ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା
ବଡ଼ସାହି: ମାନଗୋବିନ୍ଦପୁର ପଞ୍ଚାୟତ, ଆଡ଼ିଆସାହି ସରକାରୀ ଉପ୍ରା ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଶୁକ୍ରବାର ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଜଣେ ନିୟମିତ ବରିଷ୍ଠ ଶିକ୍ଷକ ଦାବି କରି ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ ବିଭାଗ ପକ୍ଷରୁ କର୍ଣ୍ଣପାତ କରା ନଯିବା ଫଳରେ ପରିଚାଳନା କମିଟିର ସଭାପତି କାର୍ତ୍ତିକ ବେହେରାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ପୂର୍ବାହ୍ଣ ୧୦ଟାରୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ବିଦ୍ୟାଳୟରେ ୧ମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୧୭୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ଜଣ ଶିକ୍ଷକ/ଶିକ୍ଷୟତ୍ରୀ ରହିଛନ୍ତି। ତେବେ ବରିଷ୍ଠ ଶିକ୍ଷକ କେହି ନଥିବାରୁ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗି ରହିଥିଲା। ବିଦ୍ୟାଳୟର ଶିକ୍ଷାଦାନ ଠାରୁ ଆରମ୍ଭ କରି ପାରିପାର୍ଶ୍ବିକ ଉନ୍ନତ୍ତି, ମଧ୍ୟାହ୍ନ ଭୋଜନ, ପୋଷାକ ଓ ଜୋତା ବଣ୍ଟନରେ ଅବ୍ୟବସ୍ଥା ପାଇଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଥିବା ଖବର ପାଇ ବଡ଼ସାହି ବିଇଓ ଦେବବ୍ରତ ବାରିକ, ସିଆରସିସି ସଞ୍ଜୟ କୁମାର ଜେନା ଓ ମାଣତ୍ରୀ ଫାଣ୍ଡି ଅଧିକାରୀ ନିର୍ମଳ କୁମାର ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ସୋମବାର ସୁଦ୍ଧା ଜଣେ ବରିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Comments are closed.