ଇଂରାଜୀରେ କୁହାଯାଇଛି, ‘‘To err is human.” କଥାଟା ଶତକଡ଼ା ଶହେ ଆଦୌ ଠିକ୍ ନ ହେବା ପରି ଲାଗେ। ‘‘ମଣିଷ ମାତ୍ରେ ଭୁଲ ହେବ’’, ଏପରି ଧାରଣା ମଣିଷଠୁ ଆଶା କଲେ, ପଶୁ, ରାକ୍ଷସ ଏମାନଙ୍କ ପାଇଁ କ’ଣ ଅଛି ବାର୍ତ୍ତା? ଗୁଡ଼େ ତ୍ରୁଟି-ପ୍ରବଣ, ଭ୍ରଷ୍ଟ ମଣିଷପଣିଆର ଗୋଳ ଦଳଙ୍କ ପାଇଁ ୟେ ସିନା ପ୍ରଯୁଜ୍ୟ; ମାତ୍ର ଖଣ୍ଡାଧାରରେ ଚାଲିବାର ଦୃଢ଼ତା ଓ ମାନସିକତା ଥିବା ଗୋଟାଏ ନିଦା ମଣିଷ ପାଇଁ ଏ କଥାଟା ଉଦ୍ଭଟ, ଅବାନ୍ତର। ଏ ଦେଶ ସଂସ୍କାର, ସଂସ୍କୃତିରେ ମଣିଷ ଜନ୍ମକୁ ଦୁର୍ଲଭ, ମହାର୍ହ କୁହାଯାଇଛି। ବହୁ ଜନ୍ମର ସାଧନା ଓ ସିଦ୍ଧି ପରେ ମଣିଷ ଜନ୍ମ ମିଳେ। କବି ସେଇଥିପାଇଁ ଲେଖିଲେ, ‘‘ଦୁର୍ଲଭ ମାନବ ଜନ୍ମ ଯାଏ ଦିନେ ଦିନେ’’। ସତୀ ଆଉ ବିଟପୀର ପ୍ରକୃତି ଓ ପ୍ରବୃତ୍ତି କ’ଣ to errର ହୁଗୁଳା ବିଚାରରେ ଫାଇଦା ନେବା? ପାଶ୍ଚାତ୍ୟ ଓ ତାକୁ ଅନୁସରଣ କରୁଥିବା ଏ ଦେଶର ହତଭାଗ୍ୟ, ଭ୍ରଷ୍ଟଭାଗ୍ୟମାନଙ୍କ ପାଇଁ ଏ କଥା ଲାଗୁ ହୋଇପାରେ। ମାତ୍ର ‘‘ଉପୁଡ଼ି ପଡ଼େ ତୀର-ବିଟପୀ ନୀରେ, ବିଟପୀ-ମନ ଯଥା ଲମ୍ପଟ-ଗିରେ, ମାତ୍ର ଶଇଳ, ଦେଖ, ଉଭା ଅଟଳେ, କାମୀ-ଚାଟୁରେ ସତୀ-ମନ କି ଟଳେ?’’ ଇୟେ ହେଲା ସତୀ ଓ ବିଟପୀର ପ୍ରକୃତି ଓ ପ୍ରବୃତ୍ତିଗତ ଚିତ୍ର, ରୂପ ବା ଚେହେରା।
ଏଥିରେ ‘‘ହଉ ହଉ ହେଇଗଲା’’ର ସ୍ଥାନ ନାଇଁରେ ମାଧିଆ! ତିନିଗାର ସୀତା ଡେଇଁଲେ, ଛଦ୍ମବେଶୀ ବ୍ରାହ୍ମଣର ଭିକ୍ଷା ଓ ତାକୁ ନିରାଶ ନ କରିବାର ଏକ ପ୍ରବଣତାରେ, ସେ ତିନିଗାର ଡେଇଁ ପଡ଼ିଲେ। ତା’ ପରେ ଘୋଷୁଥା ‘‘to err is human”। ଆରେ ବାବୁ ତମେ ଢେର ପଣ୍ଡିତ ଜ୍ଞାନୀ, ସାଧୁ ; ମାତ୍ର ଲେଡ଼ିଗୁଡ଼ କହୁଣିକି ବୋହିଗଲେ କୁ ଦଣ୍ଡବୈଠକୀ କି କୁ ଯୋଗାସନ କହୁଣିରୁ ଗୁଡ଼କୁ ଚାଟି ପାରିବ, ଆମକୁ ଜଣା ନାହିଁ। ଆୟୁର୍ବେଦ ଓଷୁଅ, ସାଲ୍ସା ବିକୁଥିବା ସାଧକ ରାମଦେବ ବାବାଙ୍କୁ ଏଇ କହୁଣି ଚଟା ସାଧନା ବା ସିଦ୍ଧି କୋଉ ଯୋଗାସନରେ କରି ହେବ, କହିଲେ କହି ପାରନ୍ତି, ତେବେ ଇତିହାସ କହିବ ଅଧ୍ୟାତ୍ମବାଦୀ ଜଣେ ଯୋଗୀ, ସନ୍ନ୍ୟାସୀ ଓଷୁଅ ବିକି ଜନତାର ସେବା କରୁଥିବାରୁ ସାଧନା, ସନ୍ନ୍ୟାସର ଗୁଡ଼ ତାଙ୍କର ଲେଡ଼ିକି ବୋହିଲା କି ବୋହୁଛି ତା’ ଇତିହାସ ଓ ଅଧ୍ୟାତ୍ମଶାସ୍ତ୍ର କହିବ। ତେବେ ନବଗୁଞ୍ଜରିଆ ଗୁଡ଼େ ଥାଆନ୍ତି। ବିଭିନ୍ନ ଜୀବ ଯୁଗର ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଥିଲେ ବି ସେ ସେଇ ଜୀବ ନ ହେଲା ପରି, ସେ ଏକ ସ୍ବତନ୍ତ୍ର ‘ନବଗୁଞ୍ଜରିଆ’ ଶ୍ରେଣୀର ହୋଇଥାନ୍ତି। ସେମିତି ଲେଡ଼ିଗୁଡ଼ ଚଟାବାଲା ଏକ ଭିନ୍ନ ଚେହେରାର, ଭାବର ହେଲେ ହୋଇ ପାରନ୍ତି। ତେଣୁ ଏ ଦେଶ ମଣିଷପଣିଆ ଆଦୌ ଅକସ୍ମାତ-ତ୍ରୁଟିକୁ ବି ତମାଦି କରି ନାହିଁ। ‘‘ଉଧାର ମାଣକ’’ ଏଠି ତିନିପା’ କେବେ ବି ନୁହଁ। ବ୍ୟକ୍ତିଗତ ଜୀବନରେ ତ୍ରୁଟି ଜହର ପିଇ କିଏ ନୀଳକଣ୍ଠିଆ ହେଲେ ହେଉ, ମାତ୍ର ଅମୃତ କାହିଁ ପାଇବ? ଯେଉଁ ବ୍ୟବସ୍ଥାରେ ତ୍ରୁଟି ହେଲେ ତାହା ଧ୍ବଂସାତ୍ମକ, ଆତ୍ମଘାତକ ସେପରି ବ୍ୟବସ୍ଥା ବର୍ଜନୀୟ ହିଁ ବର୍ଜନୀୟ। ତମେ ନ କଲେ ନ କର। ଦାସେଙ୍କ ପରି ଫାଣ୍ଡିକି ଧାଆଁ, ଆଉ ଗୋଜ କୋଉଠିକୁ ଆଣିଲେ ଉଣ୍ଡୁନ, ତାଙ୍କୁ ପଚାରୁନ? ସୀତା ତ ଏଇ ସାମାନ୍ୟ ତ୍ରୁଟି ପାଇଁ କି ଦଶା ନ ଭୋଗିଲେ? ସେମିତି ସ୍ବାମୀଙ୍କ ସହ ବନବାସ ଯିବାକୁ ତାଙ୍କ ଜିଦ୍ର କି ଫଳ ଭୋଗିଲେ ଦେଖୁନା? କୁହା ତ ଗଲା, ‘‘ବଡ଼ ବଡ଼ଙ୍କ କଥା ନ ମାନି ସୀତା, ସୀତା ପାଇଲେ ବହୁ ଅନକବସ୍ଥା।’’ ସୂର୍ଯ୍ୟ ପୁତ୍ର ମହାଦାନୀ କର୍ଣ୍ଣ, ଗୁରୁ ପର୍ଶୁରାମଙ୍କଠାରୁ ବିରଳ ଅସ୍ତ୍ରଚାଳନା ଶିକ୍ଷା ପାଇଁ ନିଜକୁ ବ୍ରାହ୍ମଣର ପରିଚୟ ଦେଇଥିଲେ।
