www.samajalive.in
Sunday, December 14, 2025
19.1 C
Bhubaneswar

ମହନ୍ତ ବନାମ ‘ମଫ୍‌ଲର୍‌ ମ୍ୟାନ୍‌’

‘‘ଶୁଣ କେଜରିୱାଲ୍,
ଯେତେବେଳେ ସମଗ୍ର ମାନବ ସମାଜ କରୋନା ପୀଡ଼ାରେ ଛଟପଟ ହେଉଥିଲା, ସେହି ସମୟରେ ଆପଣ ୟୁପିର ଶ୍ରମଜୀବୀମାନଙ୍କୁ ଦିଲ୍ଲୀ ଛାଡ଼ିବାକୁ ବିବଶ କରିଦେଇଥିଲେ। ଛୋଟ ପିଲା ଓ ମହିଳାଙ୍କୁ ଅର୍ଦ୍ଧରାତ୍ରିରେ ୟୁପି ସୀମାରେ ଅସହାୟ ଭାବେ ଛାଡ଼ିଦେବା ଭଳି ଅଗଣତାନ୍ତ୍ରିକ ଓ ଅମାନବୀୟ କାର୍ଯ୍ୟ ଆପଣଙ୍କ ସରକାର କଲା। ଆପଣଙ୍କୁ ମାନବଦ୍ରୋହୀ କହିବା ନା….’’

ଇଏ ଥିଲା ୭ ଫେବୃଆରୀ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟୁଇଟ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଉଦ୍ଦେଶ୍ୟରେ। ଏହାର ଅଧଘଣ୍ଟା ଭିତରେ ହିଁ ଶ୍ରୀ କେଜରିୱାଲ୍‌ ଜବାବ ଦେଲେ:

- Advertisement -

‘‘ଶୁଣ ଯୋଗୀ,
ଆପଣ କିଛି ନ କହିଲେ ହିଁ ଭଲ। ଯେଉଁଭଳି ୟୁପିର ଲୋକଙ୍କ ଶବ ନଦୀରେ ବୋହିଯାଉଥିଲା ଓ ଆପଣ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଟାଇମ୍ ପତ୍ରିକାରେ ନିଜର ମିଥ୍ୟା ପ୍ରଶଂସାର ବିଜ୍ଞାପନ ଦେଇଚାଲିଥିଲେ, ଆପଣଙ୍କ ପରି ନିର୍ଦୟୀ ଓ କ୍ରୂର ଶାସକ ମୁଁ ଦେଖିନାହିଁ।’’

ଦୁଇଟି ରାଜ୍ୟର ସର୍ବୋଚ୍ଚ ଶାସକଙ୍କ ଏପରି ରାଜନୈତିକ ଅଶିଷ୍ଟ ସମ୍ବୋଧନକୁ ଆମେ ସହଜରେ ଗ୍ରହଣ କରିନେଲୁ; କାହିଁକି ନା ଆମେ ଧରିନେଇଚୁ ଯେ ଏହା ସାମ୍ପ୍ରତିକ ରାଜନୀତିର ‘ନିଉ ନର୍ମାଲ୍‌’ ବା ନୂଆ ସ୍ବାଭାବିକତା। କୌଣସି ଦେଶର ରାଜନୈତିକ ଭାଷା ଯେ ସେ ଦେଶର ଲୋକତାନ୍ତ୍ରିକ ଶିଷ୍ଟତା ତଥା ସବଳତାର ପରିଚାୟକ, ତାହା ଆମେ କେବେଠୁ ପାସୋରି ସାରିଛୁ। ତେବେ ଏ ‘ମାନବଦ୍ରୋହୀ’ ଏବଂ ‘କ୍ରୂର’ ଶାସକଦ୍ବୟ ଯେ ଏଇନା ଭାରତୀୟ ରାଜନୈତିକ ଆକାଶର ଦୁଇ ଉଳ ଜ୍ୟୋତିଷ୍କ ଭାବେ ଉଭା ହୋଇଛନ୍ତି, ବିଶେଷତଃ ସଦ୍ୟସମାପ୍ତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ, ତାହା କହିବା ଆଦୌ ଅତିଶୟୋକ୍ତି ନୁହେଁ। ଏପରି କାହିଁକି ହେଲା?

