www.samajalive.in
Sunday, December 14, 2025
15.1 C
Bhubaneswar

ଫୁଲର ବଦଳୁଥିବା ରଙ୍ଗ

ଜଳବାୟୁ ପରିବର୍ତ୍ତନ କେବଳ ପ୍ରାକୃତିକ ଦୁର୍ବିପାକ ବୃଦ୍ଧି କରିନାହିଁ ବରଂ ଋତୁଚକ୍ରକୁ ପ୍ରଭାବିତ କରିବା ସହ ଉଦ୍ଭିଦ ଜଗତର ଛନ୍ଦ , ତାଳ, ଲୟ ସବୁ ଅବ୍ୟବସ୍ଥିତ କରିସାରିଛି। ବିଶେଷଜ୍ଞମାନଙ୍କ ମତ : ପ୍ରକୃତିର ମିଜାଜ ବଦଳିଛି ଏବଂ ଆମ ଅଲକ୍ଷରେ ଏକ ନୂଆ ପର୍ଯ୍ୟାବରଣ ସଂସ୍କରଣ ଆତ୍ମପ୍ରକାଶ କରିଛି ଓ ସଦ୍ୟ ପ୍ରକାଶିତ ମିଳିତ ଜାତିସଂଘ ପରିବେଶ ପ୍ରୋଗ୍ରାମ (UNEP) ରିପୋର୍ଟ ‘ଫ୍ରଣ୍ଟିଅର୍ସ ୨୦୨୨’ ତିନିଟି ପ୍ରସଙ୍ଗକୁ ଭିତ୍ତି କରିଛି। (୧) ସହରାଞ୍ଚଳରେ ଶବ୍ଦ ପ୍ରଦୂଷଣ ( ୨) କ୍ରମଶଃ ବଢୁଥିବା ଜଙ୍ଗଲ ନିଆଁ (ଦାବାଗ୍ନି) (୩) ଋତୁକାଳୀନ ଘଟନାକ୍ରମର ପରିବର୍ତ୍ତନ, ଯଥା ଫୁଲ ଫୁଟିବା, ଫଳ ଧରିବାରେ ପ୍ରାକୃତିକ ବିଚ୍ୟୁତି ଏବଂ ସେଇ ଧାରାରେ ଜୀବଜନ୍ତୁଙ୍କ ବ୍ୟବହାରରେ ପରିବର୍ତ୍ତନ। ଜୈବିକ ଜୀବନ ପ୍ରବାହରେ ‘ଫେନୋଲୋଜି’ ହେଉଛି ପ୍ରକୃତିରେ ନିୟମିତ ଘଟି ଆସୁଥିବା ଘଟନାକ୍ରମର ରେକର୍ଡ ପ୍ରସ୍ତୁତି ଓ ଅଧ୍ୟୟନ। ଏହା କୌଣସି ଋତୁରେ /ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଫୁଲ ଫୁଟିବା, ଫଳ ଆସିବା ହୋଇପାରେ କିମ୍ବା ପ୍ରବାସୀ ପକ୍ଷୀଙ୍କ ଆଗମନ ସମ୍ପର୍କିତ ଅଭିଲେଖ ବି ହୋଇପାରେ। ତେବେ ଏହା ସହିତ ଜଡିତ ପାଣିପାଗ। ବୃହତ୍ତର ଅର୍ଥରେ ଜଳବାୟୁ ଯାହା ପ୍ରଭାବରୁ ନିର୍ଦ୍ଦିଷ୍ଟ ସମୟରେ ଫୁଲ ଫୁଟେ, ଗଛ ପତ୍ରଝଡ଼ା ଦିଏ, ପତ୍ରର ରଙ୍ଗ ବଦଳେ ଓ ବଗିଚାରେ ପ୍ରଜାପତିଙ୍କ ମେଳଣ ହୁଏ। ନା, କେବଳ ବସନ୍ତ ସହିତ ନୁହେଁ, ପ୍ରତ୍ୟେକ ଋତୁ ସହିତ ଜୀବ ଜଗତର ଅନୁପମ ସମ୍ପର୍କ ରହି ଆସିଛି ଯାହା ରଙ୍ଗ, ରୂପ,ସ୍ୱାଦ ଓ ମହକର ସମ୍ପର୍କଠୁ କାହିଁ କେତେ ଅଧିକ ସମ୍ପ୍ରସାରିତ, ଅଧିକ ବିସ୍ତୃତ। ଋତୁ ସହିତ ଓତପ୍ରୋତ ଭାବରେ ଜଡିତ ଆମ ଜୀବନର ଦସ୍ତାବିଜ ହୁଏ ତେଣୁ କେବଳ ଆମ ସାମାଜିକ-ସାଂସ୍କୃତିକ ରେକର୍ଡ ନୁହେଁ, ଆମ ଭୂତାତ୍ତ୍ୱିକ ଇତିହାସର ଅଂଶବିଶେଷ ବି। (UNEP) ରିପୋର୍ଟ ଦର୍ଶାଇଛି, ଖାସ ମନୁଷ୍ୟକୃତ କାରଣରୁ ପ୍ରକୃତିର ମିଜାଜ ବଦଳିଛି ଏବଂ ଆଗକୁ ଏହା ଅଧିକ ଅବ୍ୟବସ୍ଥିତ ହେବ ବୋଲି ଆଶଙ୍କା।

