ଅୟଙ୍କ ସାହୁ ୧୩ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନ

ନୋଏଡାରେ ଖେଳିବେ ଜାତୀୟ ଚାମ୍ପିୟନସିପ୍

ସମ୍ବଲପୁର : ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଓ ରବିବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ସମ୍ବଲପୁରର ବ୍ୟାଡମିଣ୍ଟନ ବିସ୍ମୟ ବାଳକ ଅୟଙ୍କ ସାହୁ (୯ ବର୍ଷ) ୧୩ ବର୍ଷରୁ କମ୍ ବାଳକ ବର୍ଗରେ ଚାମ୍ପିୟନ ଏବଂ ଡବଲ୍ସରେ ରନର୍ସ ଅପ୍ ହୋଇ ସଫଳତା ହାସଲ କରିଛନ୍ତି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସଭାପତି ମିହିର ରାୟଙ୍କ ଠାରୁ ସେ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ସାରା ରାଜ୍ୟରୁ ବିଭିନ୍ନ ବର୍ଗରେ ୧୫୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନେ ଆଗାମୀ ନଭେମ୍ବର ୧୪ ରୁ ୧୭ ତାରିଖ ମଧ୍ୟରେ ହରିୟାଣାର ନୋଏଡା ଠାରେ ଆୟୋଜିତ ହେବାକୁ ଥିବା ୧୧ ବର୍ଷରୁ କମ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଏବଂ ନଭେମ୍ବର ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ୧୩ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ଭାଗ ନେବେ । ସମ୍ବଲପୁରର ସହଯୋଗ ନଗର ନିବାସୀ ବ୍ୟାଡମିଣ୍ଟନ କୋଚ ତଥା ପିତା ରାକେଶ ସାହୁ ଓ ସୁନିତା ସାହୁଙ୍କ ପୁତ୍ର ଅୟଙ୍କ ପୂର୍ବରୁ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳତା ହାସଲ କରି ସାରିଥିବା ବେଳେ ଏହି କୃତୀତ୍ୱ ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳୁଛି।

Comments are closed.