ଅଜୟ ମୋହନ ସିଂହ ବିଷ୍ଟ୍‌ ଓରଫ୍‌ ଯୋଗୀ ଆଦିତ୍ୟନାଥ ଓ ଅରବିନ୍ଦ କେଜରିୱାଲ- ଭାରତୀୟ ରାଜନୀତିର ଏହି ଉଦୀୟମାନ ତାରକାଙ୍କ ଅବସ୍ଥାନ ଏଇନା ବିପରୀତ ମେରୁରେ। ଉଭୟ ନରେନ୍ଦ୍ର ମୋଦୀଙ୍କ ପରି କଠୋର ପରିଶ୍ରମୀ, ରାଜ୍ୟ/ରାଷ୍ଟ୍ର ପାଇଁ ଉତ୍ସର୍ଗିକୃତ ଜାତୀୟତାବାଦୀ, ଦୃଢ଼ମନା ଭାବେ ନିଜର ଏକ ଭାବମୂର୍ତ୍ତି ପ୍ରତିଷ୍ଠା କରିବାରେ ପ୍ରୟାସୀ ଏବଂ ସଫଳ। ଏହି ଗୋଟିଏ ସାମଞ୍ଜସ୍ୟ ବ୍ୟତୀତ ୟାଙ୍କ ଭିତରେ ବୈଚାରିକ ପାର୍ଥକ୍ୟ ଏତେ ଯେ ଉଭୟଙ୍କର ତୁଳନା ମନେହେବ ଅତି ଅସଂଗତ ଓ ଅବାସ୍ତବ; କିନ୍ତୁ ଉଭୟଙ୍କୁ ଗୋଟିଏ ନିକିତିରେ ଓଜନ କରିବା ପାଇଁ ଆମେ ବାଧ୍ୟ, କାହିଁକି ନା ଏଇ ଦୁଇଜଣ ହିଁ ମନେହେଉଚନ୍ତି ଆଗାମୀ ଭାରତବର୍ଷର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ନେତୃତ୍ବ। ଜଣେ ଗୈରିକ ବସନ ପିନ୍ଧା ମଠ ମହନ୍ତରୁ ରାଜନେତା ଓ ଅନ୍ୟଜଣେ ଆଇଆଇଟି ଶିକ୍ଷାପ୍ରାପ୍ତ ଇଂଜିନିୟର୍‌-ସମାଜକର୍ମୀରୁ ‘ମଫ୍‌ଲର୍‌ ମ୍ୟାନ୍‌’ ରାଜନେତା। ଉଭୟଙ୍କର ରାଜନୀତି ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ବାଭାବିକ ଭାବେ ଖୁବ୍‌ କମ୍‌ ରହିବା କଥା। ଶ୍ରୀ କେଜରିୱାଲଙ୍କ କ୍ଷେତ୍ରରେ ଅନେକ ଦିନ ଧରି ରାଜନୀତି ଦୂରରେ ରହିଥିଲା ଏବଂ ସେ ରାଜନୀତିକୁ ଆସିବା ପରେ ଏପରି କାର୍ଯ୍ୟ କରିଆସୁଥିଲେ, ଯାହାକୁ ଅରାଜନୈତିକ, ଏପରିକି ରାଜନୀତିବିରୋଧୀ ବୋଲି ମଧ୍ୟ କୁହାଯାଇପାରିବ। ମୂଳତଃ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ତାଙ୍କ ରାଜନୀତିର ଜନ୍ମ। ୨୦୧୨ ମସିହାରେ ଭାରତୀୟ ରାଜନୀତିରେ ଦୁଇଟି ବିପରୀତ ରାଜନୈତିକ ଅବଧାରଣାର ଅଭ୍ୟୁଦୟ ଘଟିଥିଲା ନରେନ୍ଦ୍ର ମୋଦୀ ଓ ଅରବିନ୍ଦ କେଜରିୱାଲଙ୍କ ରୂପରେ। ଶ୍ରୀ ମୋଦୀ ଗୁଜରାଟରେ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରିତ୍ବ ହାସଲ କରିବା ପରେ ୨୦୧୪ରେ ବିଜେପିର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ମନୋନୀତ ହେବା ଭାରତୀୟ ରାଜନୈତିକ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ଥିଲା। ତାଙ୍କ ସ୍ଥାନରେ ଯଦି ଆଉ କେହି ମନୋନୀତ ହୋଇଥା’ନ୍ତା, ଭାରତର ନିକଟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିଶ୍ଚୟ ଭିନ୍ନ ହୋଇଥାନ୍ତା। ଭାରତ ପ୍ରଥମ ଥର ପାଇଁ ଦେଖିଲା ଏପରି ଜଣେ ପ୍ରଚଣ୍ଡ ରାଜନୈତିକ ବ୍ୟକ୍ତିତ୍ବକୁ, ଯିଏ ଜାତୀୟ ରାଜନୀତିରୁ ଦୂରରେ ରହିଥିବା ସତ୍ତ୍ବେ ପ୍ରଥମ ଥର ପାଇଁ ବଂଶବାଦ ରାଜନୀତିରୁ ନ ଆସି ଜନମନରେ ନିଜକୁ ସର୍ବଶକ୍ତିମାନ ବୋଲି ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ୨୦୧୭ ହେଉ କି ୨୦୨୨, ଉତ୍ତରପ୍ରଦେଶ ନିର୍ବାଚନରେ ମୋଦୀ ଯେ ଏକ ଅପ୍ରତିହତ ଶକ୍ତି, ତାହା ଯେ କେହି ସ୍ବୀକାର କରିବାକୁ ବାଧ୍ୟ। ତେବେ ଏ ସଫଳତାରେ ଯୋଗୀ ଆଦିତ୍ୟନାଥଙ୍କ ଭାଗ କେତେ, ତାହା ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ।

ଯୋଗୀଙ୍କ ଜନ୍ମ ହୋଇଥିଲା ଏକ ସାଧାରଣ ଠାକୁର ପରିବାରରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ମସାଲଗାଓଁ ନାମକ ଗାଁରେ। ୧୯୯୨ରେ ସେ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ହେବା ସହ ଛାତ୍ରସଂସଦର ସଚିବ ପଦ ପାଇଁ ନିର୍ବାଚନ ଲଢ଼ିବା ଥିଲା ତାଙ୍କ ରାଜନୈତିକ ଜୀବନର ଅୟମାରମ୍ଭ; କିନ୍ତୁ ସେ ସେଥିରେ ଶୋଚନୀୟ ପରାଜୟ ବରଣ କଲେ। ସେ ପର୍ଯ୍ୟନ୍ତ ସେ ଥିଲେ ଅଜୟ ବିଷ୍ଟ୍‌। ଏ ଘଟନାର ଅଳ୍ପଦିନ ପରେ ହିଁ ନାଟକୀୟ ଭାବେ ତାଙ୍କ ଜୀବନର ପଟଭୂମି ସମ୍ପୂର୍ଣ୍ଣ ବଦଳିଗଲା, ଯେତେବେଳେ ସେ ଗୋରଖପୁର ଗଲେ ଏବଂ ମହନ୍ତ ଅବୈଦ୍ୟନାଥଙ୍କ ଆଶିଷ ଲାଭକଲେ। ସେ ବିଖ୍ୟାତ ଗୋରଖନାଥ ମଠର ନାଥ ସମ୍ପ୍ରଦାୟର ଏହି ମହନ୍ତଙ୍କ ଶିଷ୍ୟତ୍ବ ଗ୍ରହଣ କଲେ, ଯିଏ କେବଳ ହିନ୍ଦୁ ରାଷ୍ଟ୍ରବାଦର ଜଣେ ସମର୍ଥକ ନଥିଲେ, ବରଂ ୧୯୮୯ ପର୍ଯ୍ୟନ୍ତ ହିନ୍ଦୁ ମହାସଭା ଟିକଟରେ ନିର୍ବାଚନ ଲଢ଼ିଆସିଥିଲେ ଏବଂ ରାମ ଜନ୍ମଭୂମି ଆନ୍ଦୋଳନର ଥିଲେ ଅନ୍ୟତମ ପ୍ରମୁଖ ଉଦ୍ୟୋକ୍ତା। ୧୯୯୧ ବେଳକୁ ଅବୈଦ୍ୟନାଥ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍‌ ହୋଇସାରିଥିଲେ ଏବଂ ସେହିବର୍ଷ ତଥା ୧୯୯୬ରେ ସେ ବିଜେପି ଟିକଟରେ ଗୋରଖପୁରରୁ ସାଂସଦ ନିର୍ବାଚିତ ହେଲେ। ଅବୈଦ୍ୟନାଥ ଯାହାଙ୍କୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ, ସେ ହେଲେ ଯୋଗୀ ଆଦିତ୍ୟନାଥ। ଫଳସ୍ବରୂପ, ରାଜନୀତିରୁ ଗୁରୁ ସନ୍ନ୍ୟାସ ନେବାପରେ ୧୯୯୮ରେ ଶିଷ୍ୟ ଆଦିତ୍ୟନାଥ ଲୋକସଭାର କନିଷ୍ଠତମ ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କଲେ। ବ୍ରିଟିଶ ଶାସନକାଳରୁ ଦକ୍ଷିଣପନ୍ଥୀ ରାଜନୀତିରେ କେନ୍ଦ୍ରୀୟ ଭୂମିକା ତୁଲାଇ ଆସୁଥିବା ଗୋରଖନାଥ ପୀଠର ଅଧୀଶ୍ବର ହେବାପରେ ତାଙ୍କ ଧାର୍ମିକ/ରାଜନୈତିକ ପ୍ରଭାମଣ୍ଡଳ ବୃଦ୍ଧି ପାଇଲା। ୨୦୦୪ ସାଧାରଣ ନିର୍ବାଚନରେ ଦେଶର ଅଧିକାଂଶ ସ୍ଥାନରେ ବିଜେପି ପରାଜିତ ହେବା ସତ୍ତ୍ବେ ଗୋରଖପୁର ଆସନରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିଣିଲେ ଆଦିତ୍ୟନାଥ। ଏହା ପଛରେ ଥିଲା ତାଙ୍କଦ୍ବାରା ଗଠିତ ହିନ୍ଦୁ ଯୁବାବାହିନୀର ବିଶେଷ ଅବଦାନ, ଯାହାର ଅପଖ୍ୟାତି ସର୍ବଜନବିଦିତ। କୁହାଯାଏ ଯେ ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ଘଟନା ପରେ ଗୁଜରାଟରେ ଭାରତୀୟ ଇତିହାସର ଯେଉଁ ବର୍ବରତମ ନରସଂହାର ଘଟିଥିଲା, ଆଦିତ୍ୟନାଥ ତା’ପରେ ହିଁ ଏପରି ଏକ ବାହିନୀ ଗଠନର ପରିକଳ୍ପନା କରିଥିଲେ। କ୍ରମଶଃ ସେ ପାଲଟିଗଲେ ହିନ୍ଦୁତ୍ବ ରାଜନୀତିର ‘ପୋଷ୍ଟର୍‌ ବୟ’। ୨୦୧୭ ବିଧାନସଭା ନିର୍ବାଚନରେ ବହୁମତ ହାସଲ ପରେ ବିଜେପି ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକପ୍ରକାର ବାଧ୍ୟ ହେଲା। ପଦ ସମ୍ଭାଳିବାର ମାସକ ପରେ ପ୍ରଥମ ଟିଭି ସାକ୍ଷାତକାରରେ ସେ କହିଲେ, ‘‘ହିନ୍ଦୁରାଷ୍ଟ୍ରର ବିଚାରରେ କିଛି ବି ତ୍ରୁଟି ନାହିଁ।’’ ଆଦିତ୍ୟନାଥ ଜଣେ ବୈରାଗୀ ରାଜନୀତିଜ୍ଞ ଭାବେ ନିଜର ଭାବମୂର୍ତ୍ତିକୁ ଯେପରି ଗଢ଼ିଆସିଛନ୍ତି, ତା’ ତୁଳନାରେ ମୋଦୀଙ୍କ ତଦ୍ରୂପ ଭାବମୂର୍ତ୍ତି ବେଳେବେଳେ ନିଷ୍ପ୍ରଭ ମନେହୁଏ; ଏହାର କାରଣ ଆଦିତ୍ୟନାଥ ଜଣେ ଦୀକ୍ଷିତ ଯୋଗୀ ଏବଂ ତାଙ୍କ ପାଇଁ ଗୈରିକ ବସନ ଅନ୍ୟ ବିଜେପି ନେତାଙ୍କ ପରି କେବଳ ରାଜନୈତିକ ରଂଗିନ କପଡ଼ା ନୁହେଁ, ବରଂ ତାଙ୍କ ଅସ୍ମିତାର ଏକ ଅଭିନ୍ନ ଅଙ୍ଗ। ହୁଏତ ଏହା ହିଁ ତାଙ୍କୁ ଅନ୍ୟ ସମସ୍ତଙ୍କଠାରୁ କରିପାରିଚି ଅନନ୍ୟ/ଆକର୍ଷଣୀୟ। ଯୋଗୀଙ୍କ ଜୀବନୀ ଦି ମଙ୍କ୍‌ ହୁ ଟ୍ରାନ୍ସଫର୍ମଡ ଉତ୍ତରପ୍ରଦେଶ ରେ ଶାନ୍ତନୁ ଗୁପ୍ତା ଲେଖନ୍ତି, ‘‘ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ଲାଳିତପାଳିତ ଅଜୟ ସିଂହ ବିଷ୍ଟ୍‌ ନାମକ ଯୁବକ ଗାଈ, ଖେତ, ପାହାଡ଼, ନଦୀ ଆଦି ଭିତରେ ବିକାଶଲାଭ କଲେ ଏବଂ ପ୍ରଥମେ ମହନ୍ତ, ତା’ ପରେ ସାଂସଦ ଓ ପୁଣି ମୁଖ୍ୟମନ୍ତ୍ରୀ ହେଲେ।’’ ୨୦୨୨ ବିଧାନସଭା ନିର୍ବାଚନରେ ତାଙ୍କର ଅପ୍ରତ୍ୟାଶିତ ଓ ଅଭୂତପୂର୍ବ ବିଶାଳ ବିଜୟ ତାଙ୍କୁ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପିର ୨ନଂ ନେତାର ଆସନରେ ବସିବା ପାଇଁ ‘ଉପଯୋଗୀ’ (ନିର୍ବାଚନ ପ୍ରଚାରବେଳେ ମୋଦୀ ତାଙ୍କୁ ‘ୟୁପି+ଯୋଗୀ=ଉପଯୋଗୀ’ କହିଥିଲେ) କରାଇଛି ବୋଲି କୁହାଯାଉଚି, ଯାହା ଅଯଥାର୍ଥ ମନେହେଉ ନାହିଁ।

କେଜରିୱାଲଙ୍କୁ କିନ୍ତୁ ଯୋଗୀଙ୍କ ପରି କର୍ତ୍ତବ୍ୟବୋଧ ବା ରାଜନୀତି, କୌଣସିଟି ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇନଥିଲା। ତାଙ୍କ ରାଜନୀତି ଯଥାର୍ଥରେ ଆରମ୍ଭ ହୋଇଥିଲା ଶୂନ୍ୟରୁ, ଅଣରାଜନୈତିକ କାର୍ଯ୍ୟକ୍ରମରୁ, ଅନଶନରୁ। ସେ ରାଜନୈତିକ ଦଳ ଗଢ଼ିବା ପରେ ବହୁ ଲୋକଙ୍କ ଭ୍ରୁକୁଟି ଓ ନାସିକା କୁଞ୍ଚନ ରୋଗ ଦେଖାଦେଇଥିଲା। ତାଙ୍କର ରାଜନୈତିକ ଆଦର୍ଶକୁ ନେଇ ପରମ୍ପରାବାଦୀମାନେ ପ୍ରଶ୍ନ କରିବାକୁ ଭୁଲିଲେ ନାହିଁ। ସେମାନେ ଭାବୁଥିଲେ ଯେ ଜଣେ ସାମାଜିକ କର୍ମୀକୁ ରାଜନୀତି ଆଦୌ ଆସେନି ଓ ସେ ଅଳ୍ପଦିନରେ ଧୂଳିସାତ୍‌ ହୋଇଯିବ; କିନ୍ତୁ କେଜରିୱାଲ ରାଜନୀତିର ପିଚ୍ଛିଳ ପଥରେ ପ୍ରାରମ୍ଭିକ ପତନ ପରେ ଖୁବ୍‌ଶୀଘ୍ର ଚାଲିବା ଶିଖିଗଲେ; ତେବେ ଆପଣାର ମୂଳ ଅଣପାରମ୍ପରିକ ରାଜନୀତିକୁ ଛାଡ଼ିଲେ ନାହିଁ। ଏହା ହିଁ ପାଲଟିଗଲା ତାଙ୍କର ସବୁଠୁ ବଡ଼ ବିଜୟ-ମନ୍ତ୍ର। ଏବେ ଆଉ ଭାରତୀୟମାନଙ୍କୁ ତାଙ୍କ ‘ଆକ୍ଟିଭିଜମ୍‌’ ରାଜନୀତି ଅସୁନ୍ଦର କି ଅବିଶ୍ବାସ୍ୟ ମନେହେଉ ନାହିଁ, ବରଂ ସେମାନଙ୍କୁ ଲାଗୁଚି ଯେ ଏହା ହିଁ ସାଂପ୍ରଦାୟିକ/ଜାତିବାଦୀ/ବଂଶବାଦୀ ରାଜନୀତିକୁ ହଟାଇବାର ବାସ୍ତବ ବିକଳ୍ପ। କେବଳ ଶିକ୍ଷା, ସ୍ବାସ୍ଥ୍ୟ ପରି ସାଧାରଣତଃ ଅଣରାଜନୈତିକ ପ୍ରସଙ୍ଗଗୁଡ଼ିକୁ ରାଜନୈତିକ ପ୍ରସଙ୍ଗ କରି ଲୋକଙ୍କୁ ମାଗଣାରେ ସର୍ବୋତ୍ତମ ସେବା ଉପଲବ୍ଧ କରାଇବା ନୁହେଁ; ଆର୍‌ଏସ୍‌ଏସ୍‌ର ହିନ୍ଦୁ ଜାତୀୟତାବାଦକୁ ଆଡ଼େଇ ଦେଇ ଏକ ନବ୍ୟ ଜାତୀୟତାବାଦର ଉଦ୍ଭାବନ କରି କେଜରିୱାଲ କେବଳ ବିଜେପି ନୁହେଁ କଂଗ୍ରେସର ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟିଚନ୍ତି। ଏଥିପାଇଁ ତାଙ୍କୁ ନେହେରୁଙ୍କୁ ଚବିଶ ଘଣ୍ଟା ଗାଳି ଦେବାକୁ ପଡ଼ିନାହିଁ କି ଗାନ୍ଧୀଙ୍କୁ ଖଳନାୟକ ଓ ଗଡ୍‌ସେଙ୍କୁ ନାୟକ ଭାବେ ଉପସ୍ଥାପନ କରିବା ଆବଶ୍ୟକ ହୋଇନାହିଁ; କେବଳ ସର୍ଦ୍ଦାର ଭଗତ ସିଂହ ଓ ବାବାସାହେବ ଆମ୍ବେଦକରଙ୍କୁ ପ୍ରତୀକ ଭାବେ ଥୋଇ ଗାନ୍ଧୀ, ନେହେରୁ ଓ ସାଭରକରଙ୍କଠୁ ଦୂରତା ବଜାୟ ରଖିବାରେ କେଜରିୱାଲ୍‌ ସମର୍ଥ ହୋଇଚନ୍ତି, ଯେଉଁ ଦୁଇଜଣ ସମ୍ଭବତଃ ଭାରତୀୟ ରାଜନୀତିରେ ଚର୍ଚ୍ଚିତ ହେଲେ ମଧ୍ୟ ସବୁଠୁ କମ୍‌ ଧ୍ରୁବୀକରଣୀୟ ବ୍ୟକ୍ତିତ୍ବ। ମନେହୁଏ, କେବଳ ଜାତୀୟତାବାଦ ନୁହେଁ ବରଂ ଭାରତୀୟ ସାଧାରଣତନ୍ତ୍ରର ଧର୍ମନିରପେକ୍ଷତା ଓ ସମାଜବାଦକୁ ମଧ୍ୟ ସେ ଯେପରି ପୁନଃ ପରିଭାଷିତ କରିବାକୁ ଉଦ୍ୟମରତ। ଏ ନବ୍ୟ ଜାତୀୟତାବାଦ, ନବ୍ୟ ଧର୍ମନିରପେକ୍ଷତା ଏବଂ ନବ୍ୟ ସମାଜବାଦର ସ୍ବରୂପ ଅବଶ୍ୟ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ। ଆଗାମୀ ଦିନରେ ହୁଏତ ଏହାର ପ୍ରକୃତ ସ୍ବରୂପ ଉନ୍ମୋଚିତ ହେବ। କେଜରିୱାଲଙ୍କ ରାଜନୀତି ଅସାଧାରଣ ଓ ‘ସ୍ମାର୍ଟ’ ହେଲେ ବି ସୁବିଧାବାଦୀ; କିନ୍ତୁ ସୁବିଧାବାଦ ତ ଭୋଟ ରାଜନୀତିର ଏକ ସ୍ବଭାବଗତ ପ୍ରକୃତି; ତେଣୁ କେବଳ ତାଙ୍କୁ ଦୋଷ ଦେବା ଅସମୀଚୀନ। ଦିଲ୍ଲୀ ପରେ ପଞ୍ଜାବରେ ଅସାଧାରଣ ସଫଳତା କେଜରିୱାଲଙ୍କୁ ଅନ୍ୟ ରାଜ୍ୟ, ବିଶେଷତଃ ୨୦୨୨ ଶେଷ ଆଡ଼କୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରେରିତ କରିବ ନିଶ୍ଚୟ ଏବଂ ସେଠାରେ ମୁସଲମାନ ସମ୍ପ୍ରଦାୟର ଭୋଟ ତାଙ୍କୁ ମିଳିବା ସାଧ୍ୟାତୀତ ନୁହେଁ।

ବୟସ ଦୃଷ୍ଟିରୁ ଯୋଗୀ (୪୯), କେଜରିୱାଲ (୫୩) ଓ ରାହୁଲ ଗାନ୍ଧୀ (୫୧) ସମପର୍ଯ୍ୟାୟର; କିନ୍ତୁ ପ୍ରଥମ ଦୁଇଜଣଙ୍କ ପ୍ରଭାମଣ୍ଡଳ ଇତିମଧ୍ୟରେ ଅଧିକ ବିସ୍ତୃତ ଓ ଉଳ ହୋଇସାରିଚି, ଯାହାକୁ ଚାହିଁଲେ ମଧ୍ୟ ରାହୁଲ ନିଷ୍ପ୍ରଭ କରିବାରେ ସମର୍ଥ ହେବାଭଳି ଲାଗୁନାହିଁ। ପ୍ରକୃତରେ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ବିକଳ୍ପ ରାଜନୀତି ମଧ୍ୟରେ ଭାରତ ପାଇଁ ଏବେ ଆଉ ରାହୁଲ ଓ ପ୍ରିୟଙ୍କାଙ୍କ ଭବିଷ୍ୟତ ବା କଂଗ୍ରେସର ପୁନରୁତ୍‌ଥାନ ପ୍ରଶ୍ନ ମହତ୍ତ୍ବପୂର୍ଣ୍ଣ ହୋଇ ରହିନାହିଁ, ବରଂ ଆଗାମୀ ଦିନରେ ଜାତୀୟ ସ୍ତରରେ ବିଜେପି ବନାମ ଆପ୍‌ ହେବାର ସମ୍ଭାବନା ସର୍ବାଧିକ। ୨୦୨୨ ନିର୍ବାଚନ ଫଳ ତେଣୁ ୨୦୨୪ ନୁହେଁ, ବରଂ ୨୦୨୯ ଲଢ଼େଇର ପୂର୍ବାଭାସ, ଦେଇଚି ଯାହାର ଦୁଇ ନାୟକ ହୋଇପାରନ୍ତି ଯୋଗୀ ଓ କେଜରିୱାଲ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories