ମନରେଗାର ବିକଳ ଚିତ୍ର : ମାଟି ବୋହିଲେ ହେଲେ ମିଳିଲାନି କାମ ବାବଦ ଟଙ୍କା
ଧରାଛୁଆଁ ଦେଉ ନାହାନ୍ତି ଜିଆର୍ଏସ୍
ବଲାଙ୍ଗିର : ଲକ୍ଡାଉନ୍ ଥି ମାଟି କାମ୍ କଲୁଁ ଆଜ୍ଞା। ପଏସା ଠିକ୍ ଥି ମିଲ୍ଲା ନେଇଁ। କାହାର ଖାତାରେ ପଡିଛେ ତ କାହାକେ ଟଙ୍କାଟେ ବି ନେଇ ଦେଇ। ଜିଆର୍ଏସ୍ର ଘର୍କେ ବି ଗଲୁଁ, ସବୁ କଥା କହେଲୁଁ। ହଁ, ହେଇଯିବା..ଚିନ୍ତା ନେଇ କର ବଲୁଛନ୍। ଖୋବ୍ କଷ୍ଟେ ଚଲୁଛୁଁ। ୟେ ହେଉଛି ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଖଗସା ଗାଁର ମନରେଗା ଯୋଜନାରେ ମାଟି କାମ କରିଥିବା ଲୋକଙ୍କ କଥା। ଆଜି ଗାଁକୁ ବିଜେଡି ନେତା ଅଜୟ ଦାସ ଯାଇଥିବା ବେଳେ ଗାଁ ଲୋକେ ସେମାନଙ୍କ ସମସ୍ୟା କଥା ତାଙ୍କୁ ଜଣାଇଛନ୍ତି। ଏସଂପର୍କରେ ଜିଲାପାଳଙ୍କୁ ଅବଗତ କରି ସମସ୍ୟାର ସମାଧାନ କେମିତି ହୋଇପାରିବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମାର୍ଚ୍ଚ ୨୦ ତାରିଖରୁ ଖଗସା ଗାଁ ଲୋକେ ମାଟି କାମ କଲେଣି। ଗାଁର ୧୨୦ଜଣ ପୁରୁଷ ଓ ମହିଳା କାମ କରିଛନ୍ତି। ରାତି ୩ଟାରୁ ଯାଇ ସେମାନେ ମାଟି କାମ କରୁଥିଲେ। ଏବେ କାହା ଖାତାରେ ଅଧା ଟଙ୍କା ପଡିଛି ତ କାହା ଖାତାରେ ଟଙ୍କାଟିଏ ବି ଆସିନି। ଏଭଳି ଗାଁର ୨୫ରୁ ୩୦ଜଣଙ୍କ ଖାତାରେ ଟଙ୍କା ପଡିନି। ଅଧିକାଂଶ ଲୋକେ ଯେତେ କାମ କରୁଥିଲେ ତାହାଠାରୁ କମ୍ ଟଙ୍କା ଦିଆଯାଇଛି। ଯାହା ଟଙ୍କା ଆସିଛି ତାକୁ ଭାଗ କଲା ବେଳକୁ କାହା ପକେଟକୁ ପାଉ ନାହିଁ। ଏସଂପର୍କରେ ତୁରେକେଲା ବିଡିଓ ମନୋରଂଜନ ପାଣିଗ୍ରାହୀଙ୍କୁ ଜଣାଇବାରୁ ଲକ୍ଡାଉନ୍ ଚାଲିଛି। ଟଙ୍କା ପଡିବାରେ ବିଳମ୍ବ ହୋଇଥିବ। ପଡିଯିବ ବୋଲି ଅଶ୍ୱାସନା ଦେଇଥିଲେ। କିନ୍ତୁ ବିଡିଓ କହିବାର ଢେର ଦିନ ହେଇଯାଇଥିଲେ ବି ଟଙ୍କାର ଦେଖା ନାହିଁ। ଜିଆର୍ଏସ୍ ଆସୁ ନଥିବା ବେଳେ କାମ କରିଥିବା ଲୋକେ ତାଙ୍କ ଘରକୁ ଯାଇ ସମସ୍ୟା ସଂପର୍କରେ କହିଥିଲେ। ହଁ ହେଇଯିବ କହି ସେ ବି ଲୋକଙ୍କୁ ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।
