ଭୁବନେଶ୍ୱର : ବିଦେଶରୁ ଭୁବନେଶ୍ବରକୁ ମାଫିଆଙ୍କ ଜରିଆରେ ନୂଆ ନୂଆ ନିଶାଦ୍ରବ୍ୟ ଆସୁଛି। ବ୍ରାଉନସୁଗର, ମାରିଜୁଆନା, ଏଲ୍ଏସ୍ଡି, କୋକେନ୍ ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆମଦାନୀ ହେଉଛି।
ଭାରତ-ବାଂଲାଦେଶ ସୀମାରେ ଥିବା କଲକାତା ମୁର୍ସିଦାବାଦ୍ର ଲାଲଗୋଲା, ନଦିଆ ଓ ବର୍ଦ୍ଧମାନ ଏବଂ ମାଲ୍ଦା, ମିଆଁମାର, ମଣିପୁରରୁ ବ୍ରାଉନସୁଗର ଆସୁଛି। ହାଇଡ୍ରୋପୋନିକ-ଉଇଡ୍ ବା ମାରିଜୁଆନା (ଗଞ୍ଜେଇ) ଥାଇଲ୍ୟାଣ୍ଡର ବ୍ୟାଙ୍କ୍କ ଓ ମାଲେସିଆର କ୍ୱାଲାଲୁମ୍ପୁରରୁ ଆସୁଛି। ଦୁବାଇରେ ରହି ରାକେଟ ପରିଚାଳନା କରୁଛି ମାଫିଆ। ଓଡ଼ିଶାରୁ ପ୍ରଥମଥର ଲାଗି ଜବତ ହୋଇଥିବା କୋକେନ୍ ଓ ସିନ୍ଥେଟିକ ଡ୍ରଗ୍ସ (ଏଲ୍ଏସ୍ଡି) କାରବାର ପଛରେ ଦିଲ୍ଲୀ ନିଶା ମାଫିଆଙ୍କ ସମ୍ପୃକ୍ତି ରହିଛି। ଅନୁରୂପ ଭାବେ ଓଡ଼ିଶାରେ ଗଞ୍ଜେଇ ଚାଷ ଲାଗି ବିଦେଶରେ ରହି ମାଫିଆ ଟଙ୍କା ଦେଉଛନ୍ତି। ଛତିଶଗଡ଼ ସମେତ ପଡ଼ୋଶୀ ବିହାରରୁ ନିଶା ବେପାରୀ ଗଞ୍ଜେଇ ଚାଷ କରିବାକୁ ବଳ ଯୋଗାଉଛନ୍ତି। ଏଥିସହ ଭାଙ୍ଗ ସେବନକାରୀଙ୍କ ସଂଖ୍ୟା ଓଡ଼ିଶାରେ ବଢ଼ିଛି। ବିହାର, ଉତ୍ତରପ୍ରଦେଶ, ମଣିପୁର, ମିଆଁମାର ଭଳି ରାଜ୍ୟରୁ ଓଡ଼ିଶାକୁ ଭାଙ୍ଗ ଆସୁଛି। ଝାଡ଼ଖଣ୍ଡର ନିଶା ମାଫିଆ ଓଡ଼ିଶାରେ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ରୋକିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍ଆଇ) ଓ ଅନ୍ୟାନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ ଏସ୍ଟିଏଫ୍ ଯୋଗାଯୋଗରେ ଅଛି। ଏହି ନିଶା କାରବାର ତଦନ୍ତକୁ କ୍ରିୟାଶୀଳ କରାଯାଉଛି ବୋଲି ଏସ୍ଟିଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା



