ମା’ ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ
ବାଣପୁର : ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଦୁର୍ଗୋତ୍ସବ। ରାଜ୍ୟର ଅନ୍ୟାନ୍ୟ ଶକ୍ତିପୀଠ ଠାରୁ ବାଣପୁର ଭଗବତୀଙ୍କ ନିକଟରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗୋତ୍ସବ। ଦୁର୍ଗୋତ୍ସବର ପ୍ରାୟ ୬ମାସ ପୂର୍ବରୁ ପୀଠରେ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ମା’ ଭଗବତୀଙ୍କ ଷୋଡଶଦିନ ବ୍ୟାପୀ ଶାରଦୀୟ ପୂଜାରେ ଯୋଗ ଦେବା ପାଇଁ ମା’ ଭଗବତୀ ନିଜର ୬ ଭଉଣୀଙ୍କ ମଧ୍ୟରୁ ଚୈତ୍ର କୃଷ୍ଣ ଅଶୋକାଷ୍ଟମୀରେ ଦକ୍ଷିଣଦିଗ ବାସିନୀ ଭାଲେରୀ ପାହାଡସ୍ଥିତ ମାଆ ନାରାୟଣୀଙ୍କୁ ନିମନ୍ତ୍ରଣ ଜଣାଇଥିବା ବେଳେ ପଣା ସଂକ୍ରାନ୍ତି ଦିନ ଉତ୍ତର ଦିଗ ଧାରିଣୀ ସୋଲରୀ ପାହାଡରେ ଥିବା ମା’ ସିଦ୍ଧାମ୍ବରୀଙ୍କୁ, ଲଳିତା ସପ୍ତମୀରେ ମା’ କାଳିଜାଈଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଶ୍ୱିନ ଅମାବାସ୍ୟା ଦିନ ପଶ୍ଚିମ ଦିଗ ରକ୍ଷାକାରିଣୀ ମା’ ବିରଜାଈଙ୍କୁ ବାଣପୁର ବଜାରରେ ଦୁର୍ଗୋତ୍ସବ ପାଇଁ ନିମନ୍ତ୍ରଣ କରିଥାନ୍ତି । ମା’ଙ୍କ ଅନ୍ୟ ଦୁଇ ଭଉଣୀ ଭଗବତୀ ମନ୍ଦିରରେ ବିଜେ କରିଛନ୍ତି । ଷୋଡଶ ଦିନ ବ୍ୟାପୀ ଅନୁଷ୍ଠିତ ଦୁର୍ଗୋତ୍ସବ ମା’ଙ୍କ ପୀଠରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ। ଆଶ୍ୱିନ କୃଷ୍ଣ ପକ୍ଷ ଅଷ୍ଟମୀରେ ସହସ୍ରକୁମ୍ଭ ବରଣ ପରେ ଆରମ୍ଭ ହୁଏ ଷୋଡଶ ଦୁର୍ଗୋତ୍ସବ ।
ଏହାର ପ୍ରଥମ ଆଠଦିନ ମହାଳୟା ଅମାବ୍ୟାସା ଯାଏଁ ମା’ଙ୍କ ମୁଖ୍ୟ ମନ୍ଦିରରେ ଭିତର ପର୍ବ ଓ ମହାନବମୀ ଯାଏଁ ବଜାର ମଧ୍ୟରେ ଥିବା ସାତ ବଖରା ପର୍ବ ଗୃହରେ ବାହାର ପୂଜା ଅନୁଷ୍ଠିତ ହୁଏ । ଭିତର ପର୍ବର ପ୍ରଥମ ଦିନ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଓ ମନ୍ଦିରର ପୁରୋଧା ପାରିକୁଦ ଗଡ ରାଜାଙ୍କ ଇଷ୍ଟଦେବୀ କନକ ଦୁର୍ଗା ଏବଂ ମା’ ଭଗବତୀଙ୍କ ପ୍ରଥମ ସେବକ ବଳିଜେନା ବାଣପୁର ବଜାର ପରିକ୍ରମା କରି ମୁଖ୍ୟ ମନ୍ଦିରରେ ଥିବା ଭିତର ପର୍ବ ଗୃହରେ ବିଜେ କରିବେ । ସେଠାରେ ପୂଜା ସମାପନ ପରେ ବିଳମ୍ବିତ ରାତ୍ରିରେ କାଠି ଠାକୁରାଣୀ ପୁନର୍ବାର ଦକ୍ଷେଶ୍ୱର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଏ ସମୟରେ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ସହ ଦିନେ ଛଡା ଦିନେ “ବଳି ନାଟ” ହୁଏ। ଏହିପରି ଅମାବ୍ୟାସା ଯାଏଁ ପ୍ରତ୍ୟେହ କାଠି ଠାକୁରାଣୀ ମା’ ଭଗବତୀ ପିତ୍ରାଳୟ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ମୁଖ୍ୟ ମନ୍ଦିରରେ ବିଜେ କରିଥାନ୍ତି। ଅମାବ୍ୟାସା ଦିନ ଭିତର ପର୍ବ ଶେଷ ହେବା ପରେ ମା’ଭଗବତୀଙ୍କ ସମେତ ସାତ ଭଉଣୀ ଦକ୍ଷେଶ୍ୱର ମନ୍ଦିର ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ସାତ ବଖରା ଗୃହରେ ବିଜେ କରିବେ। ସେଠାରେ ଆଠଦିନ ଧରି ବାହାର ପର୍ବ ଅନୁଷ୍ଠିତ ହେବ। ତେବେ କୁମାର ପୂର୍ଣ୍ଣମୀ ଦିନ ମା’ ନରବଳୀର ପ୍ରତୀକ ବଳିଜେନାଙ୍କ ସହ କଉଡି ଖେଳନ୍ତି। ଏଥିରେ ହାରି ପୁନର୍ବାର ଆସନ୍ତା ବର୍ଷ ମା’ଙ୍କ ସେବା ପାଇଁ ବଳିଜେନା ପ୍ରତିଶ୍ରୁତି ଦେଇ ସେବକ ମାନଙ୍କୁ ଠେଙ୍ଗା ଭୋଜିରେ ଅପ୍ୟାୟିତ କରି ଘରକୁ ଫେରନ୍ତି।
ଏପରି ପରମ୍ପରା ରାଜ୍ୟର ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନାହିଁ। ଚଳିତ ବର୍ଷ ଟ୍ରଷ୍ଟ ବୋର୍ଡ ତରଫରୁ ପୂଜା ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି । ୧୭ ତାରିଖ ଶନିବାରେ ଦେବୀଙ୍କୁ ଉତ୍ଥାନ କରାଯାଇ ସହସ୍ର କୁମ୍ଭାଭିଷେକ ବରଣ ପରେ ଷୋଡଶ ଉପଚାରରେ ପୂଜା ଆରମ୍ଭ ହୋଇଥିବା ବେଳେ ୨୫ ତାରିଖ ରବିବାରେ ଭେଟ ଅମାବସ୍ୟା ଓ ବାହାର ପର୍ବ ଆରମ୍ଭ, ୩୦ ତାରିଖ ଶୁକ୍ରବାରେ ଘୃତସ୍ନାନ ପଞ୍ଚମୀ, ଅକ୍ଟୋବର ୧ ଶନିବାରେ ତପଃ ଷଷ୍ଠୀ ଏବଂ ମହା ସ୍ତପମୀ, ୨ ଓ ୩ ତାରିଖରେ ମହାଷ୍ଟମୀ ଓ ମହାନବମୀ ପର୍ବ ଅନୁଷ୍ଠିତ ହେବା ସହ ୪ ତାରିଖ ମଙ୍ଗଳବାରେ ଦଶହରା ଏବଂ ୯ ତାରିଖ ରବିବାରେ କୁମାର ପୂର୍ଣ୍ଣମୀ ଦିନ ବଳିଜେନାଙ୍କ କଉଡି ଖେଳ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।
Comments are closed.