କେବେ ଦୂର ହେବ ମୟୂରଭଞ୍ଜବାସୀଙ୍କ ଜଳକଷ୍ଟ; ୬୪ % ଗାଁକୁ ନାହିଁ ପାଇପ ପାଣି, ଅଧିକାଂଶ ନଳକୂପ ଖରାପ
ବାରିପଦା: ଆୟତନ ଦୃଷ୍ଟିରୁ ଓଡ଼ିଶାର ସର୍ବ ବୃହତ୍ ତଥା ଆଦିବାସୀ ଅଧ୍ୟୁଷିତ ଜିଲା, ମୟୂରଭଞ୍ଜର ବିକାଶ ପାଇଁ ସରକାର ବିଭିନ୍ନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଲୋକେ ସରକାରୀ ଯୋଜନାର ସୁଫଳ ପାଇପାରି ନାହାନ୍ତି। ଏ ଯାଏ ଜିଲାର ମାତ୍ର ୩୬ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ସୁବିଧା ରହିଛି। ଫଳରେ ଜନସଂଖ୍ୟାର ବୃହତ୍ ଭାଗ, ୬୪ ପ୍ରତିଶତ ଲୋକ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟ ପକ୍ଷରେ ଜିଲାର ବିସ୍ତୃତ ଅଞ୍ଚଳ ପାହାଡ଼ିଆ ଏବଂ ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଜଳ ସଙ୍କଟ ଉତ୍କଟ ହୋଇଥାଏ। ସେହିପରି ଅଧିକାଂଶ ନଳକୂପ ଖରାପ ରହୁଥିବାରୁ ସଂପୃକ୍ତ ଅଞ୍ଚଳର ଲୋକ ପାନୀୟ ଜଳ ପାଇଁ ନଈ, ଝରଣା ଓ ପୋଖରୀ ଉପରେ ନିର୍ଭର କରିଥାନ୍ତି। ଏ ପରିପ୍ରେକ୍ଷୀରେ ସବୁ ଗାଁ ପାଇଁ ପାଇପ ପାଣି ପ୍ରକଳ୍ପର ବ୍ୟବସ୍ଥା କରାଯିବା ଜରୁରୀ।
ଜିଲାର ସମୁଦାୟ ୩ ହଜାର ୭୩୮ ରାଜସ୍ୱ ଗ୍ରାମ ମଧ୍ୟରୁ କେବଳ ୮୬୪ ଗ୍ରାମକୁ ପାଇପ ଜଳ ଯୋଗାଣ ହେଉଥିବା ଜଣାଯାଇଛି। ଫଳରେ ଏ ପର୍ଯ୍ୟନ୍ତ ଜିଲାର ୨ ହଜାର ୮୭୪ଟି ଗ୍ରାମ, ଅର୍ଥାତ୍ ୬୪ ଶତାଂଶ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଉପଲବଧ ହୋଇପାରିଲା ନାହିଁ। ଜିଲାର ୨୬ଟି ବ୍ଲକ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ବ୍ଲକର ମୃତ୍ତିକା ସ୍ତର କେଓଲିନ (ଚିକିଟା) ଓ ପଥୁରିଆ। ଏଣୁ ଜିଲାର ବିଭିନ୍ନ ବ୍ଲକରେ ୪୩ ହଜାର ୨୪୮ଟି ନଳ କୂପ ରହିଥିଲେ ମଧ୍ୟ ଏସବୁ ନଳକୂପ ମଧ୍ୟରୁ ଅର୍ଦ୍ଧାଧିକ ନଳକୂପରେ ପାଣି ବାହାରୁନାହିଁ। ଖରାଦିନେ ଭୂତଳ ଜଳସ୍ତର ହ୍ରାସ ଏହା ଅନ୍ୟତମ ପ୍ରମୁଖ କାରଣ। ସେହିପରି ଗ୍ରାମାଞ୍ଚଳରେ ନିୟମିତ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଏହି ପ୍ରକଳ୍ପଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ କେତେକ ପ୍ରକଳ୍ପ ସୌରଶକ୍ତି ଦ୍ୱାରା ପରି·ଳିତ ହେଉଥିବା କୁହାଯାଉଥିଲେ ମଧ୍ୟ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏ ବ୍ୟବସ୍ଥା ମଧ୍ୟ ଫଳପ୍ରଦ ହେଉ ନାହିଁ। ଏହା ବ୍ୟତୀତ ଭୂତଳ ଜଳସ୍ତର ହ୍ରାସ ହେଉଥିବାରୁ ଏହି ପ୍ରକଳ୍ପଗୁଡ଼ିକ ଥାଇ ମଧ୍ୟ ବିଭିନ୍ନ ସମୟରେ ଅଦରକାରୀ ହୋଇ ପଡୁଛି। ବିଶେଷତଃ ଖରାଦିନେ ଏହି ପ୍ରକଳ୍ପଗୁଡ଼ିକ ସାଧାରଣ ଲୋକଙ୍କ କାମରେ ଆସୁ ନାହିଁ।
ଜିଲାରେ କାର୍ଯ୍ୟକାରୀ ହେଉଥିବା ମୋଟ ୭୪୩ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ବାରିପଦା ସଦର, କପ୍ତିପଦା ଉପଖଣ୍ଡର ୧୪ଟି ବ୍ଲକରେ ୩୬୬ ଏବଂ ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡର ୧୨ଟି ବ୍ଲକରେ ୩୭୭ଟି ପ୍ରକଳ୍ପ କାର୍ଯ୍ୟ କରୁଛି। ତେବେ ବାରିପଦା ଓ କପ୍ତିପଦା, ଦୁଇ ଉପଖଣ୍ଡର ସମୁଦାୟ ୨୪୯ଟି ପଞ୍ଚାୟତର ୨ ହଜାର ୨୬୦ଟି ଗ୍ରାମ ମଧ୍ୟରୁ ୪୨୪ଟି ଗ୍ରାମ, ଅର୍ଥାତ୍ ଏକ ପଞ୍ଚମାଂଶ ଗ୍ରାମକୁ ଏବଂ ବାମନଘାଟୀ ଓ ପାଞ୍ଚପୀଢ, ଦୁଇ ଉପଖଣ୍ଡର ସମୁଦାୟ ୧୫୫ଟି ପଞ୍ଚାୟତର ୧ ହଜାର ୪୭୮ଟି ଗ୍ରାମ ମଧ୍ୟରୁ ମାତ୍ର ୪୪୦ଟି ଗ୍ରାମ, ଅର୍ଥାତ୍ ଏକ ତୃତୀୟାଂଶରୁ କମ୍ ସଂଖ୍ୟକ ଗ୍ରାମକୁ ପାଇପ ଜଳ ଯୋଗାଣ ହେଉଥିବା ପ୍ରକାଶ। ଫଳରେ ଅଧିକାଂଶ ଅଞ୍ଚଳର ଲୋକ ପାନୀୟ ଜଳ ସଂଗ୍ରହ କ୍ଷେତ୍ରରେ ସମସ୍ୟାକୁ ସାମ୍ନା କରୁଛନ୍ତି। ଲୋକେ ନିକଟସ୍ଥ ନଦୀରେ ଚୁଆ ଖୋଳି ବା ଝରଣାରୁ ପାଣି ସଂଗ୍ରହ କରୁଛନ୍ତି। ପୋଖରୀ ବା ବନ୍ଧରୁ ମଧ୍ୟ ପାଣି ନେଉଛନ୍ତି। ପାହାଡ଼ ତଳି ଓ ବଣ ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଲୋକେ ବିଶେଷ ଭାବେ ବେଶି ହଇରାଣ ହେଉଛନ୍ତି। ପାଇପ ଓ ନଳକୂପ ପାଣି ଅଭାବରେ ଲୋକେ ଅନ୍ୟ ସ୍ଥାନର ଦୂଷିତ ଜଳ ପିଉଥିବାରୁ ରୋଗଗ୍ରସ୍ତ ହେଉଛନ୍ତି। ତେବେ ଜିଲାରେ କେତେକ ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ସାରସକଣା ବ୍ଲକ ପାଇଁ ସୁବର୍ଣ୍ଣରେଖା ନଦୀରେ ୨୬ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଗୋପବନ୍ଧୁନଗର ବ୍ଳକରେ ସୋନ ନଦୀରୁ ପାଣି ଯୋଗାଣ ପାଇଁ ୬୪ କୋଟି ଟଙ୍କା ବ୍ୟୟରେ ଜୟପୁର, ସାଇଁକୁଳା, କୁଶଳଦା, ପୁରୁଣାବାରିପଦା, କୁଆମରା, ଆରପଟା ଓ ବୁରୁଡିହି ଭଳି ୭ଟି ପଞ୍ଚାୟତକୁ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଶାମାଖୁଣ୍ଟା ବ୍ଲକର ୧୪ଟି ପଞ୍ଚାୟତ ଓ ବାରିପଦା ବ୍ଲକର ୧୧ ପଞ୍ଚାୟତ ପାଇଁ ୧୯୦ କୋଟି ୧୮ଲକ୍ଷ ଟଙ୍କା ବ୍ୟୟରେ ବୁଢ଼ାବଳଙ୍ଗ ନଦୀରୁ ଜଳ ଯୋଗାଣର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ରାଇରଙ୍ଗପୁର ବ୍ଲକ ପାଇଁ ଖଡ଼ଖାଇ ନଦୀରୋ ୧୯୩.୭୩ କୋଟି ଟଙ୍କା, ସୁଲେଇପାଟ ନଦୀବନ୍ଧରେ କୁସୁମୀ ବ୍ଲକ ପାଇଁ ୨୦୬.୫୧ କୋଟି ଟଙ୍କା ଓ ଯଶିପୁର ବ୍ଲକ ପାଇଁ ଖଇରୀଭଣ୍ଡନ ନଦୀରେ ୨୩୬.୨୭ କୋଟି ଟଙ୍କା ବ୍ୟୟବରାଦରେ ବୃହତ୍ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏହିସବୁ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ନିଶ୍ଚିତତା ନାହିଁ। ତେବେ ଏହିସବୁ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବା ସହ ଜିଲାର ସବୁ ଗାଁରେ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି।
Comments are closed.