ବଲାଙ୍ଗିର: ପୁରୁଣା ସୁନାଗହଣା ଦେଇ ନୂଆ ବନାଇବା ପାଇଁ ଗହଣା ଦୋକାନୀଙ୍କୁ ଦେଇଥିଲେ। ଅତିରିକ୍ତ ଭାବେ ଟଙ୍କା ଦେଇ ରସିଦ୍ ଆଣିଥିଲେ। ହେଲେ ନୂଆ ଗହଣା ଦେବେ କ’ଣ ଖୋଦ୍ ଗହଣା ଦୋକାନୀ ଫେରାର ହୋଇଯାଇଛନ୍ତି। ମାସେ ହେଲା ଦୋକାନ ବନ୍ଦ ରହିଛି। ଆଉ ଦୋକାନୀଙ୍କ ଗାଁକୁ ଯାଇ ଖୋଜାଖୋଜି କଲା ବେଳେ ପତ୍ତା ନାହିଁ। ଘରେ ତାଲା ଝୁଲୁଛି। ନିରାଶ ହୋଇ ଶେଷରେ ଠକେଇ ହୋଇଥିବା ମହିଳା ଗ୍ରାହକମାନେ ସହରାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ କଲେଜରୁ କନ୍ଧପାଲି ଯିବା ରାସ୍ତାରେ ମା ସମଲେଶ୍ୱରୀ ସୁନା ଦୋକାନ ରହିଛି। ଏଠାରେ ଗ୍ରାହକଙ୍କ ସୁନା ମରାମତି ସହ ନୂଆ ଡିଜାଇନର ସୁନା ଅଳଙ୍କାର ଗ୍ରାହକମାନେ ତିଆରି କରାଇଥାନ୍ତି। ଦୀର୍ଘ ଦିନରୁ ଏହି ଦୋକାନରୁ ଗ୍ରାହକମାନେ ସୁନାଗହଣା ନେବା ସହ ଟଙ୍କା ମଧ୍ୟ ଦେଉଥିଲେ। ଠିକ୍ ସମୟରେ ଜିନିଷ ପାଉଥିଲେ। ବିଶ୍ୱାସ ବଢିଯାଇଥିଲା। ତେବେ ମାସେ ହେଲା ଦୋକାନ ମାଲିକ ଆଶିଷ ସରାଫ ଓ ଦେବାଶିଷ ସରାଫ ଫେରାର ହୋଇଯାଇଛନ୍ତି।
ଫଳରେ ମହିଳା ଗ୍ରାହକମାନେ ଦୋକାନକୁ ଯାଇ ନିରାଶ ହେବା ପରେ ତାଙ୍କ ଗାଁ ସଦାଇପାଲିକୁ ଯାଇଥିଲେ। ସେଠାରେ ତାଙ୍କ ଘର ତାଲା ପଡିଥିବା ଦେଖିଥିଲେ। ଠକେଇର ଶିକାର ହୋଇଥିବା ଓ ଦୋକାନୀ ସେମାନଙ୍କ ସୁନା ସହ ଟଙ୍କା ନେଇଯାଇଥିବା ଅନୁଭବ କରି ଥାନାର ଦ୍ୱାରସ୍ଥ ହୋଇଥିଲେ। ଠକେଇ ସଂପର୍କରେ ୨ଜଣ ମହିଳା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ମହିଳାଙ୍କଠାରୁ ଏଭଳି ସୁନା ଓ ଟଙ୍କା ସେମାନେ ଲୁଟି ନେଇଥିବା ଜଣାପଡିଛି। ଠକେଇର ଶିକାର ପୀଡ଼ିତା ମହିଳା ଗ୍ରାହକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



