ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା, ଗଛମୂଳରେ ପାଠ ପଢିଲେ ଛାତ୍ରଛାତ୍ରୀ
ଆନ୍ଦୋଳନରେ ବସିଲେ ଗ୍ରାମବାସୀ
ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ସୋରିଷକୋଠା ଗ୍ରାମବାସୀ ସୋମବାର ଏକ ଅଭିନବ ଉପାୟରେ ଆନ୍ଦୋଳନ କରି ଚର୍ଚ୍ଚାରେ ରହିଛନ୍ତି। ଗ୍ରାମର ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ସେମାନେ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। ପ୍ରଥମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନ ହେଉଥିବା ବେଳେ ୭୨ଜଣ ପିଲାଙ୍କ ପାଇଁ ୫ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଥିଲେ। ନିକଟ ଦେବସ୍ଥଳ ସ୍କୁଲର ପିଲା ସଂଖ୍ୟା କମ୍ ଥିବାରୁ ଶତୃଘ୍ନ ନନ୍ଦୀ ୪ଦିନ ପାଇଁ ଡ଼ିପ୍ଲୋଏଡ଼ ଭାବେ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ତେବେ ନିକଟରେ ଶିକ୍ଷୟିତ୍ରୀ ମଧୁଛନ୍ଦା ପାଣିଙ୍କୁ ଡ଼ିପ୍ଲୋଏଡ଼ ଭାବେ ବିବାଦୀୟ ଉଠାଣୀନୂଆଗାଁ ସ୍କୁଲକୁ ନିଆଯାଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଧର ପରିଡ଼ା ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ମାତ୍ର ୩ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ରହିଛନ୍ତି। ଏପରି ସ୍ଥଳରେ ସମସ୍ତ ଶ୍ରେଣୀ ପାଇଁ ଶିକ୍ଷକ ଅଭାବ ହେବାକୁ ନେଇ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟବୃନ୍ଦ ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପିଲାମାନେ ସ୍କୁଲ ପ୍ରାଙ୍ଗଣରେ ଥିବା ଗଛମୂଳରେ ଏକାଠି ବସି ପାଠପଢ଼ି ଘରକୁ ଫେରିଛନ୍ତି। ଆନ୍ଦୋଳନ ସମ୍ପର୍କରେ ଶିକ୍ଷକ ଶ୍ରୀ ପରିଡ଼ା ସିଆରସିସି ଜଗନ୍ନାଥ ମିଶ୍ର ଓ ଏବିଇଓ ତଥା ବିଆର୍ସିସି ବାବାଜୀ ଚରଣ ବେହେରାଙ୍କୁ ଅବଗତ କରିଛନ୍ତି। ତେବେ ସମସ୍ୟା ସମାଧାନ ପାଇଁ କେହି ବିଦ୍ୟାଳୟରେ ପହଞ୍ଚି ନଥିବାରୁ ତାଲା ଖୋଲା ହୋଇନାହିଁ। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଘଟଣାରେ ସୋମବାର ଘଟଣାରେ ଅନୁପସ୍ଥିତ ଥିବା ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ମହାନ୍ତି କହିଛନ୍ତି।
Comments are closed.