ବନ୍ୟା ଧୋଇନେଲା ପରିବା ଚାଷ, ଚାଷୀ ହତାସ
ବାଙ୍କୀ: ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ବର୍ଷର ବିଭିନ୍ନ ସମୟରେ ପ୍ରକୃତିକ ବିପର୍ଯ୍ୟୟ ଘଟି ଚାଷ ଓ ବାସକୁ ପ୍ରଭାବିତ କରୁଛି। ଗୋଟିଏ ବିପର୍ଯ୍ୟୟର କ୍ଷତି ଭରଣା ପାଇଁ କଠିକ ପରିଶ୍ରମ କରି ଚାଷୀ ଉଠୁଥିଲା ବେଳେ ଅନ୍ୟ ଏକ ବର୍ଷା,ବନ୍ୟା ଓ ବାତ୍ୟା ଚାଷୀର ଅଣ୍ଟା ଭାଙ୍ଗୁଛି। ସଳଖି ଛିଡାହେଇପାରୁନାହିଁ ଚାଷୀ। ଧାନ ଓ ପରିବା ଚାଷରେ କ୍ଷାତି ରହିଥିବା ବାଙ୍କୀର ଚାଷୀ ଏବେ ମହାନଦୀର ବନ୍ୟା ପରିସ୍ଥିତିରେ ବ୍ୟାପକ କ୍ଷତି ସହିଛି। ହଜାର ହଜାର ହେକ୍ଟର ଖରିପ୍ ଧାନରେ ପାଣି ମାଡିଥିଲା ବେଳେ ପରିବା ଚାଷ ବାଦ୍ ପଡିନାହିଁ। ବାଙ୍କୀ ଅଞ୍ଚଳର ଢିପ ଓ ପାହାଡିଆ ଅଞ୍ଚଳ କରାଯାଇଥିବା ପରିବା ଚାଷ ପ୍ରବଳ ବର୍ଷାରେ ନଷ୍ଟ ହୋଇଯାଇଥିଲା ବେଳେ ଅଗଷ୍ଟ ୧୫ତାରିଖରୁ ମହାନଦୀର ବନ୍ୟା ପରିସ୍ଥିତି ୫ଦିନ ବ୍ୟାପୀ ପ୍ରାୟ ୩୧ପଞ୍ଚାୟତର ୮୪ଗ୍ରାମକୁ ଜଳମଗ୍ନ କରିଛି। ପ୍ରଭାବରେ ଡମପଡା ବ୍ଲକର ପରିବା ଉତ୍ପାଦନ ତଥା ତରକାରୀ ହାଣ୍ଡିର ଗାଁ କୁହାଯାଉଥିବା କୁଶପଙ୍ଗି ପଞ୍ଚାୟତର ଘାସିପୁଟ୍ଟ, ନିସ୍ତିପୁର, ଇନ୍ଦୁମତିପାଟଣା, କୁଶପଙ୍ଗି, ପାଥପୁର ପଞ୍ଚାୟତର ପାଥପୁର, ଅମରେନ୍ଦ୍ରପୁର, ଚାରିଘେରିଆ, ତଳପାଥପୁର, ଚକୁଳେଶ୍ୱର, ମୁରାରିପୁର, କାଳିକାପ୍ରସାଦ, କଇଁମୁଣ୍ଡି ଆଦି ଗ୍ରାମ ଏବଂ ବାଙ୍କୀ ବ୍ଲକର ଓସ୍ତିଆ, ବିଷ୍ଣୁପୁର, ସହଗାଁ ଗୋପାଳପୁର, ବନ୍ଦାଳ ଆଦି ଗ୍ରାମରେ ବ୍ୟାପକ ବନ୍ୟାଜଳ ପନିପରିବା ଫସଲକୁ ବୁଡାଇ ରଖିଥିବାରୁ ପନିପରିବା ଚାଷ ସମ୍ପୂର୍ଣ୍ଣ ଧୋଇ ନଷ୍ଟ ହୋଇଛି। ଚଳିତ ବନ୍ୟା ପରିପରିବା ଫସଲ ଧୋଇନେଲା ପରେ ଚାଷୀ କରଜ ସୁଝା ନେଇ ଚିନ୍ତାରେ ପଡିଛି। ବନ୍ୟା ଛାଡିଲା ପରେ ଚାଷୀମାନଙ୍କୁ ଫସଲ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ସହିତ ବିହନ ସାର ଔଷଧ ଯୋଗାଇ ଦେବାପାଇଁ ଚାଷୀ ମାନେ ଦାବୀ ଜଣାଇଛନ୍ତି। ସୂଚନା ଅନୁଯାୟୀ ବାଙ୍କୀ ଉପଖଣ୍ଡରେ ପ୍ରାୟ ୪ହଜାର ହେକ୍ଟର ପରିବା ଚାଷ ଧୋଇ ହୋଇଥିବା ଜଣାପଡିଛି।
Comments are closed.