ବରପାଲି: ବରପାଲି ଅଚଂଳର ଚାଷୀକୂଳ ଚକଡ଼ା ପୋକ ଓ କାଣ୍ଡବିନ୍ଧା ରୋଗ ଦାଉରୁୁ ସର୍ବସ୍ୱାନ୍ତ ହୋଇ ହତୋତ୍ସାହିତ ହୋଇ ପଡିଛନ୍ତି। ଚାଷୀ ରୋଗପୋକ ଦାଉରୁ ନିଜ ଚାଷକୁ ବଞ୍ଚାଇବାକୁ ଯାଇ ବିଭିନ୍ନ ଚେଷ୍ଠା ଜାରି ରଖିଥିଲେ ସୁଦ୍ଧା ସେପରି କୌଣଷି ସୁଫଳ ମିଳି ପାରୁନଥିବା ଅଭିଯୋଗମାନ କୃଷି ବିଭାଗରେ ବାରମ୍ବାର ପହଞ୍ଚିବାରେ ଲାଗିଛି। ବର୍ତ୍ତମାନ ଚାଷୀ ହଜାର ହଜାର ଟଙ୍କା ଦେଇ ବଜାରରୁ କିଟନାଶକ ଔଷଧ କିଣି ପ୍ରୟୋଗ କଲାପରେ ମଧ୍ୟ ପରିସ୍ଥିତି ଆହୁରି ଗମ୍ଭିର ରୂପ ଧାରଣ କରୁଥିବା ଦେଖାଯାଉଛି। ବର୍ତ୍ତମାନ କୋଭିଡ଼ କଟକଣା ବଳବତ୍ତର ରହିଥିବା ସମୟରେ କୌଣଷି ବାବୁ କିମ୍ବା କୃଷି ବିଭାଗିୟ କାର୍ଯ୍ୟକର୍ତ୍ତାଙ୍କ ଦେଖା ନମିଳିବାରୁ ବାଧ୍ୟ ହୋଇ ଚୁପଚାପ ରହିଛନ୍ତି।
ଅଚଂଳର ବାରଙ୍ଗପାଲି, କୁମ୍ବାରୀ, ରେମତା, ପାଟକୁଲୁଣ୍ଡା, ତୁଲଣ୍ଢି, ବଜୟପଲ୍ଲୀ, ସିକିର୍ଡ଼ି, ସତଲମା, ବିଶିପାଲି, ମହଦା, କତୁରକଁଟା, ବୁରୋମୁଣ୍ଡା, ଲେଣ୍ଡା, କଦଲିପାଲି, ଖେମେସର ଭଟିଗାଁ ପ୍ରଭୁତି ଗ୍ରାମର ଚାଷୀ ଦୁର୍ଦଶା ଭୋଗ କରୁଛନ୍ତି। ଭାଗଚାଷୀ ମାନେ ଏକର ଏକର ଚାଷ ଜମିରେ ବହୁ ଆଶା ଓ ଯୋଜନା ପ୍ରସ୍ତୁତ କରି ଚାଷ କରିଥିଲେ। ହେଲେ ବର୍ତ୍ତମାନ ମୁଣ୍ଡରେ ହାତଦେଇ ପରିବାର ସହିତ ଦୁଖଃରେ ଭାଙ୍ଗି ପଡ଼ିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଚାଷୀ ପହ୍ଲାଘାରିରେ ବଜାରରୁ ମୋଟା ଦାମରେ ବିହନ କିଣି ପ୍ରସ୍ତୁତ ପହ୍ଲା ଘାରିରେ ଧାନ ବୁଣିଥିଲେ। ଆବଶ୍ୟକ ଅନୁସାରେ ବିଭିନ୍ନ ସମୟରେ ରସାୟନିକ ସାର ଓ ସମୟ ଅନୁୁଯାୟୀ ଭିନ୍ନଭିନ୍ନ ସମୟରେ ରାସାୟନିକ ଓ ଜୈବିକ ସାର ସହ କିଟନାଶକ ଔଷଧ ମଧ୍ୟ ବ୍ୟବହାରରେ ଆଣିଥିଲେ। ହେଲେ ଗତ ଏପ୍ରିଲ ମାସରେ ଧାନପିଲ ବାହାରୁ ଥିବା ବେଳେ ପ୍ରଥମେ କାଣ୍ଡବିନ୍ଧା ପୋକ ଦାଉ ସାଧିଥିଲା। ସେ ଦାଉରୁ ସଠିକ ଭାବେ ମୁକ୍ତି ମିଳିନଥିବା ବେଳେ ଧାନଗଛ ଉପରେ ଚକଡ଼ା ଓ ଗୁଣ୍ଡିପୋକର ପ୍ରର୍ଦୁଭାବ ଆରମ୍ଭ ହୋଇଗଲା।
ଅନ୍ୟ ଉପାୟ ନପାଇ ବିଶେଷଜ୍ଞମାନଙ୍କ ସହ ଯୋଗାଯୋଗ ମାଧ୍ୟମରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ରୋଗ କମିବା ପରିବର୍ତ୍ତେ ପୋକଙ୍କ ଦାଉ କ୍ଷିପ୍ର ଗତିରେ ବୃଦ୍ଧିପାଇବାରେ ଲାଗିବା ସହ ସମଗ୍ର ଧାନ କିଆରିକୁ ପ୍ରଭାବିତ ହୋଇଥିବା ଦେଖାଯାଉଛି। ବର୍ତ୍ତମାନ ଗଛରୁ ବାହାରି ଥିବା ଧାନପିଲ ପାଚିବା ସହ ଅମଳ ସମୟ ଦ୍ୱାର ମୁହଁରେ ପହଞ୍ଚଯାଇଛି। ହେଲେ ଜମିରେ ଧାନଗଛ ଠାଆକୁ ଠାଆ ଶୁଖି ଭ୍ରମ ସୃଷ୍ଟି କରୁଥିବା ବେଳେ ଚାଷୀ ପରିବାର ଲୋକଙ୍କୁ ଦାରୁଣ ଆଘାତ ଦେଉଛି। ଚାଷୀଙ୍କ କହିବାନୁଯାୟୀ ରୋଗର ପ୍ରତିରୋଧ ନିମନ୍ତେ ଡ଼ାଇକ୍ଲୋଭସ, ଲାମାଡ଼ା, ଓପୋ.୪ଜି, ବାମ, ଧନ, ଓନିୟନ, କ୍ଲିଷ୍ଟ ପ୍ରଭୁତି କିଟନାଶକ ଉଚିତ ସମୟରେ ସିଞ୍ଚନ କରାଯାଇଥିଲା। ସମସ୍ୟାର ଦୁରିକରଣ ପାଇଁ ବାରାମ୍ବାର କୃଷି ବିଭାଗର ଦ୍ୱାରସ୍ଥ ହେଲେ ମଧ୍ୟ କୌଣଷି ପ୍ରତିକାରର ରାସ୍ତା ମିଳୁନଥିବା ଚାଷୀମାନେ ଅଭିଯୋଗ ଆଣିଥିଲେ।



