ଅଯୋଧ୍ୟା ମାମଲା : ଜୁଲାଇ ୧୩ରେ ଆସନ୍ତା ଶୁଣାଣି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶୁକ୍ରବାର ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ଭୂମି ବିବାଦ ମାମଲାରେ ଶୁଣାଣି ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏସ୍ ଅବଦୁଲ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଆସନ୍ତା ଶୁଣାଣି ପାଇଁ ଜୁଲାଇ ୧୩କୁ ତାରିଖ ଧାର୍ଯ୍ୟ କରିଛନ୍ତି।
ଏହି ଅବସରରେ ମୁସଲିମ୍ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧାୱନ କହିଥିଲେ ଯେ ମସଜିଦ୍ କୌଣସି ମନୋରଞ୍ଜନ ପାଇଁ ନିର୍ମାଣ କରାଯାଇନଥିଲା, ଏଠାରେ ଶତାଧିକ ଲୋକ ନମାଜ ପଢୁଥିଲେ। କ’ଣ ଏହାକୁ ଧର୍ମର ପ୍ରଥା ବୋଲି ଧରାଯିବ ନାହିଁ ?। ଏହା ପୂର୍ବରୁ ମଇ ୧୭ରେ ଶୁଣାଣି ଅବସରରେ ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ବାବ୍ରି ମସଜିଦ୍ ପାଇଁ କୌଣସି ବିଶେଷସ୍ଥାନାର କିଛି ମହତ୍ୱ ନାହିଁ। କିନ୍ତୁ ରାମ ଜନ୍ମସ୍ଥଳୀର ଧାର୍ମିକ ମହତ୍ୱ ରହିଛି ଏବଂ ହିନ୍ଦୁଙ୍କ ଧାର୍ମିକ ଭାବନା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାମ ଜନ୍ମଭୂମି ସ୍ଥାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ହେବନାହିଁ। ଏହା ଉପରେ ମୁସଲମମାନ ପକ୍ଷ ରଖି ରାଜୀବ ଧାୱନ ଏହା କହିଥିଲେ ଯେ ଇସଲାମ ଧର୍ମରେ କୌଣସି ବି ସ୍ଥାନରେ ନମାଜ ପାଠ କରିହେବ। କିନ୍ତୁ ମୁସଲମାନଙ୍କ ପାଇଁ ମସଜିଦ୍ ଗୁରୁତ୍ୱପୂର୍ଣ୍ଣ ଅଟେ ଓ ସାମୂହିକ ନମାଜ ପାଠ ମସଜିଜରେ ହୋଇଥାଏ। ମସଜିଦ୍କୁ ଇସଲାମର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନ ମାନିବା ନେଇ ସୁପ୍ରିମକୋର୍ଟର ରାୟ ଭୁଲ ଅଟେ। ଅପରପକ୍ଷରେ ହିନ୍ଦୁ ପକ୍ଷ ଓକିଲ ତଥା ଉତ୍ତରପ୍ରଦେଶ ସରକାରୀ ଓକିଲ ଅତିରିକ୍ତ ସୋଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି କରିଥିଲେ ଯେ ମୁସଲମାନ ପକ୍ଷର ଓକିଲ ମାମାଲାକୁ ଝୁଲାଇ ରଖିବାକୁ ଚେଷ୍ଟା କରୁଛନ୍ତି। ଆବେଦନ ଦାଖଲ ବେଳେ ଇସ୍ମାଇଲ ଫାରୁକି ମାମଲାକୁ ଉଠାଯାଇନଥିଲା। ଏବେ ମାମଲାକୁ ଝୁଲାଇ ରଖିବା ପାଇଁ ଏହି ପ୍ରସଙ୍ଗକୁ ଉଠାଯାଉଛି। ଏହା ପୂର୍ବରୁ ୧୭ ମଇରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ମାମଲାର ଆଗାମୀ ଶୁଣାଣି ପାଇଁ ଜୁଲାଇ ୬କୁ ତାରିଖ ଧାର୍ଯ୍ୟ କରିଥିଲେ। ଧାର୍ଯ୍ୟ ତାରିଖ ଅନୁସାରେ ଶୁକ୍ରବାର ଉଭୟ ପକ୍ଷର ଯୁ୍କ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୧୩କୁ ତାରିଖ ଧାର୍ଯ୍ୟ କରିଛନ୍ତି। ମଇ ୧୭ ଶୁଣାଣି ବେଳେ ମୁସଲିମ ପକ୍ଷର ଓକିଲ ୧୯୯୪ ଇସ୍ମାଇଲ ଫାରୁକି ରାୟକୁ ଉଠାଇଥିଲେ। ଏହି ରାୟରେ ମସଜିଦ୍ରେ ନମାଜ ପାଠ ଇସଲାମର ଏକ ଅଭିନ୍ନ ଅଙ୍ଗ ବୋଲି କୁହାଯାଇଥିଲା।
ପ୍ରକାଶ ଯେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ତିନିଜଣିଆ ବିଚାରପତି ପୀଠ ଅଯୋଧ୍ୟାସ୍ଥିତ ବିବାଦୀୟ ମନ୍ଦିର ଜମିକୁ ପ୍ରମୁଖ ତିନି ଅଂଶୀଦାରଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେଇଥିଲେ। ୨.୭୭ ଏକର ଜମିକୁ ତିନି ପ୍ରମୁଖ ଅଂଶୀଦାର ବାଣ୍ଟିନେବା ଲାଗି କୁହାଯାଇଥିଲା; ମାତ୍ର ଏହାକୁ ଅଂଶୀଦାରମାନେ ଗ୍ରହଣ ନ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ଏହି ବିବାଦକୁ ନେଇ ୧୩ଟି ପିଟିସନ ଦାଏର ହୋଇଛି। ଏହି ବିବାଦରେ ତିନିଜଣ ମୁଖ୍ୟ ଅଂଶୀଦାର ରହିଛନ୍ତି। ସେମାନେ ହେଲେ ରାମ ଲାଲା, ନିର୍ମୋହି ଆଖଡା ଓ ସୁନ୍ନି ୱାକଫ ବୋର୍ଡ।