ଆଜିକାଲି ଦଣ୍ଡମୁକ୍ତ ବିଦ୍ୟାଳୟର ଦୋଷ ପ୍ରବଣ ଛାତ୍ର ଶିକ୍ଷକମାନଙ୍କ ‘‘କପି-କାରବାର’’ ପାପର ଦଣ୍ଡରୁ ମୁକ୍ତ ହେବା ପରି, କର୍ଣ୍ଣ ଏ ଫାଇଦା ନେଇ ପାରିଲେ ନାହିଁ। ନିଜେ ଅଭିଶାପ ଭୋଗିଲେ ହିଁ ଭୋଗିଲେ। ଛାଡ଼, ଭୁଲ ତ ହୋଇଯାଇଛି, ଲୋକଙ୍କର ଅନ୍ୟ ବହୁତ ଭଲ ଗୁଣ ତ ଅଛି ଏକୁ ମାଫ୍ କରିଦେବାର ଭଲଲୋକ ସେତେବେଳେ ନ ଥିଲେ। କର୍ଣ୍ଣ ଠିକ୍ ବେଳେ ଗୁରୁଦତ୍ତ ବିଦ୍ୟା ଅଭିଶାପ କୋଉ ପାସୋରି ଦେଲେ ଓ ଅର୍ଜୁନଙ୍କ ହାତରେ, ଅସ୍ତ୍ରହୀନ କର୍ଣ୍ଣ ଦାରୁଣ ମୃତ୍ୟୁ ଲଭିଲେ। ଏମିତି କେତେ ପୌରାଣିକ ଓ ଐତିହାସିକ ତ୍ରୁଟି ନଜିର ଭାବେ ରହିଛି। ଆଉ ଯେଉଁ ତ୍ରୁଟି ପାଇଁ ଦଣ୍ଡ ଲାଗୁ ହୋଇନି ସେ ତ୍ରୁଟି ବାରଆଡ଼େ ଚେର ଗଡ଼େଇ, ପିଢ଼ିକି ପିଢ଼ି, ପୁରୁଷରୁ ପୁରୁଷ ଲହୁ ଲୁହାଣ କରୁଥିବ। ଭାରତ-ପାକିସ୍ତାନ ବିଭାଜନ କଥା ଦେଖୁ ନାହାନ୍ତି। ଧର୍ମ ଆଧାରରେ ଭାରତକୁ ବିଭାଜନ କରିବାର ସୈତାନୀ, ଦୁଷ୍ଟବୁଦ୍ଧିର ଫିରିଙ୍ଗିମାନଙ୍କୁ ନେହେରୁ ପଟେଲ ମାନିନେଲେ। ଗାନ୍ଧିଜୀଙ୍କ ବାରଣ ମାନିଲେନି। ସେମାନେ ରାତିପୁହା ସ୍ବାଧୀନତା ପାଇ ଇନ୍ଦ୍ରଭଳି ସିଂହାସନ ଓ କ୍ଷମତା ଭୋଗ କରି ଚାଲିଗଲେ। ଏବେ ଉତ୍ତରପିଢ଼ିମାନେ ଭୋଗୁଛନ୍ତି। ‘‘ଅଖା ଧୋଉଥା’, ଗୁଣ ଗାଉଥା’।’’ କ୍ଷମଣୀୟ ଓ ଅକ୍ଷମଣୀୟ ତ୍ରୁଟିର ନୂତନ ସଂସ୍କରଣ ଗୁଡ଼େ ଠାଉଆ ସୃଷ୍ଟି କରିଛନ୍ତି ଓ ତା’ର ଫାଇଦା ନେଉଛନ୍ତି। ଫଳରେ ଦେଶରେ ଅନ୍ୟାୟ, ଅନାଚାର ଯାଦୁ ଭଳି ମାଡ଼ି ଚାଲିଛି।
ଏବେ ବେପାରପତ୍ର ଭାଇମାନେ ଗୋଟେ ସମ୍ବାଦ ଛାପି ଦେଶବାସୀଙ୍କୁ ତଟସ୍ଥ, ବିସ୍ମିତ ଓ ଉଦ୍ବେଳିତ କରି ଦେଇଛନ୍ତି। ଆମ ଦେଶର ଏକ କ୍ଷେପଣାସ୍ତ୍ର ଏବେ ପାକିସ୍ତାନର ଏକ ଅଞ୍ଚଳରେ ପଡ଼ି ସେଠି ଜନଜୀବନ ହାନି କରାଇ ନ ଥିଲେ ବି ବହୁ ଜନତାଙ୍କ ସମ୍ପତ୍ତି କ୍ଷୟ କରିଛି। ଜୀବନ ବଞ୍ଚିଯାଇଥିବା ଆମ ପାଇଁ ଆଶ୍ବସ୍ତିକର। ସହଜେ ତ କଥା କଥାକେ ପାକିସ୍ତାନ ଭାରତକୁ ଦୋଷ ଦେଇ ଆସୁଛି, ଏ ଘଟଣା ସେମାନଙ୍କୁ ଏକ ସୁଯୋଗ ମାତ୍ର ଦେଇଛି। ଛାଡ଼ନ୍ତୁ ତାଙ୍କ କ୍ରିୟା ପ୍ରତିକ୍ରିୟା କଥା। ଆମ ତ୍ରୁଟି କଥା ବିଚାର ହେଉ। ଭାରତ ସରକାର ଏହା ଏକ ଅନିଚ୍ଛାକୃତ ଆକସ୍ମିକ ତ୍ରୁଟି ବୋଲି ସ୍ବୀକାର କରିସାରିଛନ୍ତି। ମାତ୍ର ପାକିସ୍ତାନ ଏକୁ ଏହାପରେ କେମିତି ନେଉଛି ଜାଣିବା କଥା। ବୈଜ୍ଞାନିକମାନେ ତ ଏ ଦେଶର ବିସ୍ମୟ। ମାତ୍ର ଏଇ ବିସ୍ମୟାଭିଭୂତ ଜ୍ଞାନୀ ବୈଜ୍ଞାନିକମାନଙ୍କ ତ୍ରୁଟି କ’ଣ ସେମିତି ପବନରେ ଉଡ଼ିଯିବ? ଏ କ୍ଷେପଣାସ୍ତ୍ର ଯେବେ ରାଷ୍ଟ୍ରପତିଙ୍କ ଭବନ ଉପରେ ପଡ଼ିଥାଆନ୍ତା? ଅସାବଧାନତା ବି ଏକ ଦଣ୍ଡନୀୟ ତ୍ରୁଟି, କ୍ଷମଣୀୟ ଆଦୌ ନୁହଁ। ତେଣୁ କ୍ଷେପଣାସ୍ତ୍ର ବିଜ୍ଞାନ ଓ କାରିଗରୀ ବୁଝି ନ ଥିବା ଏ କୋଟି କୋଟି ଜନତା ଓ ନେତାଙ୍କୁ ଏ ବିଜ୍ଞାନୀ ବୈଜ୍ଞାନିକମାନେ କାରିଗରୀ ତ୍ରୁଟି କହି ଖାମୁସ୍ କରିଦେଇ ପାରନ୍ତି; ମାତ୍ର ଫଳ ବା ଘଟଣା ତା’ ଆଦୌ ନୁହଁ। ଏଥିରେ ମଧ୍ୟ ଆଖିଦୃଶିଆ ଦଣ୍ଡ ବିଧାନ ସର୍ବାଦୌ ଆବଶ୍ୟକ। ହାତରୁ ଖସିଯାଉଥିବା ଯନ୍ତ୍ରକୁ କୁ ଦଣ୍ଡ ଦେଇ ହେବ। ମୁଠାବଳ ନ ଥିବା ଏଇ ହାତ ହିଁ ଦଣ୍ଡର ଅଧିକାରୀ। ଏ ଦେଶରେ ପ୍ରତିରକ୍ଷା ପାଇଁ ଶହଶହ କୋଟି ଟଙ୍କା ବ୍ୟୟିତ ହେଉଛି। ସେଥିରେ ଯଦି ଏମିତି ହାତଖସା ତ୍ରୁଟି ସମ୍ଭେଇଛି ତାକୁ ବରଂ ତ୍ୟାଗ କରାଯାଉ। ଏଥିରୁ ଜଣାପଡ଼ିବ, ଏ ବୈଜ୍ଞାନିକେ ଏ ଦେଶର ‘‘ଭୋଟପୁଷ୍ଟ’’ ନେତାଙ୍କୁ ବେଙ୍ଗଳା ବୁଲାଇ ପାରୁଛନ୍ତି କି ନାହିଁ। ଜୟ ଜଗନ୍ନାଥ।

