ମୁହଁରେ ସ୍ପ୍ରେ କରି ଲୁଟ ଘଟଣାର ପର୍ଦ୍ଦାଫାସ: ୬ ଅଭିଯୁକ୍ତ ଗିରଫ
ବଲାଙ୍ଗୀର:ବଲାଙ୍ଗୀର ଆଦର୍ଶ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା। ଗତ ୨୨ ତାରିଖ ରାତ୍ରିରେ ହୋଇଥିବା ଏକ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଥିବା ଛଅ ଜଣ ଯୁବକଙ୍କୁ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କା, ବ୍ୟବହାର ହୋଇଥିବା ବାଇକ, ପିସ୍ତଲ ଓ ମୋବାଇଲ ଜବତ କରିଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଏମ. ସନ୍ଦୀପ ସମ୍ପତ୍ତ।
ସୂଚନା ଅନୁସାରେ ଗତ ୨୨ ତାରିଖରେ ରାତ୍ରି ପ୍ରାୟ ସାଢେ ୯ଟା ପରେ ରାଧାରାଣୀପଡାର ବ୍ୟବସାୟୀ ଆନନ୍ଦ କୁମାର ଅଗ୍ରୱାଲ ନିଜର ଏକ କର୍ମଚାରୀଙ୍କ ସହ ଦିନ ଯାକର ବ୍ୟବସାୟ ଟଙ୍କା ଏକ ବ୍ୟାଗରେ ନେଇ ଘରକୁ ଯାଉଥିଲେ। ରାଧାରାଣୀପଡାରେ ଥିବା ଘର ନିକଟରେ ତିନି ଜଣ ଯୁବକ ଏକ ପଲସର ବାଇକରେ ଆସି ମୁହଁରେ ସ୍ପ୍ରେ କରି ପ୍ରାୟ ୬ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଆଦର୍ଶ ଟାଉନ ଥାନାରେ ଏନେଇ କେସ ନଂ ୫୧୧, ତା.୨୩.୦୯.୨୦୧୯ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଛଅ ଦିନ ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଏଥି ସହିତ ଲୁଟ ହୋଇଥିବା ସାଢେ ୬ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଉଦ୍ଧାର କରିଥିବା ସୂଚନା ଦେଇଛି।
ସେହିପରି ଲୁଟ ସମୟରେ ବ୍ୟବହାର ହୋଇଥିବା ଦୁଇଟି ପଲସର ବାଇକ (ନଂ ଓଡି ୦୩ ଏନ ୧୦୫୮, ଓଡି ୦୫ ପି ୯୬୮୪), ତିନୋଟି ମୋବାଇଲ ଫୋନ, ଗୋଟିଏ ଦେଶୀ ପିସ୍ତଲ ସହ ଗୋଟିଏ ଅଫୁଟା ଗୁଳି ପୁଲିସ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ଯୁବକ ବଲାଙ୍ଗୀର ସହରର ବୋଲି ଜଣାପଡିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକ, ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ସଦର ଥାନା ଅଧିକାରୀ ତୋଫାନ ବାଗ ଉପସ୍ଥିତ ରହିଥିଲେ।
Comments are closed.