ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ରବିବାର ଭାରତୀୟ ଦଳର ଘୋଷଣା କରାଯାଇଛି। ଦଳରେ ବରିଷ୍ଠ ଅଲ୍ରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ନେଇ କ୍ରିକେଟ୍ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତକୁ ଚମ୍ପିଆନ୍ସି ଟ୍ରଫି ଜିତାଇବାରେ ଅକ୍ଷରଙ୍କର ବଡ଼ ଭୂମିକା ଥିଲା। ଦଳରେ କୁଲଦୀପ ଯାଦବ ଥିବା ବେଳେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଫେରିଥିବାରୁ ଅକ୍ଷରଙ୍କୁ ସ୍ଥାନ ମିଳିନାହିଁ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଷର ପଟେଲ ଦିନିକିଆ ଶୃଙ୍ଖଳା ଖେଳି ଭଲ ପ୍ରଦର୍ଶନ କରିଥିଲେ ହେଁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି।
ଏହାକୁ ନେଇ ଏକ୍ସରେ କ୍ରିକେଟପ୍ରେମୀ ମନୋନୟନକାରୀଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। ଜଣେ ଲେଖିଛନ୍ତି, ଅକ୍ଷର ଦିନିକିଆ ଦଳରୁ ବାଦ୍ପଡ଼ିବା ଅତ୍ୟନ୍ତ ଚକିତକର। ଆଉ ଜଣେ ପ୍ରଶ୍ନ କରିଛନ୍ତି, ଅକ୍ଷର କ’ଣ ତ୍ରୁଟି କଲେ ଯେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି? ଆଉ ଜଣେ ଥଟ୍ଟାକରି ଲେଖିଛନ୍ତି, ଅକ୍ଷରଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଛି। କାରଣ ସେ ଦଳକୁ କଲକାତା ଟେଷ୍ଟ ଜିତାଇ ପାରିଲେ ନାହିଁ। ଆଉ ଜଣେ ଲେଖିଛନ୍ତି, ମନୋନୟନ କମିଟିକୁ ଅକ୍ଷର ଓ ଜାଡ଼େଜା କହି ଦେଇଛନ୍ତି- ଗୋଟିଏ ଦିନିକିଆ ଶୃଙ୍ଖଳା ତୋର, ଆଉ ଗୋଟିଏ ଶୃଙ୍ଖଳା ମୋର। ଆଉ ଜଣେ ଲେଖିଛନ୍ତି, ଦିନକ ତେଳ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେବେ। ହେଲେ ଆଜି ଅକ୍ଷରଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା ଆସିଗଲେ। ସ୍ପଷ୍ଟ ଭାବେ ଜଣା ପଡ଼ୁନାହିଁ ଯେ ଅକ୍ଷରଙ୍କୁ ଦିନିକିଆ ଶୃଙ୍ଖଳାରୁ ବାଦ୍ ଦିଆଯାଇଛି ନା ତାଙ୍କୁ ବିଶ୍ରାମ ଦିଆଯାଇଛି।



