ଭୁବନେଶ୍ବର : କୋଭିଡ-୧୯ ମୁକାବିଲା ପାଇଁ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍ପିଏଲ୍) ‘ମିଶନ ଜିରୋ ହଙ୍ଗର୍‘ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜେଏସ୍ପିଏଲ୍ ଓଡିଶାର ତିନି ଜିଲାରେ ତାର କାରଖାନା ଓ ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ ଆରମ୍ଭ କରି ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ।
ଜେଏସ୍ପିଏଲ୍ ଫାଉଣ୍ଡେସନ୍ ସ୍ଥାନୀୟ ଅଞ୍ଚଳରେ ଗରିବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ପ୍ରଦାନ କରିବା ସହିତ, କୋଭିଡ-୧୯ ରୋକିବା ପାଇଁ ବ୍ୟବହାର କରାଯାଉଥିବା ମାସ୍କ, ସାବୁନ, ହ୍ୟାଣ୍ଡ ୱାସ ଆଦି ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଛି। ବିଭିନ୍ନ ଶିବିର ମାଧ୍ୟମରେ ଜେଏସ୍ପିଏଲ୍ ଫାଉଣ୍ଡେସନ୍ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ଉପାୟ ସଂପର୍କରେ ଲୋକମାନଙ୍କୁ ସଚେତନ କରାଉଛି ।
କୋଭିଡ୍ – ୧୯ର ମୁକାବିଲା ପାଇଁ ସାମାଜିକ ଦୁରତା ରକ୍ଷା କରିବା, ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା, ଘରେ ରହିବାର ଆବଶ୍ୟକତା ଏବଂ ଲକ୍ ଡାଉନ୍ ନିୟମ ପାଳନ କରିବା ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି। କେନ୍ଦୁଝରର ହୋ ଆଦିବାସୀ ମାନଙ୍କୁ ଫାଉଣ୍ଡେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ହୋ ଭାଷାରେ ଏକ ସଙ୍ଗୀତ ମାଧ୍ୟମରେ ସଚେତନ କରାଯାଉଛି ।
ସୂଚନା ଅନୁଯାୟୀ, କୋଭିଡ-୧୯ର ମୁକାବିଲା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିଚାଳିତ ଜେଏସ୍ପିଏଲ୍ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କେୟାର୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜେଏସ୍ପିଏଲ୍ ତାର ସମସ୍ତ କାରଖାନା ପରିସରରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବହୁବିଧ ସୁରକ୍ଷା ଓ ପ୍ରତିଶେଧାତ୍ମକ ବ୍ୟବସ୍ଥା ମଧ୍ୟ କରିଛି ।



