କୂଳ ଲଂଘିଲା ବୈତରଣୀ

0

.-ବନ୍ୟାଜଳ ଜନବସତି ମୁହାଁ

.-୨୦ନଂ ଜାତୀୟ ରାଜପଥରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

.-ଆଖଣ୍ଡଳମଣି-ଯାଜପୁର ରାସ୍ତା ବିଛିନ୍ନ

.-ବୋଡକ, ଶୀତଳପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ

.-୨ଦିନ ହେଲା ନଈକୂଳିଆ ଲୋକ ଉଜାଗର

.-ପିଇବା ପାଣି ପାଇଁ ଯିବାକୁ ପଡୁଛି ୧କିମି

ଆରଡି: ବୈତରଣୀ ନଦୀର ଉପରମୁଣ୍ଡରେ ଅର୍ଥାତ ଆଖୁପଦା ଆନିକଟ ନିକଟରେ ଜଳସ୍ତର ସାମନ୍ୟ କମି ଥିଲେ ମଧ୍ୟ ତଳ ମୁଣ୍ଡରେ ଅର୍ଥାତ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହଉଥିବା ବୈତରଣୀ ଉଗ୍ରରୂପ ନେବା ସହ କୂଳ ଲଂଘି  ଜନବସତି ଆଡକୁ ବନ୍ୟାଜଳ ଦୃତଗତିରେ ମାଡିବାରେ ଲାଗିଛି। ଫଳରେ ଓଳଗ ପଞ୍ଚାୟତର ବୋଡକ ଗାଁ ସହ ଆରଡି ପଞ୍ଚାୟତର ଶୀତଳପୁର ଗାଁ ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।ତାହାସହ ଆଖଣ୍ଡଳମଣି-ଯାଜପୁର ୨୦ନଂ ଜାତୀୟ ରାଜପଥର ବୋଡକ ଓ ସାଠିବାଙ୍କୁଡା ନିକଟରେ ପ୍ରାୟ ଦେଢକିମି ରାସ୍ତାରେ ବନ୍ୟାଜଳ ୨/୩ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଥିବାରୁ  ଉଭୟ ପର୍ଯ୍ୟଟନସ୍ଥଳ  ସହ କଟକ, ଭୂବନେଶ୍ୱର, ପୁରୀ ଆଦି ସ୍ଥାନକୁ ଯାତାୟତ ଠପ୍ ହୋଇଯାଇଛି। ଏପରିକି ଆରଡିପୀଠର ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ଶତାଧିକ ଯାତ୍ରୀ ପୀଠକୁ ନଆସି ଫେରି ଯାଇଥିଲେ। ଏଥିସହ ଉଭୟ ପାଶ୍ୱର୍ରେ ବହୁ ଗାଡି ଅଟକି ରହିଥିଲା। ସେହିପରି ଆରଡି-ମତୋ ଓ ଚାନ୍ଦବାଲି ରାସ୍ତାର ବିଭିନ୍ନ ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୮/୧୦ଖଣ୍ଡ ଗାଁ ବିଛିନ୍ନ ହୋଇଯାଇଥିବା ବେଳେ ଯାତାୟତ ଠପ୍ ହୋଇଯାଇଛି। ଫଳରେ ବିଭିନ୍ନ କାମ   ପାଇଁ ଲୋକମାନେ ଦେଶି ଡଙ୍ଗା ଓ ଭେଳା ଦ୍ୱାରା ଯାତାୟତ କରୁଛନ୍ତି। ଶନିବାର ବୈତରଣୀ ନଦୀର ତଳମୁଣ୍ଡରେ ଜଳସ୍ତର ଏପରି ବୃଦ୍ଧି ପାଇଥିଲା ଭୟରେ ଛାତ୍ରଛାତ୍ରୀମାନେ ସ୍କୁଲୁ କଲେଜ ଯାଇନଥିଲେ। ଅପରାହ୍ଣ ସୁଧା ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ସଂଧ୍ୟା ସୁଧା ବିଭିନ୍ନ ଗାଁକୁ ବନ୍ୟାଜଳ ପ୍ରବେଶ କରିବ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ବିଶେଷକରି ବୈତରଣୀ ନଦୀର ପ୍ରାୟ ୨/୩ଟି  ସ୍ଥାନରେ ନଦୀବନ୍ଧ ଅତନ୍ତ୍ୟ ଦୃବଳ ଥିବାରୁ ୨ଦିନ ହେଲା ନଈକୂଳିଆ ଲୋକମାନେ ରାତ୍ର ଉଜାଗର ରହି ନଦୀବନ୍ଧ ଜଗି ବସିଛନ୍ତି। ଅନ୍ୟପଟେ ଏହି ୪ଟି ପଞ୍ଚାୟତର ଶହଶହ ଚାଷୀମାନଙ୍କର ସାରଦ ଧାନ ସମ୍ପୁଣ୍ଣ ଉଜୁଡିଯିବ ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି। ବୋଡକ, ସାଠିବାଙ୍କୁଡା, ଅମୃତମଣୀ, ଶୀତଳପୁର ଆଦି ଗାଁର ତଳିଆ  ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଳକୂପ ଓ ଉଠାସେଚ ପଏଣ୍ଟ ବୁଡି ଯାଇଥିବାରୁ ପାନୀୟଜଳ ମୁନ୍ଦାଏ ପାଇଁ  ପ୍ରାୟ ୧କିମି ବନ୍ୟାଜଳରେ ପଶି ପାଣି ଆଣୁଛନ୍ତି। ଚଳିତ ବନ୍ୟାରେ ୪ଟି ପଞ୍ଚାୟତର ମୁଆଁ, ସନ୍ତରା, ଦୋହରାପାଟଣା, ସୁନ୍ଦରପୁର, ଚମ୍ପାସାହି, ପାରଡିଆ, ଖଟୁଆପାଟଣା, କୁଳେଇପଦା, ଓଳଗ, ପହଣା ଆଦି ପାଖାପାଖି ୨୪କଣ୍ଡ ଗାଁ ପ୍ରବାହିତ ହେବା ସହ ଜନଜୀବନ ଠପ୍ ହୋଇଯାଇଛି। ଏପରି ଖବର ପାଇ ଚାନ୍ଦବାଲି ତହସିଲିଦାର, ବିଡିଓଙ୍କ ସହ ଜନ ପ୍ରତିନଧି ଅଜୟ ନାୟକ ପ୍ରମୁଖ ବନ୍ୟାଞ୍ଚଳ ବୁଲି ଦେଖିଥିଲେ।

Leave A Reply