ମରଣ ଯନ୍ତା ପାଲଟିଛି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟରାସ୍ତା
ବାଙ୍କୀ : ବାଙ୍କୀ ପୂର୍ତ୍ତ ବିଭାଗ ଅଧିନରେ ଥିବା ବାଙ୍କୀ ତୁଳସୀପୁର ରାସ୍ତା ଦୀର୍ଘ ଦିନ ଧରି ଆଣ୍ଠୁଏ ଖାଲଖମାରେ ଭର୍ତ୍ତି ହୋଇଛି। ଅଂଚଳବାସୀଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଅବସ୍ଥାର ସୁଧାର ନଆସିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଚଳିତ ସପ୍ତାହର ବର୍ଷାରେ ରାସ୍ତାଟି ଅଧିକ ବିପଦପୂର୍ଣ୍ଣ ହୋଇଛି। ପଥଚାରୀ ଓ ୨ ଚକିଆ ଠାରୁ ୪ଚକିଆ ଯାନ ପର୍ଯ୍ୟନ୍ତ ଯିବା ଆସିବାରେ ପ୍ରତିବନ୍ଧକ ଆସିଛି। ବୁଦ୍ଧିଜୀବୀଙ୍କ ସୂଚନାକ୍ରମରେ ଦୀର୍ଘ ଦିନ ଧରି ବାଙ୍କୀ-ଖୋର୍ଦ୍ଧା ସଂଯୋଗୀ ମୁଖ୍ୟ ରାସ୍ତାଟି ଜନସାଧାରଣଙ୍କ ପାଇଁ ମରଣ ଯନ୍ତା ପାଲଟିଛି।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ତଳେ ତୁଳସୀପୁରଠାରୁ ବାଙ୍କୀ ପର୍ଯ୍ୟନ୍ତ ରାସ୍ତାଟିର ପ୍ରଶସ୍ତୀକରଣ ଓ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଂଚଳବାସୀଙ୍କୁ ସନ୍ତୋଷ ଦେବାରେ କାର୍ଯ୍ୟଟି ସକ୍ଷମ ହୋଇନାହିଁ। ଠିକାଦାର ସଂସ୍ଥା କାର୍ଯ୍ୟଟି ପ୍ରତି ଆଗ୍ରହ ନଥିଲା ପରି ମନେ ହେଉଥିବା ସମ୍ପର୍କରେ ବୁଦ୍ଧିଜୀବୀମାନେ କହିଛନ୍ତି। ଚଳିତ ବର୍ଷାରେ ଅଧିକ ଖାଲଖମା ହେତୁ ବିପଦଜନକ ରାସ୍ତାକୁ ସାମୁହିକ ଭାବରେ ମରାମତି କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଜନସାଧାରଣ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି। ବ୍ୟବସ୍ଥା ଗ୍ରହଣ ନକରାଗଲେ ସ୍ଥାନୀୟ ଅଂଚଳବାସୀ ମୁଖ୍ୟ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି। ଏହି ରାସ୍ତାର ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ମଙ୍ଗଳବାର ଦିନ ଜିଲ୍ଲା କାର୍ଯ୍ୟାଳୟରେ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବର୍ଷା ଛାଡିବାର ୨ ଦିନ ମଧ୍ୟରେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ରାସ୍ତାର ଖାଲଖମାରେ ମେଣ୍ଟାଲ, ମୋରମ ଓ ଡଷ୍ଟ ପକାଇ ସାମୁହିକ ବର୍ଷା ଦିନିଆ ରାସ୍ତା ପାଇଁ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇ ବର୍ଷା ଶେଷରେ ବାଙ୍କୀ-ଖୋର୍ଦ୍ଧା ରାସ୍ତାର ତୁଳସୀପୁର ପର୍ଯ୍ୟନ୍ତ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା କହିଛନ୍ତି।
Comments are closed.