ତାପମାତ୍ରା ବୃଦ୍ଧି କାରଣରୁ ସର୍ବାଧିକ କ୍ଷତି ପହଞ୍ଚିଛି ଜଳବାୟୁରେ। ଋତୁର ସ୍ୱାଭାବିକ ଆଗମନ, ସୂର୍ଯ୍ୟ କିରଣର ପ୍ରଖରତା, ଆର୍ଦ୍ରତା ଓ ଦିନରାତି (ସମୟର ଦୈର୍ଘ୍ୟ) ସହିତ ସମ୍ପୃକ୍ତ ଉଦ୍ଭିଦ ଜଗତର ବ୍ୟବହାର। ଜଳବାୟୁ ପରିବର୍ତ୍ତନର ତୀବ୍ରତା ମାତ୍ର କେଇ ବର୍ଷ ଭିତରେ ଅନେକ କିଛି ବଦଳେଇ ଦେଇଛି। ଯାହା ହୁଏତ ୪.୫ ବିଲିଅନ ବର୍ଷ ବୟସ୍କ ଗ୍ରହର ଦୀର୍ଘ ଭୂତାତ୍ତ୍ୱିକ କାଳରେ ଘଟିନଥିଲା ବା ଯାହା ଅତି ବେଶୀରେ ବ୍ୟତିକ୍ରମ ହୋଇ ଆସୁଥିଲା ଏବେ ତାହା ନିୟମିତ ପ୍ରକ୍ରିୟା। ଜୀବନର ଏଣେ ଅଲିଖିତ ନିୟମ: ସବୁ ସଜୀବ ଉପସ୍ଥିତ ବାସ୍ତବିକତା ସହିତ ନିଜକୁ ଖାପ ଖୁଆଇବା ପାଇଁ ଚେଷ୍ଟା କରିବେ। ପ୍ରାକୃତିକ ଚୟନର ତାହା ହିଁ ନିର୍ଯ୍ୟାସ। ତେବେ ପ୍ରକୃତିରେ ପ୍ରେକ୍ଷାପଟ ପରିବର୍ତ୍ତନ ମଧ୍ୟ ନିୟମ ଅଛି ଯାହା ନାଟକୀୟ ଭାବରେ ତୀବ୍ର ନୁହେଁ। ନିଜ ଛନ୍ଦରେ ମଗ୍ନ -ମନ୍ଦ ଓ ମଧୁର। ଆଉ ଗବେଷକଙ୍କ ମତ,ମାତ୍ର ୨୫୦/୩୦୦ ବର୍ଷ ଭିତରେ ଆମେ ପ୍ରକୃତିର ସୂକ୍ଷ୍ମ ଭାରସାମ୍ୟ ବଦଳେଇ ଦେଇଛୁ। ତେଣୁ ଯଥେଷ୍ଟ ଧ୍ବଂସମୁଖୀ ସାବ୍ୟସ୍ତ ହୋଇଛି ଜଳବାୟୁ ପରିବର୍ତ୍ତନ। କମ ସମୟ ଭିତରେ ବଦଳି ଯାଇଛି ଫୁଲର ରଙ୍ଗ, ଫଳର ସ୍ୱାଦ ; ପରାଗସଙ୍ଗମ, ପରାଗକମାନଙ୍କ ବ୍ୟବହାର ଓ ପ୍ରବାସୀପକ୍ଷୀଙ୍କ କାକଳି। ଏବେ ସାମାନ୍ୟ ବିସ୍ତାରରେ ଯିବା ଆଲୋଚନାକୁ। ପ୍ରାକୃତିକଚକ୍ରରେ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବ୍ୟବହାର ସହିତ ସମୟାନୁବର୍ତ୍ତୀ ପାଣିପାଗର(ଋତୁ) ରହିଛି ଗୁରୁତ୍ତ୍ୱପୂର୍ଣ ସମ୍ପର୍କ। ହଁ , ଆମ ପରି ଏଇ ସତ୍ତା