ପୁଲିସକୁ ଖୋଲା ଚାଲେଞ୍ଜ ; ବୋମା ପକାଇ ବଡ଼ମ୍ବା ତହସିଲଦାରଙ୍କ ଗାଡ଼ିର ସିଟ୍ ଜାଳିଦେଲେ ଦୁର୍ବୁତ୍ତ
ବଡ଼ମ୍ବା : ବଡ଼ମ୍ବା ସହର ମଧ୍ୟସ୍ଥ ପଥୁରିଆ ସାହିରେ ମଧ୍ୟରାତ୍ର ପୂର୍ବରୁ ଆତଙ୍କ ଖେଳାଇଛନ୍ତି ଦୁର୍ବୁତ୍ତ। କେହି ଘଟଣାର ଟେର ପାଇବା ପୂର୍ବରୁ ଦୁର୍ବୁତ୍ତମାନେ ସାହି ଭିତରେ ପଶି ଡ୍ରାଇଭର ନିଜ ଘର ଆଗରେ ରଖିଥିବା ତହସିଲଦାରଙ୍କ ଗାଡ଼ି(ଚୁକ୍ତି ଭିତ୍ତିକ ଲାଗିଥିବା ଏକ ବୋଲେରୋ)କୁ ଆକମ୍ରଣ କରିଥିଲେ। ଦୁର୍ବୁତ୍ତମାନେ ମାନେ ଇଟାରେ ଗାଡ଼ିର ଝରକା କାଚ ଭାଙ୍ଗିବା ସହିତ ବୋମା ପକାଇ ସିଟ ଜାଳିଦେଇ ବାଇକ ଯୋଗେ ଫେରାର ହୋଇ ଯାଇଥିବା ପ୍ରକାଶ। ଘଟଣାର କିଛିକ୍ଷଣ ପରେ ପ୍ରଚଣ୍ଡ ଶଦ୍ଦ ଶୁଣି ଏବଂ ଗାଡ଼ିରୁ ନିଆଁ ବାହାରୁଥିବା ସାହିଲୋକ ଦେଖିବାକୁ ପାଇଥିଲେ। ସେହି ସମୟକୁ ସଂପୃକ୍ତ ଗାଡ଼ିର ଡ୍ରାଇଭର ବିରଞ୍ଚି ନାରାୟଣ ପାଟ୍ଟଶାଣୀ ଏହି ଘଟଣା ଦେଖିବା ପରେ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ଫୋନ ଯୋଗେ ଏ ଅଘଟଣ ସମ୍ପର୍କରେ ଜଣାଇଥିଲେ। ତହସିଲଦାର ଶ୍ରୀ ବେହେରା ପୁଲିସକୁ ଜଣାଇବା ସହିତ ସଦଳବଳେ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାହି ଲୋକଙ୍କ ସହଯୋଗରେ ପାଣି ପକାଯାଇ ଗାଡ଼ିର ନିଆଁକୁ ଲିଭାଯାଇ ଆୟତ୍ତ କରାଯାଇଥିଲା । ପ୍ରାଥମିକଭାବେ ଏହି ଘଟଣା ଚୋରା ବାଲି କିମ୍ବା ପଥର ମାଫିଆ ଆକ୍ରୋଶ ରଖି ଘଟାଇଥିବା ସନ୍ଦେହ ପ୍ରକାଶ କରାଯାଇଛି । ଗାଡ଼ି ଡ୍ରାଇଭର ଏନେଇ ଲିଖିତ ଭାବେ ଏତଲା ଥାନାରେ ଦେଇଛନ୍ତି । ଅପରପକ୍ଷରେ ଥାନା ଅଧିକାରୀ ନିରଞ୍ଜନ ଦାସ ଏବଂ ତହସିଲଦାର ଶ୍ରୀ ବେହେରା ଆଜି ବଡ଼ଓଷା ଲାଗି ସିଂହନାଥ ଦେବଙ୍କ ପୀଠରେ କର୍ତ୍ତବ୍ୟ ସମ୍ପାଦନ ନେଇ ବ୍ୟସ୍ତ ରହିଥିବା ଜଣାଯାଇଛି। ତହସିଲଦାର ଶ୍ରୀ ବେହେରାଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା କହିଛନ୍ତି । ତେବେ ପୁଲିସ ତଦନ୍ତ କରୁଛି ଏବଂ ତଦନ୍ତରୁ ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ତହସିଲଦାର ଶ୍ରୀ ବେହେରା ଆଶାବ୍ୟକ୍ତ କରିଛନ୍ତି । ଜନଗହଳିପୂର୍ଣ୍ଣ ତଥା ବଡ଼ମ୍ବାର ପୂର୍ବତନ ବିଧାୟକ ସମୀର କୁମାର ରାଉତରାୟଙ୍କ ପୈତୃକ ଘରର କିଛି ଦୂରରେ ଏଭଳି ଘଟଣା ଘଟିବାକୁନେଇ ବଡ଼ମ୍ବା ସହରରେ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶପାଇଛି । ମାଫିଆଙ୍କ ଏଭଳି କାର୍ଯ୍ୟକଳାପ ବିଶେଷକରି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ଅପରାଧ ନିୟନ୍ତ୍ରଣ ଦିଗରେ ପୁଲିସପାଇଁ ଏକ ଖୋଲା ଚାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି । ତହସିଲଦାର ଶ୍ରୀ ବେହେରା ଘଟଣା ସମ୍ପର୍କରେ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଆଜି ଅବଗତ କରାଇଥିବା କହିଛନ୍ତି ।
Comments are closed.