www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍କର୍ଷ ଓଡ଼ିଶାରେ ପୁଞ୍ଜି ବର୍ଷା

ଭୁବନେଶ୍ବର : ଶେଷ ହୋଇଛି ଦୁଇଦିନିଆ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମେଳନ। ରାଜ୍ୟ ସରକାରଙ୍କୁ ବିଭିନ୍ନ ନିବେଶକଙ୍କ ପକ୍ଷରୁ ୧୬.୭୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ବାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମୋଟ ୨୦ଟି କ୍ଷେତ୍ରରେ ୫୯୩ ପ୍ରକଳ୍ପ ପାଇଁ ଏହି ନିବେଶ ପ୍ରସ୍ତାବ ଆସିଛି।  ଦ୍ବିତୀୟ ଦିନ ସୁଦ୍ଧା ସମୁଦାୟ ୧୪୫ଟି ରାଜିନାମା ସ୍ବାକ୍ଷରିତ ହୋଇଛି। ଏଥିରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଚୁକ୍ତି ରହିଥିବାବେଳେ ଏଥିଯୋଗୁଁ ରାଜ୍ୟରେ ୮ଲକ୍ଷ ୯୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ରାଜିନାମାରେ କେମିକାଲସ୍, ପେଟ୍ରୋକେମିକାଲସ୍, ବୟନଶିଳ୍ପ, ମାଇନିଂ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଉପରୋକ୍ତ ଏମଓୟୁ ସ୍ୱାକ୍ଷର ବ୍ୟତୀତ ଆହୁରି ୩.୮୪ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ। ଏହାଦ୍ୱାରା ୩.୯୨ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ସମୁଦାୟ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ସହ ୧୨.୮୮ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍‌ ଓଡ଼ିଶା ସମ୍ମେଳନ ଆମ ପାଇଁ ଅପାର ସମ୍ଭାବନା ଆଣିଛି। ଏହି ରାଜିମାନାଗୁଡିକ ଓଡ଼ିଶାର ଶିଳ୍ପକ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ବିଶ୍ବସ୍ତରୀୟ ଶିଳ୍ପ ସଂସ୍ଥାଗୁଡିକ ସହିତ ସହଭାଗିତା ଆରମ୍ଭ କରିବାକୁ ଯାଉଛି। ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି ହୋଇପାରିବ। ସମ୍ମେଳନରେ ବିଶ୍ୱର ଅନେକ ଶିଳ୍ପପତି, ବ୍ୟାବସାୟିକ ପ୍ରତିନିଧି, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ଶିଳ୍ପ ଜଗତକୁ ବାର୍ତ୍ତା ଦେଇସେ କହିଥିଲେ ଯେ, ଓଡିଶା ହେଉଛି ଉତ୍କୃଷ୍ଟ ଏବଂ ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଓଡିଶାରେ ପୁଞ୍ଜି ନିବେଶ ପାଇଁ ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ୍ ଇଞ୍ଜିନ କରିବା ପାଇଁ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି। ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି ଆମେ ତାହାର ନିକଟତର ହୋଇପାରିଛୁ।
ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ସହଯୋଗୀ ଦେଶର ପ୍ରତିନିଧିଙ୍କ ସହିତ ୧୬ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଥିଲେ। ଏହାଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି। ଦ୍ୱିତୀୟ ଦିନରେ ବୟନ ଶିଳ୍ପ ଓ ପୋଷାକ, ଅକ୍ଷୟ ଶକ୍ତି, ସ୍କିଲଡ୍ ଇନ୍ ଓଡିଶା, ମହିଳାଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ଶ୍ରମ ଶକ୍ତିକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ୍ ଇନ୍ ଓଡିଶା ଅଧିବେଶନରେ ଆଲୋଚନା କରାଯାଇଥିଲା। ମହିଳା ଉଦ୍ୟମଶୀଳତା ଓ ଷ୍ଟାର୍ଟଅପ୍ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଆଲୋଚନାରେ ଅଭିନବ ଓ ସମାବେଶୀ ଚିନ୍ତାଧାରା ଉପରେ ଗୁରୁତ୍ବ ଦିଆଯାଇଥିଲା। ଅକ୍ଷୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ଚିରନ୍ତନ ବିକାଶ ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା। ଏହି ସମ୍ମେଳନର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସିଆଇଆଇ, ପିଡବ୍ଲୁସି ପରି ବିଭିନ୍ନ ସଂସ୍ଥା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି। ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା ସମ୍ମିଳନୀ ଜାନୁଆରୀ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories