www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟାଳୟ ଦଣ୍ଡମୁକ୍ତ କାଗଜକଲମରେ: ଛାତ୍ରୀଙ୍କୁ ମାଡ଼; ୬ମାସ ପରେ ବି ସୁସ୍ଥ ହୋଇନାହାନ୍ତି

ଭୁବନେଶ୍ୱର:ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏଠି ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଏକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏମିତିକି ପ୍ରତ୍ୟେକ ବିଦ୍ୟାଳୟର କାନ୍ଥ ଓ ବାଡ଼ରେ ମଧ୍ୟ ଉଲ୍ଲେଖ ହୋଇଛି। ହେଲେ ତାହା କିଭଳି ଜଣେ ପ୍ରଧାନଶିକ୍ଷକଙ୍କ ଅଜଣା ରହିଛି ତାହାର ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଶିକ୍ଷା ଜିଲା ଅନ୍ତର୍ଗତ ବାରଘରପାଟଣା ସରକାରୀ ବିଦ୍ୟାଳୟରେ। ଏଠାରେ ତ୍ରତୀୟ ଶ୍ରେଣୀର ଅନସୂୟା ସାହୁ ନାମକ ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏକ କାଠପଟାରେ ଏପରି ମାଡ ମାରିଛନ୍ତି ଯେ ତାହାର ପ୍ରଭାବ ୬ମାସ ପରେ ବି କମିନାହିଁ। ସଂପୃକ୍ତ ଛାତ୍ରୀଜଣଙ୍କ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇ ଫେରିଛନ୍ତି। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ପ୍ରାୟ ୧୨ଘଣ୍ଟା ପର୍ଯ୍ୟନ୍ତ ଅଚେତ ରହିଥିଲେ। ଏହାପରେ ସେ ୫ଦିନ ପର୍ଯ୍ୟନ୍ତ ବାଉଳ ଚାଉଳ ହୋଇଥିଲେ। ଏବେ ତାଙ୍କ ମୁଣ୍ଡରେ ଫୁଲା ରହିଥିବାବେଳେ ଟିକିଏ ଜ୍ୱର ହେଲେ ଛିଙ୍କବେଳେ ନାକରୁ ରକ୍ତଶ୍ରାବ ହେଉଛି, ଯାହାକି ସହି ହେଉ ନାହିଁ ବୋଲି ଅନସୂୟାଙ୍କ ମା’ ଦିପ୍ତୀମୟୀ ଅଭିଯୋଗ କରିଛନ୍ତି।
ଦିପ୍ତିମୟୀଙ୍କ ଅଭିଯୋଗ ହେଲା ଯେ ଚଳିତବର୍ଷ ଫେବୃଆରୀ ୧୩ରେ ମୋ ଝିଅ କ୍ଲାସରେ ପାଠ ପଢ଼ୁଥିବାବେଳେ କୌଣସି କାରଣ ନଥାଇ ପ୍ରଧାନ ଶିକ୍ଷୟିତ୍ରୀ ଏକ କାଠପଟାରେ ପଛପଟୁ ଆସି ମୁଣ୍ଡକୁ ପିଟିଥିଲେ। ଏହାପରେ ଝିଅ ଅଚେତ ହୋଇ ପଡ଼ିଥିଲା। ଗାଁର ଜଣେ ବ୍ୟକ୍ତି ଖବରଦେବାରେ ମୁଁ ପହଞ୍ଚିଥିଲି। ସେତେବେଳେକୁ ଝିଅ ଅଚେତ ହୋଇ ପଡ଼ିଥିଲା। ତାକୁ ଖୋର୍ଦ୍ଧା ଚିକିତ୍ସାଳୟ ଗୁରୁତର କହି କଟକ ପଠାଇ ଦେଇଥିଲା। ସେଠାରେ ମୁଣ୍ଡ ସ୍କାନ କରାଯିବା ପରେ ଶକ୍ତ ଆଘାତ ଥିବା ଜଣାପଡ଼ିଥିଲା। ଏହାପରେ ଝିଅ ବାନ୍ତି କରିଥିଲା। ଏକ ସପ୍ତାହ ପରେ ଝିଅ ଟିକେ କଥା କହିବା ପର୍ଯ୍ୟନ୍ତ ଆସିଲା। ତେବେ ଏତେ ଘଟଣା ପାଇଁ ଯେଉଁ ଶିକ୍ଷୟିତ୍ରୀ ଦାୟୀ ସେ କିନ୍ତୁ କାହା କଥା ଶୁଣିବାକୁ ନାରାଜ। ଦିନଟିଏ ହେଲେ ବି ଝିଅର ହାଲଚାଲ ବୁଝି ନାହାନ୍ତି, ବରଂ କିଏ ମୋର କିଛି କରିପାରିବେ ନାହିଁ ବୋଲି କହି ବୁଲୁଛନ୍ତି। ଏବେ ମୋ ଝିଅ ଆଉ ସେ ସ୍କୁଲକୁ ପାଠପଢ଼ିବାକୁ ଯିବନାହିଁ ବୋଲି ମନା କରିଦେଇଛି। ତେଣୁ ପାଖ ଘରୋଇ ସ୍କୁଲରେ ନାମ ଲେଖାଇବି ବୋଲି ଭାବୁଥିବା ଶ୍ରୀମତୀ ସାହୁ କହିଛନ୍ତି। ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁଆଡେ ଅଭିଯୋଗ କରିଥିଲେ ବି କେହି କିଛି ଶୁଣିଲେନି। ଏବେ କରୋନା ଚାଲିଛି, ବିଦ୍ୟାଳୟ ଖୋଲିଲେ ଝିଅକୁ ପାଖ ବିଦ୍ୟାଳୟରେ ନାମ ଲେଖାଇବି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସ୍ଥାନୀୟ ଧଉଳିମୁହଁ ସରପଞ୍ଚ ନର୍ମଦା ରାୟସିଂହ ଓ ଗ୍ରାମବାସୀମାନେ ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷୟିତ୍ରୀ ଏବଂ ତାଙ୍କୁ ଘଣ୍ଟ ଘୋଡାଉଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହିତ ଝିଅକୁ ନ୍ୟାୟ ଦାବି କରିଛନ୍ତି। ଡ୍ରପ ଆଉଟ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହିତ କନ୍ୟା ରତ୍ନଙ୍କ ପାଇଁ ସରକାର ଯୋଜନା ମାଳ ମାଳ ଖଞ୍ଜୁଛନ୍ତି। ହେଲେ ଏଭଳି ଘଟଣା ବାସ୍ତବଶିକ୍ଷାର ଚିତ୍ର ବୟାନ କରୁଛି।
ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି ଯେ ଉକ୍ତ ଘଟଣାର ଏକ ଯୁଗ୍ମତଦନ୍ତ କରାଯିବ। ଯଦି ବାସ୍ତବରେ ଏଭଳି କିଛି ହୋଇଥାଏ ତେବେ ନିଶ୍ଚିତ ଭାବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories