ବଢ଼ି ବିପତ୍ତିକୁ ବର୍ଷା ସୁଆତି; ବଳିପଡ଼ୁଛି ଦୁର୍ଦଶା

ବଢ଼ୁଛି ବିପନ୍ନଙ୍କ ଦୁର୍ଦଶା। ଶୁଖିନି ଘରଦ୍ୱାର, ମଶା ଡାଆଁଶରେ କଲବଲ ବିପନ୍ନ, ପଲିଥିନ, ବିଶୋଧକ ଓ ପାନୀୟଜଳ ଖୋଜୁଛନ୍ତି ଲୋକେ, ବଢ଼଼ି ବିପତ୍ତି ନଯାଉଣୁ ହଜାର ହଜାର ବିପନ୍ନ ପରିବାରଙ୍କ ପାଇଁ ବର୍ଷା ଦୁର୍ବିସହ ହୋଇଛି। ଗୁରୁବାର ବିଳମ୍ବିତ ରାତିରୁ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ସୁଆତି ତୁହାକୁତୁହା ଲାଗିରହିଛି। ଘର ଭିତରକୁ ଯାଇ ନପାରି ଛାତ ଉପରେ ଚିରାଛିଣ୍ଡା ଜରିଟାଣି ଆଶ୍ରୟ ନେଇଥିବା ବିପନ୍ନ ପରିବାରଙ୍କ ଦୁର୍ଦଶା କହିଲେ ନସରେ। ଗୁରୁବାର ଠାରୁ ମହାନଦୀ ବଢ଼ିପାଣି କମୁଥିଲେ ମଧ୍ୟ ଏବେବି ବହୁ ଗାଁ ଗଣ୍ଡରେ ବନ୍ୟାଜଳ ରହିଛି। କେତେକ ଗାଁରୁ ପାଣି ଛାଡ଼ିଯାଇଥିଲେ ବି ଘରେ ରହିବା ସମ୍ଭବ ହେଉନାହିଁ। ବନ୍ୟାଜଳରେ ଘର ଚଟାଣ ଓ କାନ୍ଥ ସନ୍ତସନ୍ତିଆ ହୋଇ ରହିଛି। ଗୁହାଳରୁ ପାଣି ଛାଡ଼ିନି, ଗୃହପାଳିତ ଘରକୁ େଫରିନାହାନ୍ତି। ଗାଁ ଚାରିକଡ଼ରେ ବନ୍ୟାଜଳ ଗତ ୫ଦିନ ହେଲା ଜମି ରହିବା ଯୋଗୁଁ ଫସଲ ପଚିଶଢ଼ି ଗଲାଣି। ରାସ୍ତାଘାଟରେ ପାଣିକାଦୁଅ। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ଏହି ଲଗାଣ ବର୍ଷାରେ ପୂତ୍ତିଗନ୍ଧମୟ ହୋଇଉଠିଛି। କଟକ ଜିଲାର ତିଗିରିଆ, ବଡ଼ମ୍ବା, ନରସିଂହପୁର ଓ ବାଙ୍କୀ ଅଞ୍ଚଳରେ ବିପନ୍ନଙ୍କ ସମଦଶା ଦେଖିବାକୁ ମିଳିଛି।

prayash

ତିଗିରିଆ/ବଡ଼ମ୍ବା/ନରସିଂହପୁର : ମହାନଦୀ ବଢ଼ିପାଣି ହ୍ରାସ ପାଉଛି। ବନ୍ୟାଜଳ ଜନବସତି ଗୁଡ଼ିକରୁ ଛାଡ଼ିଯାଇଥିଲେ ମଧ୍ୟ ବିପନ୍ନମାନେ ଘରବାହୁଡ଼ା କରିପାରିନାହାନ୍ତି। ଏଣେ ଲଘୁଚାପ ଜନିତ ତୁହାକୁତୁହା ବର୍ଷା ବିପନ୍ନଙ୍କ ଦୁର୍ଦଶା ବଢ଼ାଇ ଚାଲିଛି। ବନ୍ୟାବିପନ୍ନ ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ହାଟମାଳ ଏବଂ ଗଦାଧରପୁର ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡ଼ିକର ଜନବସତିରୁ ଅପସରି ଯାଇଥିଲେ ମଧ୍ୟ ଗାଁ ଚାରିକଡ଼କୁ ପାଣି ଘେରି ରହିଛି। ସୋମବାର ଠାରୁ ତିଗିରିଆ ବ୍ଲକ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମ ବଢ଼଼ିପାଣି ଘେରରେ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି। ଏବେବି ବ୍ଲକର ବଡ଼ନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା ଗ୍ରାମର ସାଇକଲୋନୀ ଜଳବନ୍ଦୀ ହୋଇ ରହିଛି। ଏହିସବୁ ଗ୍ରାମଗୁଡ଼ିକର ସଂଯୋଗୀ ରାସ୍ତା ଉପରେ ବନ୍ୟାଜଳ ରହିଥିବାରୁ ଲୋକେ ବାହାରକୁ ଯାତାୟାତ କରିପାରୁ ନାହାନ୍ତି। ଗତ ୪ଦିନ ଧରି ବନ୍ୟାଜଳ ସହିତ ସବୁଜ କୃଷିକ୍ଷେତ୍ର ପଚିଶଢ଼ିବା ଯୋଗୁଁ ସନ୍ଧ୍ୟା ପରେ ମଶା, ଡାଆଁଶଙ୍କ ପ୍ରାଦୁର୍ଭାବ ବଢ଼ିଛି। ସରୀସୃପଙ୍କ ଭୟ ଲାଗି ରହିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଭୋର ସମୟରୁ ଲଘୁଚାପ ଜନିତ ବର୍ଷା ବିପନ୍ନଙ୍କୁ ଦାଉ ସାଧିଛି। ଯେଉଁମାନଙ୍କ ଘରୁ ବନ୍ୟାଜଳ ଗୁରୁବାର ଛାଡ଼ିଯାଇଛି ସେସବୁ ପାଣି କାଦୁଅରେ ଭରି ରହିଛି। ଲୋକେ ଛାତ ଉପରେ ଯେନତେନ ପ୍ରକାରେ ଆଶ୍ରୟ ନେଇଛନ୍ତି।
ସେହିପରି ବଡ଼ମ୍ବା ବ୍ଲକର ବନ୍ୟାପ୍ରଭାବିତ ପଞ୍ଚାୟତ ଗୁଡ଼ିକରେ ସମଦଶା ହୋଇଛି। ନଦୀକୂଳିଆ ବନ୍ୟା ଜଳ ଅପସରିଯିବା ପରେ ପୁନର୍ବାର ସାଧାରଣ ଜୀବନଯାପନର ରାହା ଖୋଜୁଥିବା ବେଳେ ଲଗାଣ ବର୍ଷା କଷ୍ଟ ଦେଉଛି। ଘର ବାହାର ଗାଁ ଦାଣ୍ଡ ସର୍ବତ୍ର ସନ୍ତସନ୍ତିଆ ଏବଂ କର୍ଦମାକ୍ତ। ଗାଁରୁ ପାଣି ଖସିବାପରେ ଘର ସଜାଡ଼ି ପାରିନଥିବା ବନ୍ୟାକ୍ଲିଷ୍ଟ ଲୋକେ ଦୁଇଦିନ ହେବ ବର୍ଷା ଲାଗି ରହିଥିବାରୁ ଏବେ ପଦାକୁ ବାହାରିପାରୁ ନାହାନ୍ତି। ନରସିଂହପୁର ବ୍ଲକର ବନ୍ୟା ପ୍ରଭାବିତ ନରସିଂହପୁରର କମଳାଡ଼ିହ, ରେଗେଡ଼ା, ଯୋଡ଼ୁମୁଁ, ନୂଆପାଟଣା, ପଦାମାଳ, ଦେଭୂଇଁ, ବସନ୍ତପୁର, ପାଇକବାରବାଟୀ, କାଞ୍ଜିଆପଦା, ଚମ୍ପେଶ୍ୱର, ଏକଡାଳ ଏବଂ ବାଲିଝରିଣୀ ଭୂଇଁ, ଦଲକ, ମନ୍ଦାଣିଆ, ବାସେଳିହତାର ଦେଶୁଆସାହି, କାନପୁରର ତାମେରା ଆଦି ଗ୍ରାମ ଜଳବନ୍ଦୀ ହୋଇ ରହିଛି। ପୂର୍ବରୁ ୨୨ଗ୍ରାମ ଜଳବନ୍ଦୀ ରହିଥିଲା ବେଳେ ବନ୍ୟାଜଳ ଅପସରିଯିବା ପରେ ସଂଯୋଗୀ ରାସ୍ତାରେ ଯାତାୟାତ ସମ୍ଭବ ହୋଇଛି। ଗତକାଲି ଠାରୁ ଲଗାଣ ବର୍ଷାପରେ ହାଡ଼ୁଆ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଦଲକ ଗ୍ରାମ ପୁନର୍ବାର ଜଳବନ୍ଦୀ ହୋଇଛି।

kalyan agarbati

Comments are closed.