ଶାନ୍ତିଶୃଙ୍ଖଳାରେ ଶେଷ ହେଲା ପ୍ରସିଦ୍ଧ ପଞ୍ଚୁଦୋଳ ଓ ହୋଲି

ଆଠଗଡ :  ଆଠଗଡ ଗଡଜାତର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ ଗଣପର୍ବ ପଞ୍ଚୁଦୋଳ ମେଲଣ ଓ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସ ଏବଂ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ପ୍ରଭୁ ଶ୍ରୀ ରାଧାଗୋବିନ୍ଦଙ୍କର ନିମନ୍ତ୍ରଣ କ୍ରମେ ଅଟ୍ଟାଳି ଜଗନ୍ନାଥ, ରଘୁନାଥ ଜୀଉ, ଲକ୍ଷ୍ମୀନୃସିଂହ ଦେବ ଏବଂ ଶ୍ରୀ ଶ୍ରୀ ଧବଳେଶ୍ୱର ଓ ସର୍ପେଶ୍ୱର ଦେବଙ୍କ ସମେତ ଆଠଗଡ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ୫୧ଟି ବିମାନରେ ଦିଅଁ ଝୁଲଣ ମେଲଣ ପଡିଆରେ ସନ୍ଧ୍ୟାରେ ପହଞ୍ଚିବା ପରେ ବିମାନ ବାହକ, ପୂଜକ ଓ ଅନ୍ୟ ସେବାୟତଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ରାତି ପ୍ରାୟ ୧୦ଟା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ବିମାନଗୁଡିକ ସହର ପରିକ୍ରମା କରିସାରି ଦୁର୍ଗାବଜାରସ୍ଥିତ ଦୋଳମଣ୍ଡପ ନିକଟରେ ରାତ୍ରି ବିଶ୍ରାମ ନେଇଥିଲେ।

ବାଜା, ବାଣ ଓ ରୋଷଣି ସାଙ୍ଗକୁ ଗୋପାଳଙ୍କ ଲଉଡି ଖେଳ ଏବଂ ଦଶ ମଣ୍ଡଳ ଓଡିଶୀ ସଂକୀର୍ତ୍ତନ ଦଳର କିର୍ତ୍ତନ ମଧ୍ୟରେ ଶୋଭାଯାତ୍ରା ଆଠଗଡ ସହରକୁ ଝଲସାଇ ଦେଇଥିଲା । ସୋମବାର ସକାଳେ ଦୋଳ ବେଦୀ ନିକଟରୁ ସମସ୍ତ ୫୧ଟି ବିମାନ ରାଧାଗୋବିନ୍ଦ ଜୀଉ ମନ୍ଦିର ନିକଟକୁ ଯିବା ପରେ ସେଠାରେ ଆଳତୀ ଓ ଭେଟ ଭୋଗ ଲାଗିହେବା ପରେ ସମସ୍ତ ବିମାନ ପୁନର୍ବାର ଶୋଭାଯାତ୍ରାରେ ଆସି ଯଜ୍ଞନାରାୟଣ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ସମସ୍ତ ବିମାନକୁ ରାଜଭେଟି ପ୍ରଦାନ କରି ବିଦାୟ ଦେଇଥିଲେ। ବିମାନବାହକ ଓ ଶ୍ରୀ ଜୀଉମାନଙ୍କ ସେବକମାନେ ଏହି ମହତ ଓ ପାରମ୍ପରିକ ଆଧ୍ୟାତ୍ମିକ କାର୍ଯ୍ୟରେ ସହଯୋଗ କରି ପ୍ରାଚୀନ ପରମ୍ପରାକୁ ବଜାୟ ରଖିଥିବାରୁ ଉପଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିରେ ଆଇନଜୀବୀ ରାମନାରାୟଣ ମହାନ୍ତି, ଜଗଦାନନ୍ଦ ତ୍ରିପାଠୀ, ସଂକୀର୍ତ୍ତନ ଗୁରୁ, ଅଜୟ କୁମାର ଦାସ ଓ ସମାଜସେବୀ ବ୍ରଜେନ୍ଦ୍ର କୁମାର ରାୟ ପ୍ରମୁଖ ବିମାନବାହକ ଓ ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିବାବେଳେ ଏଥିରେ ରାମନାରାୟଣ ମହାନ୍ତି, ପ୍ରସନ୍ନ କୁମାର ଭକ୍ତା ଓ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ। ଆଠଗଡରେ ସୋମବାର ହୋଲି ଉତ୍ସବ ବେଶ୍‌ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି। ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ରଙ୍ଗ ଖେଳିଥିଲେ ।

Comments are closed.