Patra electronics

ମହାଶିବରାତ୍ରି ଅବସରରେ ମାଣତ୍ରୀ କଖାରୁଆ ବୈଦନାଥଙ୍କ ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ

0

ବଡ଼ସାହି : ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରରେ ମହାଶିବରାତ୍ରି ଅବସରରେ ସୋମବାର ତିନି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହି ପୀଠରେ ରାତ୍ରରେ ଚତୁର୍ଥ ପ୍ରହରରେ ମହାଦୀପ ଦେଉଳ ଉପରକୁ ଉଠୁଥିବାରୁ ପୂର୍ବବର୍ଷ ପରି ବ୍ରତୀଙ୍କ ଭିଡ଼ ଲାଗିଛି। ନିଶୁଳ୍କ ଦୀପ ଜାଳିବା ବ୍ୟବସ୍ଥା ଓ ସୁଚିନ୍ତିତ ପ୍ରସ୍ତୁତି ପାଇଁଁ ଭକ୍ତଙ୍କ ସମାଗମ ବୃଦ୍ଧି ସାଙ୍ଗକୁ ଲକ୍ଷାଧିକ ବ୍ରତୀ ଜାଗର ଦୀପ ଜାଳିଛନ୍ତି। ଗୋଟା ଜାଗର ବ୍ରତୀମାନେ ସକାଳୁ ପାରମ୍ପାରିକ ରିତିନୀତିରେ ଦୀପ ଜାଳିଥିଲେ। ରବିବାର ଏକବାର ଉପବାସ ପରେ ପ୍ରତ୍ୟୁଷରୁ ମାନସିକ ଭକ୍ତ ବା ଦଣ୍ଡବତିଙ୍କ ଲମ୍ବାଧାଡି ଲାଗିଥିଲା। ଭୋର ୪ଟାରେ ଦିଅଁଙ୍କ ପହଡ଼ ଭଙ୍ଗା ହୋଇ ଆଳତୀ ପରେ ବାଲ୍ୟ ଭୋଗ ଲାଗିଥିଲା। ୫ଟାରେ ସାଧାରଣ ଦର୍ଶନ ଓ ପୂଜା ଚାଲୁ ହୋଇଥିଲା। ଅପରାହ୍ଣ ୨ଟା ୩୦ମିନିଟରେ ପର୍ବାଣୀ ଭୋଗ ଅର୍ପଣ ସାଙ୍ଗକୁ ସନ୍ଧ୍ୟାରେ ଆଳତୀ ହୋଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଓ ପୂଜା ସ୍ୱାଭାବିକ ଚାଲୁ ରହିଅଛି। ଦିନରେ ପାଗ କୋହଲା ପାଇଁ ଜନସମାଗମ କମ୍‍ ଥିଲେ ହେଁ ସନ୍ଧ୍ୟା ବେଳକୁ ବୃଦ୍ଧି ଘଟିଥିଲା। ରାତି ୧୧ଟାରେ ସାଧାରଣ ଦର୍ଶନ ବନ୍ଦ ସାଙ୍ଗକୁ ସରକାରୀ ଖଟଣୀ ଓ ବିଶେଷ ପୂଜା ଆରମ୍ଭ ହୋଇ ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ସହସ୍ର କୁମ୍ଭାଭିଷେକ, ୨ଟା ୩୦ମିନିଟରେ ଶତଫଳ ଅର୍ପଣ, ୩ଟାରେ ଶୃଙ୍ଗାରବେଶ, ୩ଟାରୁ ୪ଟାରେ ନଗର କୀର୍ତ୍ତନ ସାଙ୍ଗକୁ ମହାଦୀପ ଉଠିବ। ମଙ୍ଗଳବାର ଭୋର ୫ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସୁନାବେଶ ଦର୍ଶନ ଚାଲୁ ରହିବ। ଧର୍ମଜାଗରଣ ସମିତି ପକ୍ଷରୁ ‘ଓଁ ନମଃ ଶିବାୟ ଜପ’ ସୋମବାର ସକାଳୁ ଆରମ୍ଭ ହୋଇଛି। ମହାଦୀପ ଉଠିବା ପରେ ଏହି ଜପ ଶେଷ ହେବ। ସନ୍ଧ୍ୟାରେ ମନ୍ଦିର ଚର୍ତୁପାର୍ଶ୍ବରେ ୨ କିଲୋମିଟର ବ୍ୟାପୀ ଅଞ୍ଚଳରେ ବ୍ରତୀମାନେ ଅସ୍ଥାୟୀ ଶିବିରରେ ଦୀପ ଜାଳୁଛନ୍ତି। ସେହିପରି ଆଜିଠାରୁ ଦଶଦିନ ବ୍ୟାପି ମେଳା ଆରମ୍ଭ ହୋଇଥିବାରୁ ସହସ୍ରାଧିକ ଉଠାଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି। ସିସି ଟିଭି କେମେରା ମାଧ୍ୟମରେ ପୂର୍ବବର୍ଷ ଭଳି ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରାଯାଇଛି। ଶିବରାତ୍ରି ଦିନ ମେଳାରେ ଆମିଷ ଦ୍ରବ୍ୟ ବିକ୍ରି ପାଇଁ ବାରଣ ଥିବା ବେଳେ ଅବାଧ ବିକ୍ରି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସଚ୍ଚିଦାନନ୍ଦ ଗଣନାଟ୍ୟ ସୋମବାର ଠାରୁ ୪ଦିନଧରି ନାଟକ ପରିବେଷଣ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଠାରୁ ପାର୍ବତୀ ଗଣନାଟ୍ୟ ନାଟକ ପରିବେଷଣ କରିବ। ମେଳାରେ ଦୋଳି, ଚିଡ଼ିଆଖାନା ଓ ମୀନାବଜାରରେ ତଥା ଚଳିତ ଥର ନୂତନଭାବେ ମନ୍ଦିର ପରିଚ୍ଛା ପ୍ରଦୀପ ପଣ୍ଡାଙ୍କ ଦ୍ୱାରା ଉଦ୍‍ଘାଟିତ ଏକ ବାଣିଜ୍ୟ ମେଳା ପାଇଁ ଦର୍ଶକଙ୍କ ଭିଡ଼ ଲାଗିଛି। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଯୁବ ବିଜେଡ଼ି ନେତା ଜଗନ୍ନାଥ ମଲ୍ଲିକ, ଲଲାଟେନ୍ଦୁ ବେହେରା, କଂଗ୍ରେସର ଯୁବନେତା ସଞ୍ଜୟ ବେହେରା ପୃଥକ ଷ୍ଟଲରେ ପିଇବାପାଣି ବଣ୍ଟନ କରିଛନ୍ତି। ସେହିପରି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ସରବତ ବଣ୍ଟନ କରିଛନ୍ତି। ମାଣତ୍ରୀ, ବେତନଟୀ, କୁଆମରା କଲେଜ, ମାଣତ୍ରୀ ଏସଏସଡ଼ି ବାଳିକା ହାଇସ୍କୁଲ ଓ ବିକେବି ୟୂଥକ୍ଲବର ସ୍ୱେଚ୍ଛାସେବୀ ଭିଡ଼ ନିୟନ୍ତ୍ରଣରେ ନିୟୋଜିତ ଅଛନ୍ତି। ସେହିପରି ବ୍ଲକର ବଦଳିଗାଁ, ତେନ୍ତୁଳିଗାଁ, ପଟିସାରୀ ପ୍ରଭୃତି ଶିବମନ୍ଦିରରେ ଶିବରାତ୍ରି ପାଳିତ ହେଉଛି। ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply