ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆଜି

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ର ପ୍ରଥମ ଲିଗ୍ ମ୍ୟାଚ୍ ଖେଳିଥିଲା ଦକ୍ଷିଣ ଆଫ୍ରିକା। ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍‌କୁ ୧୦୪ ରନ୍‌ରେ ହାରିବା ପରେ ଦକ୍ଷିଣ ଆଫ୍ରିକା ଆଉ ଟୁର୍ଣ୍ଣାମେଣ୍ଟକୁ ଫେରି ପାରିନଥିଲା। ୮ଟି ମ୍ୟାଚ୍‌ରୁ ମାତ୍ର ୨ଟି ଜିତିଥିବା ଦକ୍ଷିଣ ଆଫ୍ରିକା ୨ ସପ୍ତାହ ତଳୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲା। ୮ ଦିନର ବ୍ୟବଧାନରେ ପରେ ଦକ୍ଷିଣ ଆଫ୍ରିକା ପୁଣି ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। ପ୍ରଥମ ଲିଗ୍ ମ୍ୟାଚ୍ ଖେଳିଥିବା ଦକ୍ଷିଣ ଆଫ୍ରିକା ଶନିବାର ୪୫ତମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ଗତଥରର ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ। ୮ଟିରୁ ୭ଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଅା ଏବେ ୧୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ଏବଂ ବହୁ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛି। ତେଣୁ ଅଷ୍ଟ୍ରେଲିଆ ପରି ଦଳକୁ ଅନ୍ତିମ ମ୍ୟାଚ୍‌ରେ ହରାଇପାରିଲେ ଏହା ଦକ୍ଷିଣ ଆଫ୍ରିକା ପାଇଁ ବହୁତ ବଡ଼ ସଫଳତା ହେବ।
ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିଫଳ ହୋଇଥିବା ବେଳେ ଏହି ମ୍ୟାଚ୍‌କୁ ଛାଡ଼ି କଙ୍ଗାରୁ ଦଳ ନିଖୁଣ ପ୍ରଦର୍ଶନ କରିଛି। ଦଳକୁ ଏହି ସଫଳତା ଦେଇଛନ୍ତି ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର। ଉଭୟେ ୨ଟି ଲେଖାଏଁ ଶତକ ଓ ୩ଟି ଲେଖାଏଁ ଅର୍ଦ୍ଧଶତକ ମାରି ୫ ଶହରୁ ଅଧିକ ରନ୍ କରିଛନ୍ତି। ଏମାନଙ୍କୁ ଛାଡ଼ି ଷ୍ଟିଭେନ୍ ସ୍ମିଥ୍, ଉସ୍‌ମାନ ଖାୱାଜା ଓ ଆଲେକ୍ସ କ୍ୟାରି ଉପଯୋଗୀ ପ୍ରଦର୍ଶନ କରିଛନ୍ତି। ଓପ୍‌ନରଙ୍କ ସଫଳତା ଯୋଗୁଁ ମଧ୍ୟକ୍ରମ ଉପରେ ଚାପ ପଡ଼ିନାହିଁ। ତଥାପି ସେମିଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚ୍ ବିଜେତା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କଠାରୁ ବଡ଼ ସ୍କୋର୍ ଆଶାରଖିଛି। ଅଷ୍ଟ୍ରେଲିଆର ଦୁଇ ଫାଷ୍ଟବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍‌ସ ଚମତ୍କାର ବୋଲିଂ କରିଛନ୍ତି। ଷ୍ଟାର୍କ ୨୪ଟି ଓ କମିନ୍‌ସ ୧୨ଟି ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲର ଭଲ ପ୍ରଦର୍ଶନ କରିିଥିବା ବେଳେ ଦଳକୁ ବ୍ୟାଟ୍‌ସମ୍ୟାନ୍ ନିରାଶ କରିଛନ୍ତି। ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କୁ ଛାଡ଼ି କେହି ୫୦ରୁ ଅଧିକ ଆଭ୍‌ରେଜରେ ରନ୍ କରିନାହାନ୍ତି। ହାସିମ୍ ଆମ୍‌ଲା ଓ କ୍ବିଣ୍ଟନ୍ ଡି କକ୍ ନିୟମିତ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି। ଅନ୍ୟ ସମସ୍ତେ ବିଫଳ ହୋଇଛନ୍ତି।

kalyan agarbati

Comments are closed.