ଆନ୍ତର୍ଜାତିକ ନିଶା ନିବାରଣ ଦିବସରେ ସଚେତନତା

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଚାର ରଥ ମାଧ୍ୟମରେ ନିଶା ସେବନ ଓ କାରବାରର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଆଠଗଡ, ତିଗିରିଆ, ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସହରାଞ୍ଚଳ ଓ ବିଭିନ୍ନ ଗ୍ରାମାଞ୍ଚଳରେ ଏହି ପ୍ରଚାର ଗାଡି ସହ ଅବକାରୀ ଅଧିକାରୀମାନେ ଲୋକମାନଙ୍କୁ ନିଶା ସେବନର କୁପରିଣାମ ଏବଂ ଏହା ଦ୍ୱାରା କିପରି ସାମାଜିକ ଓ ପାରିବାରିକ କ୍ଷତି ହୋଇଥାଏ ସେ ବିଷୟରେ ବୁଝାଇଥିଲେ । ନିଜର ସୁସ୍ଥ ଓ ନିରୋଗ ଜୀବନଯାପନ ସହିତ ସାମାଜିକ ଶାନ୍ତି ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସମସ୍ତ ପ୍ରକାରର ନିଶା ସେବନରୁ କ୍ଷାନ୍ତ ରହିବାକୁ ସେମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ସମସ୍ତ ସହକାରୀ ଉପନିରୀକ୍ଷକ ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ ।

Comments are closed.