www.samajalive.in
Sunday, December 14, 2025
19.1 C
Bhubaneswar

ଶିଶୁ ସୁରକ୍ଷା ସୁଦୃଢ଼ ହେଉ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରୁ ନେତ୍ରହୀନ ମହିଳାଙ୍କ କୋଳରୁ ଅପହୃତ ହୋଇଥିବା ଦେଢ଼ବର୍ଷର ଏକ ଶିଶୁପୁତ୍ରକୁ ପୁଲିସ ୪୮ ଘଣ୍ଟା ମଧ୍ୟରେ ଉଦ୍ଧାର କରି ତା’ର ମା’କୁ ଫେରାଇଛି। ଏହା ସହିତ ଅପହର୍ତ୍ତାକୁ ମଧ୍ୟ ଗିରଫ କରିଛି। ପୁଲିସ ଓ ପ୍ରଶାସନର ଏହି କାର୍ଯ୍ୟ ନିଶ୍ଚିତ ପ୍ରଶଂସାଯୋଗ୍ୟ। ଏହି ଘଟଣାରେ ଯେ ଏକ ୠାକେଟ ସମ୍ପୃକ୍ତ ତାହାର ସ୍ପଷ୍ଟ ସୂଚନା ମିଳୁଛି। ତେବେ କଥା ଏତିକିରେ ସରୁନାହିଁ। ଓଡ଼ିଶାରେ ଶିଶୁ ଓ କିଶୋର କିଶୋରୀଙ୍କ ଅପହରଣ ତଥା ନିଖୋଜ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ପୁଲିସ ଓ ପ୍ରଶାସନିକ ଉଦ୍ୟମ ସତ୍ତ୍ବେ ଏ କ୍ଷେତ୍ରରେ ସନ୍ତୋଷଜନକ ସଫଳତା ମିଳିପାରୁନାହିଁ। ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଗତ ଆଠ ମାସ ମଧ୍ୟରେ ୧୩ ହଜାର ଶିଶୁ ନିଖୋଜ ହୋଇଛନ୍ତି। ସେମାନେ ସମସ୍ତେ ରାଜଧାନୀର ସଦ୍ୟ ଅପହୃତ ତଥା ଉଦ୍ଧାର ପାଇଥିବା ଶିଶୁ ଭଳି ଭାଗ୍ୟବାନ ନୁହନ୍ତି। ରାଜଧାନୀ ହୋଇଥିବାରୁ ଏବଂ ମିଡିଆର ତୀକ୍ଷ୍‌ଣ ନଜର ଓ ସକ୍ରିୟତା ଯୋଗୁଁ ପୁଲିସ ପ୍ରଶାସନ ଶିଶୁଟିକୁ ଉଦ୍ଧାର କରିବାକୁ ଯେଉଁ ତତ୍ପରତା ଦେଖାଇଲା ତାହା ଅନ୍ୟ ଘଟଣାରେ କ୍ବଚିତ୍‌ ଦେଖିବାକୁ ମିଳେ। ‘ପିହୁ’ ନିଖୋଜ ଘଟଣା ସେଥିରୁ ଗୋଟିଏ। ଶିଶୁ, କିଶୋର, ଯୁବତୀ ଓ ମହିଳା ଅପହରଣ ଆଇନତଃ ଦଣ୍ଡନୀୟ ହେବା ସତ୍ତ୍ବେ ଏହାକୁ ରୋକିବା ସମ୍ଭବ ହେଉନାହିଁ। ବିଭିନ୍ନ କାରଣରୁ ସେମାନଙ୍କୁ ଅପହରଣ କରାଯାଇ ବିଭିନ୍ନ ପ୍ରକାର ଅମାନବୀୟ କାର୍ଯ୍ୟରେ ଲିପ୍ତ କରାଯାଏ। ଏହା ପଛରେ ଏକ ବଡ଼ ୠାକେଟ କାମ କରେ; ଯେଉଁଠି ପ୍ରଚୁର ଅର୍ଥ କାରବାର ହୋଇଥାଏ। ଏବେ ମାନବ ଅଙ୍ଗର ଡାକ୍ତରୀ ବ୍ୟବହାର ପାଇଁ ମଧ୍ୟ ଅପହରଣ ବଢ଼ୁଥିବା ଅଭିଯୋଗ ହେଉଛି। କଠୋର ଆଇନ ସତ୍ତ୍ବେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଗୁପ୍ତରେ ଏଭଳି ଅପହୃତଙ୍କ ଅଙ୍ଗ ଚୋରି କରି ତାହାକୁ ବିକ୍ରି କରୁଛନ୍ତି। ଧନାଢ଼୍ୟ ବ୍ୟକ୍ତିମାନେ ଏ ସବୁ ଅଙ୍ଗ କିଣି ନିଜର ଆବଶ୍ୟକତା ପୂରଣ କରିବାର ଘଟଣା ଲୋକଲୋଚନକୁ ଆସୁଛି। ଏହି ଘଟଣାରେ ଗରିବ, ଅସହାୟ, ଅସୁବିଧାରେ ପଡ଼ିଥିବା ଲୋକ, ବସ୍ତି ଅଞ୍ଚଳର ବାସିନ୍ଦା ଓ ଭିକାରି ଆଦି ଅପହରଣକାରୀଙ୍କ ସହଜ ଶିକାର ହୋଇଥାନ୍ତି। ବିଭିନ୍ନ ହସପିଟାଲରୁ ମଧ୍ୟ ନବଜାତଙ୍କୁ ଅତ୍ୟନ୍ତ ଚତୁରତାର ସହ ହରଣଚାଲ କରାଯାଉଛି। ଆହୁରି ମଧ୍ୟ ଯେଉଁଠି ସାମାଜିକ ସୁରକ୍ଷା ଓ ଗୋଷ୍ଠୀଗତ ନଜରର ଅଭାବ ଥାଏ ସେଠାରେ ଏଭଳି ଘଟଣା ଅଧିକ ଘଟୁଛି।
ଆମର କଠୋର ଆଇନ ରହିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ପୁଲିସ ଓ ଚାଇଲ୍‌ଡ ଲାଇନ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଭଲ କାମ କରୁଛନ୍ତି। ତେବେ ସେମାନେ ସବୁବେଳେ ସବୁ ସ୍ଥାନରେ ଏହି ଅସହାୟ ଓ ଦୁର୍ବଳବର୍ଗଙ୍କ ସୁରକ୍ଷା ପାଇଁ ରହିପାରିବେ ନାହିଁ କିମ୍ବା ସେମାନଙ୍କୁ ସୁରକ୍ଷା ଯୋଗାଇ ପାରିବେନି। ଏହା ସତ୍ୟ ଯେ ଗ୍ରାମାଞ୍ଚଳରେ ଶିଶୁ ଓ ମହିଳା ଅପହରଣ ସଂଖ୍ୟା କମ୍‌। ତେଣୁ ସହରାଞ୍ଚଳର ବସ୍ତି ଅଞ୍ଚଳ, ହସପିଟାଲ ଓ ନିରାଶ୍ରୟମାନେ ରହୁଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଆବଶ୍ୟକ। ସେମାନଙ୍କ ଉପରେ ସିସିଟିଭି ନଜର ରହିଲେ ଅପହରଣ ଓ ଅନ୍ୟାନ୍ୟ ଅପରାଧକୁ ସହଜରେ ଠାବ କରାଯାଇପାରିବ। ଆଇନ ଏଭଳି ସବୁ ଅପରାଧକୁ ଏକା ରୋକିପାରିବ ନାହିଁ। ଏଥିପାଇଁ ସାମାଜିକ ସଚେତନତା ଓ ନଜରର ଗୁରୁତ୍ବ ଅଧିକ। ସଂଯୋଗକ୍ରମେ ଦେଶରେ ହସପିଟାଲରୁ ନବଜାତଙ୍କ ଅପହରଣ ଘଟଣା ବୃଦ୍ଧି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ସୋମବାର ଏକ ରାୟ ଦେଇ କହିଛନ୍ତି ଯେ ରାଜ୍ୟ ସରକାରମାନେ ଏଥିପାଇଁ ଅତି କଠୋର ଆଇନ ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସୁନିଶ୍ଚିତ କରନ୍ତୁ। ଆଶା କରିବା ଆମ ରାଜ୍ୟ ସରକାର ଏ ଦିଗରେ ତତ୍ପରତା ଦେଖାଇବେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories