ବାଗ୍ଦାଦିର ପୁଅ ମୃତ
ହୋମ୍ସ : ଇସ୍ଲାମିକ୍ ଷ୍ଟେଟ୍ସ (ଆଇଏସ୍)ର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିର ପୁଅ ହୁଦାୟଫା ଅଲ୍ ବଦ୍ରିର ମୃତ୍ୟୁ ଘଟିଛି। ହୋମ୍ସ ପ୍ରଦେଶସ୍ଥିତ ତାପଜ ବିଦ୍ୟୁତ୍ ଷ୍ଟେସନ୍ଠାରେ ମଙ୍ଗଳବାର ନୁସାୟରିଆ ଏବଂ ରୁଷ ବିରୋଧୀ ଅଭିଯାନ ବେଳେ ଜିହାଦିମାନଙ୍କ ଆକ୍ରମଣରେ ବଦ୍ରି ପ୍ରାଣ ହରାଇଛି ବୋଲି ଆଇଏସ୍ ସ୍ୱୀକୃତିପ୍ରାପ୍ତ ଖବର ସଂସ୍ଥା ଅମାକ ପକ୍ଷରୁ କୁହାଯାଇଛି। ଏଥିସହ ସଂସ୍ଥା ପକ୍ଷରୁ ହାତରେ ବନ୍ଧୁକ ଧରିଥିବା ଜଣେ ଯୁବକଙ୍କ ଫଟୋ ଚିତ୍ର ଜାରି କରାଯାଇଛି। ବାଗ୍ଦାଦି ସମ୍ବନ୍ଧରେ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ। ଉଲ୍ଲେଖ ଯେ ରାଷ୍ଟ୍ରପତି ବଶର ଅଲ୍ ଆସଦ ସଦସ୍ୟ ଥିବା ସଂଗଠନ ‘ଅଲାୱେଟ’ ଆଇଏସ୍ ପକ୍ଷରୁ ନୁସାୟରିୟା ବୋଲି କୁହାଯାଇଥାଏ।