ବଡ଼ମ୍ବା: ମହାନଦୀ ଉପରେ ନବନିର୍ମିତ ଗୋପୀନାଥପୁର – ବୈଦ୍ୟେଶ୍ୱର ଦୀର୍ଘତମ ସେତୁର ନିର୍ମାଣକାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ। ଏହି ସେତୁର ବୈଦ୍ୟେଶ୍ୱର ପାଖ ସଂଯୋଗ ରାସ୍ତାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ପ୍ରାୟ ୫/୬ମାସ ପୂର୍ବରୁ ନିର୍ମାଣ ସରିଛି ଗୋପୀନାଥପୁର କଡ଼ ସଂଯୋଗ ରାସ୍ତା। ସେତୁର ଉଦ୍ଘାଟନ ଏବଂ ଏହାର ବ୍ୟବହାର ନେଇ ସ୍ଥାନୀୟ ଜନତା ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ହେଲେ ବିଡ଼ମ୍ବନା ଗୋପୀନାଥପୁର କଡ଼ ସଂଯୋଗ ରାସ୍ତା ଇତିମଧ୍ୟରେ ଧସକି ଯାଇଥିବା ଦେଖାଯାଇଛି। ଅନୁସଂଧାନରୁ ଜଣାଯାଇଛି ବଡ଼ମ୍ବା ଗୋପୀନାଥପୁର ପଟୁ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବର ସୁରକ୍ଷିତ ପାଚେରୀ(ଗାର୍ଡ଼ ୱାଲ)ର କିଛି ଅଂଶରୁ ମାଟି ଧସି ପଡ଼ିଥିବା ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶକରିଛନ୍ତି।
ବିଶେଷଭାବେ ଏହି ରାସ୍ତାର ବାମପାର୍ଶ୍ବ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଲୋକାର୍ପଣ ପୂର୍ବରୁ ରାସ୍ତାର ଏଭଳି ଦୂରାବସ୍ଥା ଦେଖି ସ୍ଥାନୀୟଲୋକମାନେ ସଂଯୋଗ ରାସ୍ତା ନିମ୍ନମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏଭଳି ମାଟି ଅତଡ଼ା ଧସିପଡ଼ିବା ଫଳରେ ନୂଆକରି କରାଯାଇଥିବା ସଂଯୋଗ ପିଚୁ ରାସ୍ତାଟି ମଧ୍ୟ ପ୍ରଭାବିତ ହୋଇଛି। ଉକ୍ତ ରାସ୍ତାର କିଛିସ୍ଥାନ ଏହିକାରଣରୁ ଦବିଯାଇ ଫାଟି ଯାଇଥିବା ଲକ୍ଷକରାଯାଇଛି। ପ୍ରଭାବିତ ହୋଇଥିବା ଏହି ସଂଯୋଗ ରାସ୍ତାର ପାର୍ଶ୍ବମାଟି ଲଗାଣବର୍ଷା ଫଳରେ ହୁଏତ ଧସକି ଯାଇଥିବ। ହେଲେ କାହିଁକି ରାସ୍ତାପାର୍ଶ୍ବ ସୁରକ୍ଷିତ ପାଚେରୀ(ଗାର୍ଡ଼ ୱାଲ)ରେ ପଥର ପ୍ୟାକିଂ ଦିଆଯାଇନଥିଲା ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ନୂଆ ପ୍ରକଳ୍ପରେ ଦେଖାଯାଇଥିବା ଏଭଳି ବ୍ୟତିକ୍ରମର ସ୍ଥାୟୀ ସମାଧାନ ତଥା ତଦନ୍ତ ପୂର୍ବକ ରାସ୍ତାର ସୁରକ୍ଷା ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଆବଶ୍ୟକ ଦୃଷ୍ଟି ଦେବାକୁ ସ୍ଥାନୀୟ ଗୋପୀନାଥପୁର ମୌଜାବାସୀ ଦାବି କରିଛନ୍ତି।



