ବେଣ୍ଟପଦାର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା 

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଦୀର୍ଘ ୨୫ବର୍ଷରୁ ଅଧିକ ସମୟ ଧରି ଚାଲିଆସିଥିବା କାର୍ତ୍ତିକେଶ୍ୱର ପୂଜା କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିବାବେଳେ ଚଳିତବର୍ଷ ଏହା ବେଶ୍‌ ଯାକଜମକରେ ପାଳିତ ହୋଇଛି। ଗତ ଅଁଳାନବମୀଠାରୁ ୫ଦିନ ବ୍ୟାପୀ ଚାଲିଥିବା ଏହି କାର୍ତ୍ତିକେଶ୍ୱର ପୂଜା ଅବସରରେ ସମଗ୍ର ବେଣ୍ଟପଦା ଗ୍ରାମ ଚଳଚଞ୍ଚଳ ହେବା ସହ ଆଲୋକମାଳା ଓ ଆଲୋକ ତୋରଣରେ ଝଲସୁଛି । ମୋଟ ପ୍ରାୟ ୧୦ଟି ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱର ଓ ଅନ୍ୟ ଦେବାଦେବୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବାବେଳେ ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ସେହିପରି ଯାତ୍ରା ପଡିଆରେ ଗତ ୩ଦିନ ହେବ ମୀନାବଜାର ଖୋଲିବା ସହିତ ଏଥିରେ ପିଲାମାନଙ୍କ ଖେଳିବା ପାଇଁ ରାମଦୋଳି ଓ ଅନ୍ୟାନ୍ୟ ଉପକରଣ ଏବଂ ଭଳିକି ଭଳି ଦୋକାନ ରହିଛି । ବେଣ୍ଟପଦା ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ବେଣ୍ଟପଦା ଗ୍ରାମର ଏ୧ ଜଗନ୍ନାଥ ସାହି କାର୍ତ୍ତିକେଶ୍ୱର ପୂଜା କମିଟି, ଗୋପାଳ ସାହି ପୂଜା କମିଟି, ଲକ୍ଷ୍ମୀସାଗର ପୂଜା କମିଟି, ରାଧାକାନ୍ତ ପାଟଣା ପୂଜା କମିଟି, ଦେଉଳସାହି ପୂଜା କମିଟି, ଜଗନ୍ନାଥ ସାହି ପୂଜା କମିଟି, ବଡସାହି କାଳିକା କାମନା ପୂଜା କମିଟି, ମା ବାଉତୀ ପୂଜା କମିଟି, ରାଧାକାନ୍ତ ପାଟଣା ପୂଜା କମିଟି (ରାମଲୀଳା ମଣ୍ଡପ) ଓ ଗୋପାଳ ସାହି ପୂଜା କମିଟି ପକ୍ଷରୁ ମହା ଆଡମ୍ବର ସହକାରେ ସୁନ୍ଦର ସାଜସଜ୍ଜା ସହିତ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରତିବର୍ଷ ପରି ବେଣ୍ଟପଦାର ଆରାଧ୍ୟ ଶ୍ରୀ ଶ୍ରୀ ବ୍ରଜବିହାରୀ ଦେବଙ୍କ ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ମାନବୀୟ ଲୀଳାଖେଳାର ନିଦର୍ଶନ ରାସଲୀଳା ନୃତ୍ୟ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଆସନ୍ତା ୧୬ତାରିଖରୁ ବିଭିନ୍ନ ପୂଜାମଣ୍ଡପରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

 

Comments are closed.