ନୂଆଦିଲ୍ଲୀ : ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନ୍ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ମଧ୍ୟରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)। ତେବେ ଏସିଆ ଏକାଦଶରେ ଭାରତ ଓ ପାକିସ୍ତାନ ଦଳର କ୍ରିକେଟର୍ ଏକତ୍ର ଖେଳିବା ନେଇ ଅନିଶ୍ଚିତତା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନ ଥିବାରୁ ଦୁଇ ଦେଶର କ୍ରିକେଟର୍ ଏକତ୍ର ଖେଳିବା ଅସମ୍ଭବ ମନେ ହେଉଛି। ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ କହିଛନ୍ତି ଏସିଆ ଏକାଦଶରେ କୌଣସି ପାକିସ୍ତାନ କ୍ରିକେଟର୍ଙ୍କୁ ସାମିଲ କରାଯିବ ନାହିଁ। ଏସିଆ ଏକାଦଶ ତରଫରୁ ଖେଳିବାକୁ ପାକିସ୍ତାନର କୌଣସି କ୍ରିକେଟର୍ଙ୍କୁ ଆୟୋଜକ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିମନ୍ତ୍ରଣ କରିନଥିବା ଜୟେଶ ସୂଚନା ଦେଇଛନ୍ତି।
ଭାରତ ତରଫରୁ କେଉଁ ୫ଜଣ କ୍ରିକେଟର୍ ଏସିଆ ଏକାଦଶକୁ ପ୍ରତିନିଧିତ୍ବ କରିବେ ସେ ସଂପର୍କରେ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନେବେ ବୋଲି ଜୟେଶ କହିଛନ୍ତି। ସୂଚନାଥାଉକି କିଛିଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ଏହସାନ୍ ମାନି ନିଜ ପ୍ରତିକ୍ରିୟାରେ ଭାରତରେ ବିଦେଶ ରାଷ୍ଟ୍ର କ୍ରିକେଟ୍ ଖେଳିବା ବିପଜ୍ଜନକ ବୋଲି ମତ ଦେଇଥିଲେ। ଏହାକୁ ନେଇ ବିସିସିଆଇ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏସିଆ ଏକାଦଶରେ ପାକିସ୍ତାନ କ୍ରିକେଟର୍ ସାମିଲ ହେବେ ନାହିଁ : ବିସିସିଆଇ
Popular Categories



