ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟାଳୟ ଓ ମହାନଗର ନିଗମ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ କୁଲୁଥକାନୀ ଅଞ୍ଚଳରେ ସହସ୍ରାଧିକ ପରିବାର ବସବାସ କରି ଆସୁଛନ୍ତି । କିନ୍ତୁ ଏହି ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ନିମନ୍ତେ ଅଞ୍ଚଳବାସୀ ମାନେ ବାରମ୍ବାର ଦାବି କରୁଥିବା ସତ୍ୱେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ଅଞ୍ଚଳର ମୁଖ୍ୟ ମାର୍ଗକୁ କିଛି ବର୍ଷ ପୂର୍ବେ ପ୍ରାୟ ୩ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ଚାରଭାଟି ଛକରୁ ନେଇ ଧନକଉଡା ପର୍ଯ୍ୟନ୍ତ ମାର୍ଗକୁ ଚୌଡାକରଣ ଓ ପିଚୁ କରାଯାଇଥିଲା। କିନ୍ତୁ ସମ୍ବଲପୁରର ବିକାଶ ନାମରେ ଦୁଃଖ ଭାବରେ ପରିଚିତ ସ୍ୱେରେଜ ବୋର୍ଡର ଅଦୂରଦର୍ଶି ଓ ଅପାରଗ କାର୍ଯ୍ୟ ଯୋଗୁଁ ଏବେ କୁଲଥକାନୀ ନିବାସୀ ନିୟମିତ ହନ୍ତସନ୍ତ ହେଉଛନ୍ତି। ସ୍ୱେରେଜ କାର୍ଯ୍ୟ ନିମନ୍ତେ କୁଲୁଥକାନୀ ଅଞ୍ଚଳରେ ରହିଥିବା ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳକନ୍ଦି ରାସ୍ତା ଗୁଡିକୁ ଖୋଳି ନଷ୍ଟ କରାଯିବା ପରେ ସେ ଗୁଡିକର ମରାମତି ଠିକ ଭାବରେ କରା ନ ଯାଇ ଛାଡି ଦିଆଯାଇଛି। ଏହି କାର୍ଯ୍ୟ କରୁଥିବା ସଂସ୍ଥା ଗୋଟିଏ ସ୍ଥାନର କାର୍ଯ୍ୟ ସମ୍ପୁର୍ଣ୍ଣ ନ ହେଉଣୁ ପୁଣି ଅନ୍ୟ ଏକ ରାସ୍ତା ଖୋଳି ଗର୍ତ୍ତ କରି ଦେଉଛି।
ବର୍ଷ ବର୍ଷ ଧରି ଏଭଳି ମନମୁଖୀ କାର୍ଯ୍ୟ ଚାଲିଥିବା ବେଳେ ଅଞ୍ଚଳର ସମସ୍ତ ରାସ୍ତା ଗୁଡିକ ଖାଲଖମାରେ ପରିଣତ ହୋଇ ସାରିଲାଣି। ବିଗତ ୨ ମାସ ତଳେ କୁଲୁଥକାନିରୁ ଗେଙ୍ଗୁଟିପାଲିକୁ ଯାଉଥିବା ରାସ୍ତାରେ ଏକ ବିରାଟ ଗର୍ତ୍ତ ଖୋଳିଦେଇ ଛାଡି ଯାଇଛନ୍ତି। ଏ ସର୍ମ୍ପକରେ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ପାଣ୍ଠି ସରି ଯାଇଥିବାରୁ କାମ ଆଗେଇ ପାରି ନାହିଁ ବୋଲି ସେମାନଙ୍କୁ ଉତ୍ତର ଦିଆଯାଇଛି। ତେବେ ଅତ୍ୟନ୍ତ ବ୍ୟସ୍ତବହୁଳ ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ କୌଣସି ଏମୟରେ ମଧ୍ୟ ଦୁର୍ଘଟଣା କିମ୍ବା ବଡ ଅଘଟଣ ଘଟିବାର ସମ୍ଭାବନା ରହିଛି। ଏଣୁ ତୁରନ୍ତ ଜିଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଖୋଳାଯାଇଥିବା ଗାତକୁ ତୁରନ୍ତ ପୋତିବା ପାଇଁ ନାଗରିକ କମିଟି ଦାବି କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ନିଗମ କାର୍ଯ୍ୟାଳୟରୁ ମାତ୍ର ୨ କିମି ମଧ୍ୟରେ ରହିଥିବା ଅଞ୍ଚଳରେ ଯଦି ଏଭଳି ଅବସ୍ଥା ରହିଛି, ତାହା ହେଲେ ନିଗମରେ ସାମିଲ ହୋଇଥିବା ପଞ୍ଚାୟତ ଗୁଡିକର ଅବସ୍ଥା କିଭଳି ରହିଥିବା ସହଜେ ଅନୁମେୟ।