ମାନେ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ସହିତ ଅବଶ୍ୟ ଅଭ୍ୟସ୍ତ ତ ନୁହନ୍ତି; କିନ୍ତୁ ପ୍ରକୃତିର ସ୍ପନ୍ଦନ ସହିତ ସେମାନଙ୍କର ଜୈବିକ ତଥା ବ୍ୟାବହାରିକ ସମ୍ପର୍କ ରହିଛି। ପକ୍ଷୀର ଶାବକ ସେତିକିବେଳେ ଜନ୍ମ ନେବ ଯେତେବେଳେ ଆଖପାଖରେ ପ୍ରଚୁର ଆହାର ମିଳୁଥିବ। ପରାଗସଙ୍ଗମ ପାଇଁ ଅନୁକୂଳ ପାଣିପାଗର ଆବଶ୍ୟକତା ରହିଛି। ଅଦିନରେ ନୁହେଁ, ଆମ୍ବ ଗଛରେ ବଉଳ ଲଦି ହୋଇପଡିବ ସେତିକିବେଳେ ଯେତେବେଳେ ବାତାବରଣରେ ବସନ୍ତର ଆଗମନ ବାରି ହୋଇ ପଡୁଥିବ। ପ୍ରକୃତିର ଏଇ ପ୍ରାଚୀନ ନିୟମ ଏବେ ନୂଆ ସଂସ୍କରଣ ଆପଣେଇବା ଆରମ୍ଭ କରିଛି – ଆମ ସୌଜନ୍ୟରୁ। ଉଷ୍ମ ମଣ୍ଡଳୀୟ ଅଞ୍ଚଳମାନଙ୍କରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ପ୍ରଜାତି ଏବଂ ଏସବୁଠି ଅସ୍ୱାଭାବିକ ପାଣିପାଗ ଘଟଣା (ପ୍ରାକୃତିକ ଦୁର୍ବିପାକ) ମଧ୍ୟ ବଢି ଚାଲିଛି। ପଶୁପକ୍ଷୀଙ୍କ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳ, ପ୍ରଜନନ ଚକ୍ର କ୍ଷତି ସହିଛି। ଜାପାନରେ ଚେରି ବ୍ଲୁଜମ (ଚେରି ଫୁଲ) ବସନ୍ତ ଆଗମନର ସୂଚନା ଦେଇଥାଏ। ଜାପାନୀ ସଂସ୍କୃତି ସହିତ ଏହା ଦୀର୍ଘ କାଳରୁ ଜଡିତ ଏବଂ ଏଥିପାଇଁ ଜାପାନରେ ରୀତିମତ ଉତ୍ସବ ପାଳନ ହୁଏ। ୮୧୨ ଖ୍ରୀଷ୍ଟାବ୍ଦରୁ ଐତିହାସିକ ପ୍ରମାଣ ରହିଛି ଯେ ଚେରି ଫୁଲ ଫୁଟିବା ଆରମ୍ଭ ହୁଏ ମାର୍ଚ୍ଚ ଶେଷକୁ ଓ ମେ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ଏହା ଅବ୍ୟାହତ ରହିଥାଏ । ଏବେ ଜଣା ପଡ଼ିଲାଣି ୧୮୩୦ ମସିହାରୁ ଫୁଲ ଆସିବା ସମୟ କ୍ରମଶଃ ବଦଳୁଛି ଏବଂ ଫୁଲ ଏବେ କେଇ ସପ୍ତାହ ଆଗରୁ ଫୁଟୁଛି। ଏହା ଉଦାହରଣ ମାତ୍ର, କାରଣ ବ୍ୟତିକ୍ରମ କେବଳ ଜାପାନରେ ଦେଖାଯାଇ ନାହିଁ।

- Advertisement -

