ଥାନାରେ ହାଜର ହେଲେ ବାବୁସାନ୍ ; ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି
ସମାଧାନର ବାଟ ବାହାରିଛି : ରବି ମିଶ୍ର
ଭୁବନେଶ୍ୱର : ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଶନିବାର ବାବୁସାନ୍ ଖାରବେଳ ନଗର ଥାନାରେ ହାଜର ହୋଇଥିଲେ। ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର ମଧ୍ୟ ଖାରବେଳ ନଗର ଥାନା ଯାଇଥିଲେ। ପୋଲିସ୍ ବାବୁସାନ୍ ଙ୍କୁ ପ୍ରାୟ ଏକ ଘଣ୍ଟା କାଳ ପଚରା ଉଚରା କରିଥିଲା।
ଅନ୍ୟପକ୍ଷରେ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର। ସମାଧାନର ବାଟ ବାହାରିଛି, ଖୁବ୍ ଶୀଘ୍ର ତୃପ୍ତି କେସ୍ ପ୍ରତ୍ୟାହାର କରିବେ ବୋଲି ସେ କହିଛନ୍ତି । ସେହିପରି ଆଜି ଜନ୍ମଦିନରେ ବାବୁସାନ୍ ମଧ୍ୟ ଫୋନରେ ତୃପ୍ତିଙ୍କ ସହ କଥା ହୋଇଛନ୍ତି।
ଖାରବେଳନଗର ଥାନା ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି, ବାବୁସାନଙ୍କୁ ଥାନାରେ ହାଜର ହେବାକୁ ସୂଚନା ଦେଇଥିଲୁ। ସେହି ଆଧାରରେ ସେ ଆଜି ଥାନାରେ ହାଜର ହୋଇଥିଲେ । ତାଙ୍କ ସହ ତାଙ୍କ ମା’ ଅପରାଜିତା ଓ ରବି ମିଶ୍ର ଥିଲେ। ସେମାନଙ୍କ ଉପସ୍ଥିତିରେ ବାବୁସାନଙ୍କୁ ଜେରା କରାଯାଇଥିଲା। ୨ଟି କେସ୍ ରେ ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ବାବୁସାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମାମଲାର ସବୁ ଦିଗକୁ ଅନୁଶୀଳନ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଏହା ପୂର୍ବରୁ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରି ଧନ୍ୟବାଦ ଜଣାଇଥିଲେ। ଆଜି ଜନ୍ମଦିନରେ ସକାଳେ ତାଙ୍କ ଘର ସାମ୍ନାରେ ପ୍ରଶଂସକଙ୍କର ଭିଡ଼ ଲାଗି ରହିଥିଲା।
Comments are closed.