ସର୍ଗିପାଲି ସ୍ନେହଲତା ହତ୍ୟା ମାମଲାକୁ ପୁରିଲା ୭ ବର୍ଷ, ଦାଖଲ ହୋଇପାରୁନି ଚାର୍ଜସିଟ୍ କି ଷ୍ଟାଟସ୍ ରିପୋର୍ଟ

କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ତଥ୍ୟ ମାଗିଲେ ପକ୍ସୋ ନ୍ୟାୟାଳୟ

ବଲାଙ୍ଗିର: ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିପାଲି ଗାଁରେ ୨୦୧୫ ମସିହାରେ ଜଣେ ଦଳିତ ନାବାଳିକା ସ୍ନେହଲତା ଛତ୍ରିଆଙ୍କ ଅପହରଣ, ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ପୂରିଯାଇଛି। କିନ୍ତୁ ନ୍ୟାୟାଳୟରେ ଏହି ମାମଲାର ଚାର୍ଜସିଟ୍ ଦାଖଲ ହୋଇ ନାହିଁ। ଫଳରେ ତଦନ୍ତ ଦିଗହରା ହୋଇଥିବା ଓ ଅଭିଯୁକ୍ତମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ୭ ବର୍ଷ ପରେ ବି ଚାର୍ଜସିଟ୍ ଦାଖଲ ହୋଇ ନଥିବା କାରଣରୁ ମୃତ ସ୍ନେହଲତାର ବାପା ଆର୍ତ୍ତ ଛତ୍ରିଆ ଓକିଲ ଦିନେଶ ନାଗଙ୍କ ଜରିଆରେ ବଲାଙ୍ଗିର ସ୍ୱତନ୍ତ୍ର ପକ୍ସୋ ନ୍ୟାୟାଳୟରେ ତଦନ୍ତକାରୀ ସଂସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଆବେଦନ କରିଥିଲେ। ଜିଆର୍ ମାମଲା ସଂଖ୍ୟା-୨୧/୨୦୧୫ରେ ଗତ ଜାନୁଆରି ମାସରେ ହୋଇଥିବା ଆବେଦନକୁ ବଲାଙ୍ଗିର ସ୍ୱତନ୍ତ୍ର ପକ୍ସୋ ନ୍ୟାୟାଳୟ ଗ୍ରହଣ କରି ମାମଲାର ଅନୁସନ୍ଧାନ କରୁଥିବା ରାଜ୍ୟ ତଦନ୍ତକାରୀ ସଂସ୍ଥା(କ୍ରାଇମବ୍ରାଞ୍ଚ)କୁ ଆସନ୍ତା ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ମାମଲାର ତଦନ୍ତର ଷ୍ଟାଟସ୍ ରିପୋର୍ଟ ସହ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଗତ ଜାନୁଆରି ୩୧ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଚାପି ହୋଇ ରହିଥିବା ବେଳେ ସ୍ନେହଲତା ଛତ୍ରିଆ ମୃତ୍ୟୁ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।
ସୂଚନା ଅନୁସାରେ, ସର୍ଗିପାଲି ଗାଁର ଆର୍ତ୍ତ ଛତ୍ରିଆ ଓ ମା’ ଡାଲିମଙ୍କ ଝିଅ ସ୍ନେହଲତା(୧୫)ଙ୍କୁ ୨୦୧୫ ମେ ମାସ ୨୨ ତାରିଖରେ ହରିଶଙ୍କର ନାଳାକୁ ଗାଧୋଇବାକୁ ଯାଇଥିବା ବେଳେ ଅପହରଣ ସହ ଦୁଷ୍କର୍ମ କରାଯାଇ ନିର୍ମର୍ମ ଭାବେ ହତ୍ୟା କରାଯାଇଥିଲା। ଘଟଣାରେ ଖପ୍ରାଖୋଲ ପୁଲିସର ନୀରବତା ବିରୋଧରେ ୨୦୧୫ ଜୁନ୍ ୨୧ ତାରିଖରେ ବଲାଙ୍ଗିର ସଦର ମହକୁମାରେ ଏକ ବିଶାଳ ଜନ ଆନ୍ଦୋଳନ ହୋଇଥିଲା। ରାଜ୍ୟର ଅନେକ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ବଲାଙ୍ଗିରରେ ଏକ୍ରିତତ ହୋଇ ସେତେବେଳେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଫଳରେ ପୁଲିସ ସେହି ସର୍ଗିପାଲି ଗାଁର ୧୧ଜଣଙ୍କୁ ଅଟକ ରଖିବା ପରେ ୨ଜଣଙ୍କୁ ନ୍ୟାୟାଳୟକୁ ପଠାଇଥିଲେ। ଏହାର ୪ ଦିନ ପରେ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ ହାତରୁ ରାଜ୍ୟ ତଦନ୍ତକାରୀ ସଂସ୍ଥା(କ୍ରାଇମ ବ୍ରାଞ୍ଚ) ନେଇଥିଲା। ଗତ ୭ ବର୍ଷ ମଧ୍ୟରେ କ୍ରାଇମ ବ୍ରାଞ୍ଚ ମାତ୍ର ୩ରୁ ୪ ଥର ତଦନ୍ତ ପାଇଁ ଆସିଛି। କିନ୍ତୁ ହତ୍ୟା ମାମଲାର ତଦନ୍ତରେ କୌଣସି ଅଗ୍ରଗତି ହୋଇ ନାହିଁ। ଘଟଣାର ୪ ବର୍ଷ ପରେ ରାଜ୍ୟ ସରକାର ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)କୁ ତଦନ୍ତ କରିବାକୁ ସୁପାରିଶ କରିଥିଲେ। କିନ୍ତୁ ସିବିଆଇ ତଦନ୍ତ କରିବାକୁ ମନା କରିଦେବା ସହ ରାଜ୍ୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କ୍ରାଇମ ବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତରେ ଆଗ୍ରହ ପ୍ରକାଶ କରୁ ନଥିବା ଓ ସେହି କାରଣରୁ ଠିକ୍ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦେଇ ନପାରିବା କାରଣରୁ ଗିରଫ ୨ଜଣ ଯୁବକ ଜାମିନ ବି ପାଇ ଯାଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଅହେତୁକ ବିଳମ୍ବର କାରଣ କ’ଣ….ମୃତ ସ୍ନେହଲତାକୁ ନ୍ୟାୟ ମିଳିବ କେବେ ବୋଲି ପ୍ରଶ୍ନ ଉଠୁଛି।

୨୦୧୫ରେ ସ୍ନେହଲତାଙ୍କ ମୃତ୍ୟୁ ପରେ ତତ୍କାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ଗିପାଲି ଗାଁକୁ ଯାଇ ମୃତ ସ୍ନେହଲତାଙ୍କ ପରିବାରକୁ ଭେଟିଥିଲେ। ଘଟଣାର ଅନୁଧ୍ୟାନ ସହ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଆଲୋଚନା ବେଳେ ସର୍ଗିପାଲି ଗାଁରେ ଜାତିଆଣ ଭେଦଭାବ ଓ ବେଆଇନ କୁଚିଆ ମଦ କାରବାରକୁ ନେଇ ଦଳିତ ବସ୍ତି ଓ ଗାଁ ଲୋକଙ୍କ ସହ ରହିଥିବା ବିଭେଦ କଥା ସାମ୍ନାକୁ ଆସିଥିଲା। ଦୀର୍ଘ ବର୍ଷ ଧରି ଏହି ବିଭେଦ ଲାଗି ରହିଥିବା ବେଳେ ମୃତ ସ୍ନେହଲତାଙ୍କ ମା’ ଡାଲିମ ଛତ୍ରିଆ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି) ସଭାନେତ୍ରୀ ଭାବେ ତତ୍କାଳୀନ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ କୁଚିଆ ମଦ କାରବାର ବନ୍ଦ କରିବାକୁ ନିବେଦନ କରିଥିଲେ। ଏହି ନିବେଦନ ପତ୍ରକୁ ସ୍ନେହଲତା ଲେଖିଥିଲେ। ଫଳରେ ସ୍ନେହଲତାଙ୍କୁ ଦୁଷ୍କର୍ମ କରାଯିବା ସହ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ସେତେବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଅଭିଯୋଗ କରିଥିଲେ। ସର୍ଗିପାଲି ଗାଁର କିଛି ଅସାମାଜିକ ତତ୍ତ୍ୱ ଧଣ୍ଡାମୁଣ୍ଡା ମଦ ଭାଟିରୁ ମଦ ଆଣି ଗାଁରେ କୁଚିଆ ଦୋକାନ ଖୋଲି ବିକ୍ରି କରୁଥିଲେ। ଯାହାକୁ ଏସ୍ଏଚ୍ଜି ପକ୍ଷରୁ ବିରୋଧ କରାଯାଇଥିଲା। ଫଲରେ ବିଭେଦ ଦେଖା ଦେଇଥିଲା। ପରେ ପରେ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ଉଠିଥିଲା। ଏବେ ସ୍ୱତନ୍ତ୍ର ପକସୋ ନ୍ୟାୟାଳୟର ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ କ୍ରାଇମ ବ୍ରାଞ୍ଚ ଉପଯୁକ୍ତ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବ ବୋଲି ଆଶା କରୁଛୁ କହିଛନ୍ତି ମାମଲା ପରିଚାଳନା କରୁଥିବା ଓକିଲ ଦିନେଶ ନାଗ।

Comments are closed.