ସବୁଠାରୁ ସାଂଘାତିକ କଥା କହିଛନ୍ତି ଗାଁ ସାଥୀ। ଗାଁ ସାଥୀଙ୍କ କହିବା ଅନୁସାରେ, ଜିଆର୍ଏସ୍ କାମ ଦାବି ଦେବା କଥା। ସେ ନଦେବାରୁ ନିର୍ବାହୀ ଅଧିକାରୀଙ୍କ ଜରିଆରେ ସରପଞ୍ଚଙ୍କୁ ଦିଆଗଲା। ସେ ଜିଆର୍ଏସ୍ଙ୍କୁ ଦେଲେ। ମଷ୍ଟର ରୋଲ୍ରେ ଲୋକଙ୍କର ନିଁ ନାହିଁ। ପଛୁଆ ତାରିଖରେ ମଷ୍ଟର ରୋଲ୍ରେ ଲୋକଙ୍କର ନାଁ ସାମିଲ କରାଯାଇଛି। ଠିକ୍ ଭାବେ ମଷ୍ଟର ରୋଲ୍ ପରିଚାଳନା କରାଯାଇ ନଥିବାରୁ ଏଭଳି ସମସ୍ୟା ହୋଇଥିବା ଶ୍ରୀ ଦାସଙ୍କୁ କହିଥିଲେ। ଜିଆର୍ଏସ୍ଙ୍କ ଭୂମିକା ନେଇ ବେଶ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଥିଲେ ମାଟି କାମ କରିଥିବା ଲୋକେ।
କରୋନା ଲକ୍ଡାଉନ୍ ଓ କାମ ବନ୍ଦ ସମୟରେ ମାଟି କାମ କରି ପରିବାର ଚଳାଇବୁ ବୋଲି ଆଶା କରିଥିଲେ ଗାଁ ଲୋକେ। କିନ୍ତୁ ଯେଉଁ କିଛି ଟଙ୍କା ମିଳିଛି ତାହା ଭାଗବଣ୍ଟା କଲା ବେଳକୁ ସମୁଦ୍ରକୁ ଶଂଙ୍ଖେ ସଦୃଶ ହେଉଛି। ଢେର ହଇରାଣ ହେଲେଣି ସେମାନେ। ଏସଂପର୍କରେ ଜିଲାପାଳ ଓ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ପାଉଣା କେମିତି ମିଳିବ ସେ ଉପରେ ଚିନ୍ତା କରାଯିବ ବୋଲି ବିଜେଡି ନେତା ଶ୍ରୀ ଦାସ କହିଛନ୍ତି ଗାଁ ଲୋକଙ୍କୁ। କେବଳ ଖଗସା ଗାଁ ନୁହେଁ, ବେଲପଡ଼ା ବ୍ଲକରେ ମଧ୍ୟ ଅନୁରୂପ ଭାବେ ଲୋକେ ମନରେଗାରେ ପୂର୍ବରୁ କାମ କରିଥିଲେ ବି ଟଙ୍କାଟିଏ ମଜୁରୀ ନପାଇ ବ୍ଲକ ଅଫିସ ଘେରାଉ କରିଥିଲେ କିଛି ମାସ ତଳେ। ସୂଚନାଯୋଗ୍ୟ ଯେ, କରୋନା ସମୟରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି। ସବୁ ନହେଲେ ବି ଅଧିକାଂଶ ଲୋକେ ଏହି ଯୋଜନାରେ କାମ କରି କିଛି ଟଙ୍କା ରୋଜଗାର କରିପାରିବେ। ସେହିପରି ପ୍ରବାସୀଙ୍କୁ କାମ ଯୋଗାଇ ଦେବା ନେଇ ବି ଜିଲା ପ୍ରଶାସନ ସମାଲୋଚିତ ହୋଇ ଆସିଛି। ଏବେ କାମ କରି ପାଉଣା ନପାଇବା ଅଭିଯୋଗ ମନରେଗାର ଚିତ୍ରକୁ ମଳିନ କରୁଛି। ତେଣୁ ପ୍ରଶାସନ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।
Comments are closed.