକ୍ରିୟା ଘଣ୍ଟା ଘଣ୍ଟା ଧରି ଚାଲିଥିଲା । ବ୍ରହ୍ମପୁର ଷ୍ଟେସନରୁ ସୁରତ ଯିବା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକ ସମେତ ଗଜପତି, କନ୍ଧମାଳ, ପୁରୀ ଓ ବଲାଙ୍ଗିର ଭଳି ଜିଲାରୁ କିଛି ଶ୍ରମିକ ଏଠାରେ ରୁଣ୍ଡ ହୋଇଥିଲେ। ତେବେ ଖୋରଧା ରୋଡରୁ ଏହି ଟ୍ରେନଟି ବାହାରିଥିଲେ ମଧ୍ୟ ୭୦ ପ୍ରତିଶତ ଯାତ୍ରୀ ବ୍ରହ୍ମପୁରରୁ ଚଢିଥିଲେ। ଯେଉଁଥି ପାଇଁ ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ୫ ମିନଟ ରହିବା ବଦଳରେ ୧୫ ମିନଟରୁ ଅଧିକ ସମୟ ରହିଥିଲା। ଆସନ୍ତାକାଲି ଖୋରଧା ରୋଡ-ଓଖା ଟ୍ରେନ ଚଳାଚଳ କରିବ। ଏହା ବ୍ରହ୍ମପୁର ଷ୍ଟେସନରେ ଦିନ ୧୨ଟା ୪୦ରେ ପହଞ୍ଚିବ। ସେହି ଟ୍ରେନରେ ମଧ୍ୟ ବ୍ରହ୍ମପୁର ଷ୍ଟେସନରୁ ୭୦୦ରୁ ଅଧିକ ଶ୍ରମିକ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଏହି ୩ଟି ଟ୍ରେନ ନିୟମିତ ବ୍ୟବଧାନରେ ଗୁଜୁରାଟ ଯିବ ବୋଲି ଷ୍ଟସନ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି।



