www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ଛାଡ ଭଳି ‘ଭାରତ ଯୋଡ’ ଅଭିଯାନ ହେଉଛି ଆଜିର ଆହ୍ୱାନ : ରାଜ୍ୟପାଳ

ଭୁବନେଶ୍ୱର : ସ୍ୱାଧୀତାର ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାଧୀତାର ଅମୃତ ମହୋତ୍ସବ ସମାରୋହ ସମିତି, ଓଡିଶା ପୂର୍ବପ୍ରାନ୍ତ ଦ୍ୱାରା ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଲେଖକ ରାମ ମାଧବ ଯୋଗଦେଇ ଦେଶବାସୀଙ୍କୁ ସ୍ୱାଧୀନତାର ପୂର୍ବ ସଂଧ୍ୟାରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ସମିତିର ସଭାପତି ପ୍ରଫେସର ହରିହର ପଣ୍ଡା ଏବଂ ଅତିଥି ପରିଚୟ ସହତି ସ୍ୱାଗତ ଭାଷଣ ରଖିଥିଲେ ସଂପାଦକ ରବି ନାରାୟଣ ପଣ୍ଡା।
ପ୍ରବଳ ବର୍ଷାସତ୍ତ୍ବେ ସମ୍ମିଳନୀ କକ୍ଷରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ରାଜ୍ୟପାଳ କହିଲେ ଯେ, ସ୍ୱାଧୀନତା ସ୍ୱୟଂ ପ୍ରେରିତ, ସ୍ୱୟଂ ପ୍ରେଷିତ ହେବା ଉଚିତ । ଏ ପରିସ୍ଥିତିରେ ଦେଶର ପ୍ରତ୍ୟକ ନାଗରିକ ନିଜକୁ ସ୍ୱାଧୀନଚେତା ନାଗରିକ ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି । ପ୍ରକୃତପକ୍ଷେ ତେବେ ଯାଇ ଆମେ ସ୍ୱାଧୀନ ବୋଲାଇବା ଯେବେ ସାମାନ୍ୟ ନାଗରିକ ଟିଏ ବିନା ଦ୍ୱିଧାରେ ପ୍ରଶାସକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯାଏ ବିନା ପ୍ରତିଦ୍ବନ୍ଧିତାରେ ପହଞ୍ଚି ପାରିବ । ରାଜ୍ୟପାଳ କହିଲେ ଯେ ଅତୀତରେ ଯେଭଳି ଭାରତ ଛାଡ ଆନ୍ଦୋଳନ କରାଯାଇଥିଲା ବର୍ତମାନ ଭାରତ ଯୋଡ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି।
ଏହି ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବିଶିଷ୍ଟ ଲେଖକ ରାମ ମାଧବ କହିଲେ ଯେ, ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯଦିଓ କଂଗ୍ରେସ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ତଥାପି ଏଥିରେ ସମାଜର ସବୁ ବର୍ଗର ଲୋକଙ୍କର ଯୋଗଦାନ ମଧ୍ୟ ଥିଲା। ମହାତ୍ମା ଗାନ୍ଧୀ କଂଗ୍ରେସର ଆନ୍ଦୋଳନକୁ ସଂମ୍ପନ୍ନ ବର୍ଗଙ୍କ ହାତରୁ କାଢି ଆଣି ଏହାକୁ ସର୍ବ ସାଧାରଣଙ୍କ ଆନ୍ଦୋଳନ କରିଦେଇଥିଲେ। ସେ ସମୟର ଏହି ମୁଖ୍ୟ ଆନ୍ଦୋଳନ ସହିତ କ୍ରାନ୍ତିକାରୀମାନେ ମଧ୍ୟ ନିଜ ନିଜ ସ୍ତରରେ ଆନ୍ଦୋଳନ ଚଳାଇଥିଲେ। ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଅନିଛୁକ ଥିବା ଇଂରେଜ ଶାସକଙ୍କର ତର୍କ ଥିଲା ଯେ, ଭାରତୀୟମାନେ ସ୍ୱାଧୀନତାକୁ ସମ୍ଭାଳି ରଖିପାରିବେ ନାହିଁ। ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ଆଜି ପ୍ରମାଣିତ କରିପାରିଛି ଯେ,ଏହା କେବଳ ନିଜର ସ୍ୱାଧୀନତା ବଜାୟ ରଖିପାରି ନାହିଁ ବରଂ ଗଣତନ୍ତ୍ରକୁ ସୁଦୃଢ କରି ପାରିଛି । ଆମକୁ ଗଣତନ୍ତ୍ରର ମୂଲ୍ୟବୋଧ ବୁଝାଉ ଥିବା ଅନେକ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆମ ଗଣତନ୍ତ୍ର ଯେ ଖୁବ ମୁଜବୁତ ତାହା ବାରମ୍ବାର ପ୍ରମାଣିତ ହୋଇଛି। ଉଦାହରଣ ସ୍ୱରୂପ ପୃଥିବୀର ସର୍ବପୁରାତନ ଗଣତନ୍ତ୍ର ବୋଲାଉଥିବା ଆମେରିକା ୨୩୦ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ହେଲେ ମହିଳା ରାଷ୍ଟ୍ରପତି ଦେଇ ପାରିଲା ନାହିଁ କିନ୍ତୁ ମାତ୍ର ୭୫ ବର୍ଷର ଗଣତନ୍ତ୍ର ଭାରତ ଦୁଇ ଦୁଇ ଜଣ ମହିଳା ରାଷ୍ଟ୍ରପତିଙ୍କୁ ଦେଶର ପ୍ରଥମ ନାଗରିକର ସମ୍ମାନ ପ୍ରଦାନ କରିଛି । ଆଜି ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛନ୍ତି। ଏକ ରାଷ୍ଟ୍ର ନିମନ୍ତେ ୭୫ ବର୍ଷର କାଳଖଣ୍ଡ କିଛି ବଡ ସମୟ କୁହାଯାଇ ପାରେନା କିନ୍ତୁ ବିଗତ ୭୫ ବର୍ଷ ମଧ୍ୟରେ ଆମ ଦେଶ ବିଭିନ୍ନ କ୍ଷେତ୍ରରେ ଯେଉଁ ଉପଲବ୍ଧି ହାସଲ କରିଛି ତାହା କିଛି କମ୍ ବୋଲି କୁହାଯାଇ ପାରିବ ନାହିଁ।
ଶ୍ରୀ ରାମମାଧବ କହିଲେ ଯେ, ଦେଶର ସ୍ୱାଧୀନତା ନିମନ୍ତେ ଯେଭଳି ଭାବେ ସମସ୍ତେ ନିଜେ ନିଜର ଯୋଗଦାନ ଦେଇଥିଲେ ଏହି ସ୍ୱାଧୀନତାକୁ ବଜାୟ ରଖିବା ନିମନ୍ତେ ସମସ୍ତଙ୍କୁ ସେହିଭଳି ଯୋଗଦାନ ପୂର୍ବକ ସହଯୋଗ କରିବାକୁ ହେବ। ୧୯୪୭ ମସିହାରେ ହୋଇଥିବା ଭାରତର ବିଭାଜନକୁ ଏକ କୃତିମ ବିଭାଜନ ବୋଲି ବର୍ଣ୍ଣନା କରି ଶ୍ରୀ ରାମ ମାଧବ କହିଲେ ଯେ ଧର୍ମ ଆଧାରରେ ହୋଇଥିବା ଏହି ବିଭାଜନ ଭାରତର ସଂସ୍କୃତି ଅନୁକୂଳ ବିଭାଜନ ନୁହେଁ । ସେ କହିଲେ ଯେ, ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ଭାରତୀୟ ଏବଂ ଭାରତୀୟତା ହିଁ ଆମର ସାଂସ୍କୃତିକ ପରିଚୟ। ଆମେ ଭାରତରେ ବସବାସ କରୁଥିବା ପ୍ରତ୍ୟକ ଲୋକଙ୍କୁ ଭାରତୀୟ ବୋଲି ମନେ କରିଥାଉ। ଏଥିରେ ଧର୍ମ, ମତ, ସଂପ୍ରଦାୟର କୌଣସି ବିଭେଦ ନାହିଁ।
ଶ୍ରୀ ରାମ ମାଧବ କହିଲେ ଯେ, ବର୍ତ୍ତମାନ ଭାରତ ବଳିଷ୍ଠ ନେତୃତ୍ୱ ଅଧିନରେ ବିକାଶ ଦିଗରେ ନିରନ୍ତର ଆଗେଇ ଚାଲିଛି। ଆଜି ଦେଶରେ ସୁରକ୍ଷାର ଏକ ବାତାବରଣ ନିର୍ମିତ ହୋଇ ପାରିଛି। ବିଗତ ଦିନମାନଙ୍କରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ଅନେକ ମାତ୍ରାରେ ବଢି ଯାଇଥିଲା ଜନ ସାଧାରଣ ଆତଙ୍କିତ ରହିଥିଲେ। ହେଲେ ଆଜି ପରିସ୍ଥିତି ବଦଳି ଯାଇଛି। ଆଜି ଗଣତନ୍ତ୍ର ସୁରକ୍ଷିତ ଓ ଆତଙ୍କବାଦୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ଶ୍ରୀ ରାମ ମାଧବ କହିଲେ ଯେ,ଦେଶର ପ୍ରଗତିରେ ଦୁର୍ନୀତି ବହୁତ ବଡ ପ୍ରତିବନ୍ଧକ ସାଜିଥାଏ। ଦୁର୍ନୀତ ଲୋପ କରିବା ନିମନ୍ତେ ମୁଖ୍ୟତଃ ଦୁଇ ପ୍ରକାର ପ୍ରଚେଷ୍ଟା ଫଳପ୍ରଦ ହୁଏ। ପ୍ରଥମଟି ହେଲା ଏଭଳି ନେତୃତ୍ୱ ଯାହାକୁ ଦୁର୍ନୀତି ସ୍ପର୍ଶ କରି ପାରେ ନାହିଁ ଏବଂ ଦ୍ୱତୀୟତଃ ନୀତିବାନ ଜନତା। ଦେଶର ସାଧାରଣ ନାଗରିକଙ୍କୁ ନୀତିବାନ କରି ଗଢି ତୋଳିଲେ ଦୁର୍ନୀତି ଆପେ ଆପେ ଲୋପ ପାଇଯିବ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁମନ୍ତ କୁମାର ପଣ୍ଡା, ଡ.ବସନ୍ତ ପତି, ଜୟକୃଷ୍ଣ ପୃଷ୍ଟି, ନିରଞ୍ଜନ ନାୟକ ପ୍ରମୁଖ ଅନେକ କାର୍ଯ୍ୟକର୍ତା ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories