ଏକ ସାଧାରଣ ସକାଳ। ଆପଣଙ୍କ ମୋବାଇଲରେ ଏକ ଅଜଣା ନମ୍ବରରୁ ଭିଡିଓ କଲ୍ ଆସିଲା। ସେପଟେ ଆପଣଙ୍କର ଜଣେ ପୁରୁଣା ବନ୍ଧୁ, ଯିଏ ଦୀର୍ଘ ଦିନରୁ ଆପଣଙ୍କ ସହ ସମ୍ପର୍କରେ ନାହିଁ। ତାଙ୍କ ମୁହଁରେ ଆତଙ୍କର ଛାପ, ସେ କୌଣସି ଏକ ଜରୁରୀକାଳୀନ ପରିସ୍ଥିତିରେ ଫସି ଯାଇଛନ୍ତି ଏବଂ ତୁରନ୍ତ କିଛି ଆର୍ଥିକ ସାହାଯ୍ୟ ମାଗୁଛନ୍ତି। ତାଙ୍କ ସ୍ୱର, କଥା କହିବାର ଶୈଳୀ, ଏପରି କି ତାଙ୍କ ମୁହଁର ଭାବଭଙ୍ଗୀ ସବୁକିଛି ଅବିକଳ ତାଙ୍କରି ପରି। ଆପଣଙ୍କ ମନରେ କୌଣସି ସନ୍ଦେହ ଆସିବା ପୂର୍ବରୁ ଆପଣ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇଗଲେ; କିନ୍ତୁ କିଛି ସମୟ ପରେ ଆପଣ ଜାଣିବାକୁ ପାଇଲେ ଯେ ଆପଣ ଏକ ଗଭୀର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଆପଣଙ୍କ ସହ କଥା ହେଉଥିବା ବ୍ୟକ୍ତି ଜଣକ ଆପଣଙ୍କ ବନ୍ଧୁ ନଥିଲେ, ବରଂ ଏହା ଥିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ସୃଷ୍ଟ ଏକ ‘ଡିପ୍ଫେକ୍’ ଭିଡିଓ। ଏହି ଘଟଣା କେବଳ ଏକ କାଳ୍ପନିକ କାହାଣୀ ନୁହେଁ, ବରଂ ଆଜିର ଡିଜିଟାଲ ଦୁନିଆର ଏକ କଠୋର ବାସ୍ତବତା।
ଆମେ ଏକ ଏଭଳି ସମୟରେ ପହଞ୍ଚିଛେ, ଯେଉଁଠି ମଣିଷ ଏବଂ ଯନ୍ତ୍ର ମଧ୍ୟରେ ଥିବା ସୀମାରେଖା ଦିନକୁ ଦିନ ଅସ୍ପଷ୍ଟ ହେବାରେ ଲାଗିଛି। ଏଆଇର ବିକାଶ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି – ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ମନୋରଞ୍ଜନ ଠାରୁ ଆରମ୍ଭ କରି ଆମର ବ୍ୟକ୍ତିଗତ ସମ୍ପର୍କ ପର୍ଯ୍ୟନ୍ତ। ଗୋଟିଏ ପଟେ ଏହା ଆମ ଜୀବନକୁ ସହଜ ଓ ସରଳ କରିବାରେ ସାହାଯ୍ୟ କରୁଥିବା ବେଳେ, ଅନ୍ୟ ପଟେ ଏହା ଏକ ନୂତନ ସାମାଜିକ ଏବଂ ଦାର୍ଶନିକ ସଙ୍କଟ ସୃଷ୍ଟି କରିଛି। ଆଜି ଆମେ ନିଜକୁ ପ୍ରଶ୍ନ କରିବାକୁ ବାଧ୍ୟ ହେଉଛେ – ଆମ ସହ କଥା ହେଉଥିବା ବ୍ୟକ୍ତି, ଆମକୁ ପରାମର୍ଶ ଦେଉଥିବା ସହାୟକ, ଏପରି କି ଆମ ସହ ସମ୍ପର୍କ ସ୍ଥାପନ କରୁଥିବା ସତ୍ତାଟି ପ୍ରକୃତରେ ମଣିଷ ତ ?
ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ‘ଚାଟ୍ବଟ୍’ ଏବଂ ‘ଭର୍ଚୁଆଲ ଆସିଷ୍ଟା’। ଗ୍ରାହକ ସେବା କେନ୍ଦ୍ରରେ ଆପଣଙ୍କ ସମସ୍ୟାର ସମାଧାନ କରୁଥିବା ପ୍ରତିନିଧି ହୁଏତ ଜଣେ ମଣିଷ ନୁହେଁ, ବରଂ ଏକ ଉନ୍ନତ ଏଆଇ ପ୍ରୋଗ୍ରାମ। ସେ ଆପଣଙ୍କ ପ୍ରଶ୍ନକୁ ବୁଝିପାରେ, ତାର୍କିକ ଉତ୍ତର ଦେଇପାରେ ଏବଂ ଆପଣଙ୍କ ସହ ଏକ ସ୍ୱାଭାବିକ ବାର୍ତ୍ତାଳାପ ମଧ୍ୟ କରିପାରେ। ସେହିପରି ଅନ୍ଲାଇନ୍ରେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରୁଥିବା ପ୍ରୋଫାଇଲ୍ଟି ହୁଏତ ଜଣେ ରକ୍ତମାଂସର ମଣିଷ ପରିବର୍ତ୍ତେ ଏକ ଏଆଇ ଦ୍ୱାରା ପରିଚାଳିତ। ଏହି ଏଆଇ ପ୍ରୋଗ୍ରାମଗୁଡ଼ିକ ଏତେ ମାତ୍ରାରେ ବିକଶିତ ହୋଇଗଲାଣି ଯେ ସେମାନେ ମଣିଷର ଭାଷା, ଭାବ ଏବଂ ବ୍ୟବହାରକୁ ଅବିକଳ ନକଲ କରିପାରୁଛନ୍ତି। ଫଳରେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ହୋଇପଡୁଛି।
ଏହି ପ୍ରସଙ୍ଗଟି କେବଳ ପ୍ରଯୁକ୍ତିଗତ ନୁହେଁ, ବରଂ ଏହା ମାନବିକ ସମ୍ବେଦନାର ଗଭୀରତାକୁ ମଧ୍ୟ ସ୍ପର୍ଶ କରେ। ମଣିଷ ଏବଂ ଯନ୍ତ୍ର ମଧ୍ୟରେ ମୌଳିକ ପାର୍ଥକ୍ୟ କ’ଣ? ଆମେ କହିପାରୁ ଯେ ମଣିଷ ପାଖରେ ଭାବନା, ଅନୁଭବ, ସୃଜନଶୀଳତା ଏବଂ ସମ୍ବେଦନଶୀଳତା ରହିଛି, ଯାହା ଏକ ଯନ୍ତ୍ର ପାଖରେ ନାହିଁ; କିନ୍ତୁ ଯେତେବେଳେ ଏକ ଏଆଇ ଆପଣଙ୍କ ଦୁଃଖରେ ସମବେଦନା ଜଣାଏ, ଆପଣଙ୍କ ଏକାକୀପଣରେ ସାଥୀ ହୁଏ କିମ୍ବା ଆପଣଙ୍କ ପାଇଁ ଏକ କବିତା ଲେଖିଦିଏ, ସେତେବେଳେ ଏହି ପାର୍ଥକ୍ୟର ଗାର ଟିକେ ଫିକା ପଡ଼ିଯାଏ।
ଏକ ଉଦାହରଣ ନିଆଯାଉଛି ଜାପାନ ଭଳି ଦେଶରେ, ଯେଉଁଠି ଏକାକୀପଣ ଏକ ବଡ଼ ସାମାଜିକ ସମସ୍ୟା, ସେଠାରେ ‘ଏଆଇ କମ୍ପାନିଅନ୍’ ବା କୃତ୍ରିମ ସାଥୀର ଚାହିଦା ବଢ଼଼ିବାରେ ଲାଗିଛି। ଏହି ଏଆଇ ପ୍ରୋଗ୍ରାମଗୁଡ଼ିକ ଲୋକମାନଙ୍କ ସହ ଦିନରାତି କଥା ହୁଅନ୍ତି, କଥା ଶୁଣନ୍ତି ଏବଂ ସେମାନଙ୍କୁ ମାନସିକ ସାହାରା ଦିଅନ୍ତି। ଉପଭୋକ୍ତାଙ୍କ ମତରେ, ଏହି ଭର୍ଚୁଆଲ ସାଥୀ ସେମାନଙ୍କୁ ପ୍ରକୃତ ମଣିଷଙ୍କ ଠାରୁ ମଧ୍ୟ ଅଧିକ ଭଲ ଭାବେ ବୁଝିପାରନ୍ତି। ସେମାନେ କେବେ ବିରକ୍ତ ହୁଅନ୍ତି ନାହିଁ, କେବେ ସମାଲୋଚନା କରନ୍ତି ନାହିଁ ଏବଂ ସବୁବେଳେ ଉପଲବ୍ଧ ଥାଆନ୍ତି। ଏଭଳି ପରିସ୍ଥିତିରେ, ଯଦି ଏକ ଯନ୍ତ୍ର ମଣିଷର ସାଙ୍ଗ, ସାଥୀ ଏବଂ ପରାମର୍ଶଦାତାର ଭୂମିକାକୁ ସଫଳତାର ସହ ତୁଲାଇ ପାରୁଛି, ତେବେ ମାନବିକ ସମ୍ପର୍କର ପ୍ରକୃତ ଅର୍ଥ କ’ଣ ? ଅନ୍ୟ ପଟେ, ଏହି ପ୍ରଯୁକ୍ତିର ଅପବ୍ୟବହାର ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ‘ଡିପ୍ଫେକ୍’ ଟେକ୍ନୋଲୋଜିର ବ୍ୟବହାର କରି କାହାରି ମୁହଁକୁ ଅନ୍ୟ କାହାର ଶରୀରରେ ଲଗାଇ ଭ୍ରମାତ୍ମକ ଭିଡିଓ ତିଆରି କରାଯାଉଛି। ଏହାଦ୍ୱାରା ବ୍ୟକ୍ତିଗତ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି, ମିଥ୍ୟା ଖବର ପ୍ରଚାର ହେଉଛି ଏବଂ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଛି। ସେହିପରି, ଏଆଇ ଦ୍ୱାରା ସୃଷ୍ଟ ଲେଖା, ସଙ୍ଗୀତ ଏବଂ ଚିତ୍ରକଳା ଆଜି ବଜାରରେ ଉପଲବ୍ଧ। ଏହି କୃତ୍ରିମ ସୃଜନଶୀଳତା ଅସଲି କଳାକାର ଏବଂ ସ୍ରଷ୍ଟାଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ଯଦି ଏକ କଂପ୍ୟୁଟର ପ୍ରୋଗ୍ରାମ ମାତ୍ର କେଇ ମିନିଟ୍ରେ ଏକ ସୁନ୍ଦର କବିତା କିମ୍ବା ଏକ ମନଛୁଆଁ ସଙ୍ଗୀତ ତିଆରି କରିପାରୁଛି, ତେବେ ମଣିଷର ସୃଜନଶୀଳତାର ମୂଲ୍ୟ କେଉଁଠି ରହିଲା ?
ମଣିଷର ସମ୍ବେଦନଶୀଳତା ତା’ର ଅଭିଜ୍ଞତା, ସ୍ମୃତି ଏବଂ ସାମାଜିକ ପରିବେଶରୁ ଜନ୍ମ ନେଇଥାଏ। ଆମେ ଯେତେବେଳେ କାହାର ଦୁଃଖ ଦେଖି ଦୁଃଖୀ ହେଉ, ସେତେବେଳେ ଆମ ମସ୍ତିଷ୍କ କେବଳ ତଥ୍ୟ ବିଶ୍ଳେଷଣ କରେ ନାହିଁ, ବରଂ ଆମ ହୃଦୟ ମଧ୍ୟ ସେହି ଭାବନାକୁ ଅନୁଭବ କରେ। ତେବେ, ଏହାର ସମାଧାନ କ’ଣ ? ଆମେ କ’ଣ ଏଆଇର ବିକାଶକୁ ରୋକିବା ଉଚିତ ? ନିଶ୍ଚିତ ନୁହେଁ। ଏଆଇ ଆମ ପାଇଁ ଅନେକ ସୁଯୋଗ ଆଣିଛି। ଏହା ଜଟିଳରୁ ଜଟିଳ ସମସ୍ୟାର ସମାଧାନ, ରୋଗ ନିର୍ଣ୍ଣୟରେ ସାହାଯ୍ୟ କରୁଛି। ଆବଶ୍ୟକତା ରହିଛି ଏକ ସନ୍ତୁଳନର। ଆମକୁ ଏହି ପ୍ରଯୁକ୍ତିକୁ ବ୍ୟବହାର କରିବା ସମୟରେ ନିଜର ବିବେକ ଏବଂ ମାନବିକ ମୂଲ୍ୟବୋଧକୁ ଜାଗ୍ରତ ରଖିବାକୁ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମକୁ ଆମର ମାନବିକତାକୁ ପୁନଃ ଆବିଷ୍କାର କରିବାକୁ ହେବ। ଏହି ଯନ୍ତ୍ରଚାଳିତ ଦୁନିଆରେ, ଯେଉଁଠି ସବୁକିଛି ସ୍ୱୟଂଚାଳିତ ଏବଂ କୃତ୍ରିମ ହେବାରେ ଲାଗିଛି, ସେଠାରେ ଆମକୁ ପ୍ରକୃତ ମାନବିକ ସମ୍ପର୍କର ମହତ୍ତ୍ୱକୁ ବୁଝିବାକୁ ହେବ।
ପରସ୍ପର ସହ ସମୟ ବିତାଇବା, ମୁହାଁମୁହିଁ କଥା ହେବା ଏବଂ ପରସ୍ପରର ସୁଖଦୁଃଖକୁ ଅନୁଭବ କରିବା – ଏହି ଗୁଣଗୁଡ଼ିକ ହିଁ ଆମକୁ ମଣିଷ ଭାବରେ ପରିଚିତ କରାଏ। ଆଜି ଯେତେବେଳେ ଆମେ ଇଣ୍ଟରନେଟ୍ରେ କାହା ସହିତ କଥା ହେଉଛେ କିମ୍ବା କୌଣସି ଭିଡିଓ ଦେଖୁଛେ, ସେତେବେଳେ ଆମ ମନରେ ସ୍ୱତଃ ଏକ ପ୍ରଶ୍ନ ଉଙ୍କି ମାରୁଛି – ଆପଣ ମଣିଷ ତ? ଏହି ପ୍ରଶ୍ନଟି କେବଳ ଏକ ସାଧାରଣ ପ୍ରଶ୍ନ ନୁହେଁ, ବରଂ ଏହା ଆମ ସମୟର ଏକ ଗଭୀର ଦାର୍ଶନିକ ଦ୍ୱନ୍ଦ୍ୱର ପ୍ରତିଫଳନ। ଏହାର ଉତ୍ତର ହୁଏତ ସହଜ ନୁହେଁ, କିନ୍ତୁ ଏହି ପ୍ରଶ୍ନ ହିଁ ଆମକୁ ନିଜର ପରିଚୟ, ଆମର ସମ୍ବେଦନା ଏବଂ ଆମ ମାନବିକତାର ପ୍ରକୃତ ଅର୍ଥ ଖୋଜିବା ପାଇଁ ପ୍ରେରଣା ଯୋଗାଇବ। ଯନ୍ତ୍ର କେତେ ବି ଶକ୍ତିଶାଳୀ ହେଉନା କାହିଁକି, ତାହା ମଣିଷର ବିକଳ୍ପ ହୋଇପାରିବ ନାହିଁ। କାରଣ ମଣିଷ କେବଳ ତର୍କ ଏବଂ ତଥ୍ୟର ସମାହାର ନୁହେଁ, ବରଂ ଭାବନା, ସ୍ନେହ, କରୁଣା ଏବଂ ସୃଜନଶୀଳତାର ଏକ ଜୀବନ୍ତ ପ୍ରତିଛବି।