ଆମ ଦେଶରେ ଉଦ୍ଭିଦମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏତେ ବ୍ୟାପକ ନ ହେଲେ ହେଁ ଜଣାପଡିଛି ଭାରତୀୟ ଜଙ୍ଗଲ (ହିମାଳୟ ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ) ଏଥିରୁ ମୁକ୍ତ ନୁହେଁ। କିଛି ଗବେଷକ କହନ୍ତି ସବୁଠୁ ସମ୍ୱେଦନଶୀଳ ହୋଇସାରିଛି ହିମାଳୟର ଅରଣ୍ୟ ବ୍ୟବସ୍ଥା ତେବେ ଅନ୍ୟତ୍ର ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ମୃତ୍ତିକାର ତାପମାତ୍ରା, ଆର୍ଦ୍ରତା, ଯବକ୍ଷାରଜାନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଧାରଣ କ୍ଷମତାରେ ପରିବର୍ତ୍ତନ ଆସିଛି। କେବଳ ଗୋଟିଏ ବା ଦୁଇଟି ଜୈବ ବ୍ୟବସ୍ଥା ନୁହେଁ, ତମାମ ପୃଥିବୀରେ ପ୍ରଭାବିତ ହୋଇଛନ୍ତି ତୁନ୍ଦ୍ରାଞ୍ଚଳ, ତୃଣଭୂମି, ମୌସୁମି ଅରଣ୍ୟ ଓ ମରୁଭୂମି।

ଆସିବା ପୁଣି ଫୁଲ ଗଛକୁ। ଫୁଲ ଗଛ ହିଁ ଜାଣେ ଫୁଲ ଫୁଟିବା ଋତୁ ଠିକ କେବେ ଆସିବ, ଅନୁକୂଳ ତାପମାତ୍ରା, ସୂର୍ଯ୍ୟକିରଣ ପ୍ରକୃତି କେବେ ଯୋଗେଇବ। ଏକଥା ବି ଜାଣେ ଭଅଁର / ମହୁମାଛି କେବେ ଆସିବେ। ଯେଉଁ ଶାରୀରିକ ପ୍ରକ୍ରିୟା / ପ୍ରସ୍ତୁତି ଦୀର୍ଘ ଅବଧି ଧରି ପ୍ରଲମ୍ବିତ ଥିଲା ନିଦାଘର ରାଜତ୍ୱ ଦୀର୍ଘ ଏବଂ ଅଧିକ ଉଗ୍ର ହେବାରୁ ବଦଳି ଯାଉଛି । ଫୁଲ ଏବେ ଆଗରୁ ଫୁଟୁଛି। ଫଳ ବି । ଲତା, ଗୁଳ୍ମ, କାକଟସ, ଅର୍କିଡ଼ – କେହି ଏଥିରୁ ବାଦ ନୁହନ୍ତି। ଗୋଟିଏ ଉଦ୍ଭିଦର ପରିବର୍ତ୍ତିତ ବ୍ୟବହାର ସହିତ ଅନ୍ୟାନ୍ୟ ପ୍ରଜାତିମାନଙ୍କର ସମ୍ପର୍କ ରହିଛି। କାଲିଫର୍ଣ୍ଣିଆରେ ଏକ ତୃଣଭୂମି ଅଧ୍ୟୟନ ରୁ ଜଣାପଡିଛି ପ୍ରଜାତିମାନଙ୍କ ଆନ୍ତଃ-ସମ୍ପର୍କ ଯୋଗୁଁ ଗୋଟିଏ ଫୁଲ ଫୁଟିବା ସମୟରେ ବ୍ୟତିକ୍ରମ ଦେଖାଦେଲେ ତୃଣଭୂମିର ଅନ୍ୟ ଫୁଲ ଗଛ ପ୍ରଭାବିତ ହେଉଛନ୍ତି। ଫୁଲ ଫୁଟିବା ସମୟ କିଛି ପ୍ରଜାତିଙ୍କ ପ୍ରଜନନ ସହିତ ମଧ୍ୟ ସମ୍ପର୍କିତ। ଠିକ ସମୟରେ ଫୁଲ ନ ଆସିବାରୁ କିଛି ବଣୁଆ ମହୁମାଛିଙ୍କ ପାଇଁ ସ୍ପର୍ଶକାତର ସ୍ଥିତି ଉତ୍ପନ୍ନ ହୋଇଛି। ସେମାନଙ୍କ ଖାଦ୍ୟ ସଂଗ୍ରହ ଓ ବଂଶବୃଦ୍ଧି ବ୍ୟାହତ ହୋଇଛି। ପାଠକେ, ଗବେଷଣାଗାରରେ ନୁହେଁ, ଅତ୍ୟଧିକ ତାପମାତ୍ରା କାରଣରୁ ଫୁଲର ରଙ୍ଗ ବଦଳୁଛି। ଗୋଟିଏ ଗବେଷଣାରୁ ଜଣାପଡିଛି ଧାରାବାହିକ ଭାବରେ ୭୫ ବର୍ଷ ଧରି କିଛି ଉଦ୍ଭିଦ ତାପମାତ୍ରା ସହିତ ଅଭ୍ୟସ୍ତ ହେବ ପାଇଁ ଚେଷ୍ଟା କରି ସେମାନଙ୍କ ପାଖୁଡ଼ାରେ ଅତି ବାଇଗଣି ସ୍ତର ବଢ଼ାଇ ଚାଲିଛନ୍ତି। ବାତାବରଣରେ ପରିବର୍ତ୍ତନ ଠାବ କରିବାରେ ଉଦ୍ଭିଦ ଓସ୍ତାଦ। ୟୁରୋପ, ଅଷ୍ଟ୍ରେଲିଆ ଓ ଉତ୍ତର ଆମେରିକାରେ ପ୍ରାୟ ୧୨୦୦ ଫୁଲର ଅଧ୍ୟୟନ ସୂଚାଇଛି ଏ ସମସ୍ତ ଅଞ୍ଚଳରେ ଫୁଲମାନଙ୍କରେ ଅତି ବାଇଗଣି ରଶ୍ମି ସ୍ତର ବର୍ଷକୁ ୨ ପ୍ରତିଶତ ବଢୁଛି, ଅର୍ଥାତ୍‌ ଫୁଲର ରଙ୍ଗ ବଦଳୁଛି। ଏଇ ସୂକ୍ଷ୍ମ ପରିବର୍ତ୍ତନ ଆମ ଆଖିରେ ଏତେ ସହଜରେ ଧରା ପଡ଼ିବାର ସମ୍ଭାବନା ନାହିଁ, କିନ୍ତୁ ପରାଗ ସଙ୍ଗମ ସହିତ ସମ୍ପୃକ୍ତ କିଛି ଜାତିର ପତଙ୍ଗ, ପ୍ରଜାପତି, ପକ୍ଷୀମାନଙ୍କ ଅନୁଭବରୁ ବଦଳୁଥିବା ରଙ୍ଗ ଓ ବାସ୍ନା ବାଦ ପଡୁନି। ଯାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଉଛି ଅଧିକାଂଶ ଖାଦ୍ୟ ଶସ୍ୟ ମଧ୍ୟ ଫୁଲ ଫୁଟୁଥିବା ଉଦ୍ଭିଦ ଯାହା ସହିତ ପରାଗ କ୍ରିୟା ଜଡିତ। ମିଳିତ ଜାତିସଂଘ ତଥ୍ୟ ଅନୁସାରେ ପରାଗକଙ୍କ ପ୍ରତ୍ୟକ୍ଷ ଯୋଗଦାନ ବାର୍ଷିକ ୨୩୫ ବିଲିଅନ ଟନରୁ ୫୭୭ ବିଲିଅନ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ସହିତ। ପରାଗକଙ୍କ ମଧ୍ୟରେ ଅଛନ୍ତି ୨୦,୦୦୦ ପ୍ରଜାତିରୁ ଅଧିକ ମାଛି / ମହୁମାଛି ଏବଂ ଆହୁରି କେତେ ଜାତିର କୀଟପତଙ୍ଗ ଓ ପକ୍ଷୀ।

ଋତୁଚକ୍ରରେ ବ୍ୟତିକ୍ରମ ସହିତ ପ୍ରବାସୀ ପକ୍ଷୀମାନଙ୍କ ସ୍ଥାନାନ୍ତରଣର ସମ୍ପର୍କ ରହିଛି ଯେଉଁମାନେ ଚିଲିକା, ଭିତରକନିକା ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ଶୀତ ଦିନେ ଆସନ୍ତି। ଅଲିଭ ରିଡ୍‌ଲେ ପରି ସାମୁଦ୍ରିକ କଇଁଛ ହଜାର ହଜାର କିଲୋମିଟର ଦୂରରୁ ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସନ୍ତି। ବିଶେଷଜ୍ଞମାନଙ୍କ କହିବା କଥା ତାପମାତ୍ରା ସ୍ତର ସବୁଆଡେ ସମାନ ନୁହେଁ। ତେଣୁ ପ୍ରବାସ ଯାତ୍ରା ପୂର୍ବରୁ ପକ୍ଷୀମାନେ ଆକଳନ କରିବା ମୁସ୍କିଲ ଯେ ସେମାନେ ଯେଉଁ ଲକ୍ଷ୍ୟସ୍ଥଳକୁ ଯାତ୍ରା କରିବେ ଏବଂ ଯେଉଁ ବାଟ ଦେଇ ଯିବେ ସେଇସବୁ ଅଞ୍ଚଳରେ ପାଣିପାଗ ସ୍ଥିତି କେମିତି / ଖାଦ୍ୟ ପ୍ରଚୁର ମିଳିବ ନା ନାହିଁ / ଆବାସ ନିରାପଦ ନା ନାହିଁ। ତଥ୍ୟ ଅନୁସାରେ ଚିଲିକା ଓ ଭିତରକନିକାରୁ ବିଦେଶୀ ପକ୍ଷୀ ଏବେ କେଇ ସପ୍ତାହ ଆଗରୁ ଲେଉଟାଣି ଯାତ୍ରା ଆରମ୍ଭ କରୁଛନ୍ତି। ଫେବୃଆରୀ ଶେଷ ବେଳକୁ ତାପମାତ୍ରା ୩୪ ଡ଼ିଗ୍ରୀରେ ପହଞ୍ଚୁଛି। ଏଇଠି କହିରଖେ ଯେ ଭାରତର ବିଭିନ୍ନ ଅଂଚଳକୁ ପ୍ରାୟ ୩୦ ଟି ଦେଶରୁ ଆସନ୍ତି ପାଖାପାଖି ୧୩୫୫ ପ୍ରଜାତିର ପକ୍ଷୀ। ଜଳବାୟୁ ପରିବର୍ତ୍ତନ ସେମାନଙ୍କ ପ୍ରବାସକୁ କ୍ଷତିଗ୍ରସ୍ତ କରିଛି। ସାରା ପୃଥିବୀରେ ଏମିତି ଘଟୁଛି। ଉତ୍ତର ଆମେରିକାରେ ମୋନାର୍କ ପ୍ରଜାପତି ଯିଏ ପ୍ରବାସ ପାଇଁ ୪୩୦୦ କିଲୋମିଟର ଆଶ୍ଚର୍ଯ୍ୟକର ଯାତ୍ରା କରେ ତାହା ବିଳମ୍ବିତ ହୋଇଛି ଏବଂ ଉତ୍ତର ରୁଷିଆକୁ ସବୁ ବର୍ଷ ବସନ୍ତରେ ଆସୁଥିବା ଗୋଟିଏ ପ୍ରଜାତିର ବିରଳ ହଂସ ଏବେ ଆଗତୁରା ଆସୁଛନ୍ତି। ସାମୁଦ୍ରିକ ପ୍ରଜାତିଙ୍କ (ମାଛ ଓ କଇଁଛ) ସ୍ଥାନାନ୍ତରଣ / ପ୍ରଵାସ ମଧ୍ୟ ପ୍ରଭାବିତ ହୋଇଛି। ବେଶ୍‌ କିଛି ପ୍ରଜାତିଙ୍କ ବଂଶବୃଦ୍ଧି ଓ ଗୁଣାତ୍ମକ ଜୀବନ କ୍ଷତିଗ୍ରସ୍ତ ହୋଇ ସାରିଛି। କୁହାଯାଉଛି ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତିକୁ ରୋକିବା ପାଇଁ ବିଜ୍ଞାନୀ ମାନେ ଜଳବାୟୁ ସହିତ ଯୁଝି ପାରୁଥିବା ଖାଦ୍ୟଶସ୍ୟର ବିହନ ହୁଏତ ପ୍ରସ୍ତୁତ ଆଗକୁ କରିପାରିବେ କିନ୍ତୁ ବୃହତ୍ତର ପ୍ରକୃତି? ଜାତି ଜାତି ଫୁଲଙ୍କ ରଙ୍ଗ ଓ ରୂପର ଖବର କିଏ ନେବ ? କିଏ ବୁଝିବ ପ୍ରଜାପତିର ଦୁଃଖ / ସୁଦୂର ସାଇବେରିଆରୁ ଉଡି ଆସୁଥିବା ପକ୍ଷୀର ଯନ୍ତ୍ରଣା ?

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories