www.samajalive.in
Tuesday, December 9, 2025
26.1 C
Bhubaneswar

ବାଲିଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ, ୬ ଗିରଫ

ବଡ଼ସାହି : ସ୍ଥାନୀୟ ତହସିଲ ଅଧୀନ ବୁଢାବଳଙ୍ଗ ନଦୀ ମହୁପୁରା ବାଲି ଘାଟ ରାସ୍ତାକୁ ନେଇ ଲିଜଧାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ଏନେଇ ପୁଲିସ୍‍ ଉଭୟ ପକ୍ଷର ଅଭିଯୋଗ କ୍ରମେ ପୃଥକ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମହୁପୁରା ଗ୍ରାମର ଭାସ୍କର ମାହାଲି, ମନୋରଞ୍ଜନ ମହାଳିକ, ଶୁକୁରା ମହାନ୍ତ, ଠୁମ୍ପା ମହାଳିକ, ଦିଲ୍ଲିପ ମହାନ୍ତ ଓ ଗମ୍ଭୀରା ମହାନ୍ତ। ଲିଜଧାରୀଙ୍କ ସହକର୍ମୀ ବେତନଟୀର ସୁଶାନ୍ତ ବଳାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍‍ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅପରପକ୍ଷେ ଅଭିଯୁକ୍ତମାନେ ଥାନାକୁ ଆସୁଥିବା ବେତନଟୀର ସୁଶାନ୍ତ ବଳା, ରତନ କୁମାର ମହାନ୍ତ, ଅଭିଜିତ, ରବି ମହାନ୍ତ ଓ ବଡ଼ସାହି ଥାନା ମହୁପୁରା ଗ୍ରାମର ମନୋଜ ମହାନ୍ତ, କାର୍ତ୍ତିକ ମହାନ୍ତ, ଦେବାଶୀଷ ମହାନ୍ତ, ସ୍ନେହାଶିଷ ମହାନ୍ତ, ନଟବର ମହାନ୍ତ ଓ ଲେମ୍ବୁଧର ମହାନ୍ତଙ୍କ ସହିତ ୧୫ରୁ ଊର୍ଦ୍ଧ୍ବ ଲୋକ ସେମାନଙ୍କୁ ମାରଣାସ୍ତ୍ର ସହିତ ଆକ୍ରମଣ କରିବା ଅଭିଯୋଗରେ ପୁଲିସ୍‍ ଅନ୍ୟ ଏକ ମାମଲା ରୁଜୁ କରିଛି।

ଅଭିଯୋଗରୁ ପ୍ରକାଶ ଯେ, ବାଲି ଉତ୍ତୋଳନ କରି ଆସୁଥିବା ରାସ୍ତାରେ ଭାରିଯାନ ନ ଚଳାଇବା ପାଇଁ କିଛି ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଲିଜଧାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ମିଶି ଲିଜଧାରୀଙ୍କ ଅଫିସ ମଧ୍ୟକୁ ପଶି ତାଙ୍କୁ ଓ ପରିଚାଳକ ରତିକାନ୍ତ ମହାନ୍ତଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଅଫିସରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିବା ସହ ୧୦ହଜାର ୫ଶହ ଟଙ୍କା ନେଇଯାଇଥିଲେ। ଅନ୍ୟ ପକ୍ଷରେ ଗ୍ରାମବାସୀ ମନୋରଞ୍ଜନ ମହାଳିକ ଓ ଦିଲ୍ଲିପ ମହାନ୍ତ ଏକ ହିରୋ ମଟର ସାଇକେଲରେ ଥାନାକୁ ଆସୁଥିବା ବେଳେ ମାଣତ୍ରୀ-ବଡ଼ସାହି ରାସ୍ତା ମୈତ୍ରାପୁର ଜଙ୍ଗଲ ନିକଟରେ ଏକ ବୋଲେରୋ ଗାଡି ଓ ୩ଟି ବାଇକରେ ଆସିଥିବା ବେତନଟୀ ଓ ମହୁପୁରା ଗ୍ରାମର କିଛି ଯୁବକ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ। ବାଲି ରାସ୍ତାକୁ ବନ୍ଦ ନ କରିବା ପାଇଁ ସେମାନେ ଦୁଇଜଣଙ୍କୁ ମାଡ ମାରିବା ସହ ୩ଟି ମୋବାଇଲ ଓ ୮ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ ବୋଲି ମନୋରଞ୍ଜନ ମହାଳିକଙ୍କ ଅଭିଯୋଗରୁ ଜଣାପଡ଼ିଛି। ପୁଲିସ ଉଭୟ ପକ୍ଷରୁ ଏତାଲାକୁ ଭିତ୍ତି କରି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନେଇ ତଦନ୍ତ ଜାରି ରଖିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। ସୂଚନା ଥାଉ କି, ରାଜସ୍ୱ ବିଭାଗ ପକ୍ଷରୁ ସୈରାତ ନିଲାମ ଦେବା ସମୟରେ ଦର୍ଶାଯାଇଥିବା ରାସ୍ତା ଭାରି ଯାନବାହାନ ଚଳାଚଳ ପାଇଁ ପ୍ରଶସ୍ତ ହୋଇନଥିବାରୁ ଗ୍ରାମବାସୀଙ୍କ ସହମତିରେ ନିଜସ୍ୱ ଜମିରେ ଚଳପ୍ରଚଳ କରୁଥିଲା। ମାତ୍ର କୌଣସି କାରଣକୁ ନେଇ ଜମିର ସତ୍ତ୍ୱାଧିକାରୀଙ୍କ ପରିବର୍ତ୍ତେ ଅନ୍ୟ କେତେକ ଗ୍ରାମବାସୀ ଗାଡି ଚଳାଚଳ ବନ୍ଦ କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଥିବାର ଜଣାପଡ଼ିଛି। ପ୍ରତିବର୍ଷ ଏହି ସୈରାତରୁ ବାଲି ଉତ୍ତୋଳନ ସମୟରେ ଏଭଳି ଅପ୍ରିତୀକର ପରିସ୍ଥିତ ସୃଷ୍ଟି ହେଉଥିବା ଜଣାପଡିଛି। ତେବେ ବିଭାଗ ପକ୍ଷରୁ ଦିଆଯାଇଥିବା ରାସ୍ତାର ଜବରଦଖଲ ଉଚ୍ଛେଦ କଲେ ସୈରାତରୁ ବାଲି ଉତ୍ତୋଳନରେ ପ୍ରତିବନ୍ଧକ ରହିବ ନାହିଁ ବୋଲି କିଛି ଗ୍ରାମବାସୀ କହିଛନ୍ତି।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories