ପ୍ରଚାର ଅଭାବ: ‘ସୂର୍ଯ୍ୟ ଘର’ରେ ପରାଗ

ବାଲେଶ୍ୱର : ବର୍ଦ୍ଧିତ ବିଜୁଳି ଦେୟରୁ ମୁକ୍ତି ସହ ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ପାଇଁ ଗତ ଫେବୃଆରୀ ମାସରେ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ବିଜୁଳି ଯୋଜନାକୁ ଆଶାତୀତ ସଫଳତା ମିଳିପାରି ନାହିଁ। ବିଦ୍ୟୁତ୍ ସଂଯୋଗ ଥିବା ଦେଶର ୧ କୋଟି ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ପରିବାରଙ୍କୁ ମାସିକ ଅତିକମରେ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଏହି ଯୋଜନା। ମାତ୍ର ପ୍ରଚାର ପ୍ରସାର ଅଭାବ ସାଙ୍ଗକୁ ଉପକରଣ ଯୋଗାଣକାରୀଙ୍କ ତଞ୍ଚକତା, ରିଆତି ପାଇବାରେ ଥିବା କଟକଣା ଓ ଜଟିଳ ବ୍ୟବସ୍ଥା ଯୋଜନା କାର୍ଯ୍ୟକାରୀ କରିବାରେ ଅନ୍ତରାୟ ହୋଇଛି। ସୂର୍ଯ୍ୟଘର ଏବେ ପରାଗ ବଳୟକୁ ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି।
ସୂର୍ଯ୍ୟଘର ଯୋଜନାରେ ଜଣେ ହିତାଧିକାରୀ ନିଜର ଆବଶ୍ୟକ ଅନୁସାରେ ଅଧିକ ସୌର ପ୍ୟାନାଲ ଓ ବ୍ୟାଟେରି ସ୍ଥାପନ କରିପାରିବ। ମାତ୍ର ସର୍ବାଧିକ ୩ କିଲୋ ୱାଟ ପର୍ଯ୍ୟନ୍ତ ପ୍ରକଳ୍ପକୁ ହିଁ ସରକାରୀ ରିଆତି ଅର୍ଥ ମିଳିବ। ୧ କିଲୋ ୱାଟ ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ କେନ୍ଦ୍ର ସରକାର ୩୦ ହଜାର ଟଙ୍କାର ସବସିଡି ଦେଉଛନ୍ତି। ସେହିଭଳି ୨ କିଲୋ ୱାଟ ପାଇଁ ଖର୍ଚ୍ଚ ୨ ଲକ୍ଷ ଓ ରିଆତି ୬୦ ହଜାର, ୩ କିଲୋ ୱାଟର ଖର୍ଚ୍ଚ ୩ ଲକ୍ଷ ଏବଂ କେନ୍ଦ୍ର ସରକାର ୭୮ ହଜାର ଟଙ୍କା ରିଆତି ଦେଉଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ସୂର୍ଯ୍ୟଘର ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବି ରିଆତି ପ୍ରଦାନ କରାଯିବା ନେଇ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ତଦନୁଯାୟୀ, କିଲୋୱାଟ ପିଛା ୨୫ ହଜାର ଟଙ୍କା ଲେଖାଏଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ସବସିଡ୍‌ ମିଳିବ। ୩ କିଲୋୱାଟ ପାଇଁ ଅତିରିକ୍ତ ରିଆତି ଭାବେ ଆଉ ୧୦ ହଜାର ଟଙ୍କା ମିଳିବ। ମୋଟ ଉପରେ ୩ କିଲୋୱାଟ ପର୍ଯ୍ୟନ୍ତ ସୌରଶକ୍ତି ପ୍ରକଳ୍ପ ବାବଦ କେନ୍ଦ୍ର ସରକାର ୭୮ ଓ ରାଜ୍ୟ ସରକାର ୬୦ ହଜାର ଟଙ୍କାର ରିଆତି ପ୍ରଦାନ କରିବେ। ଯେଉଁମାନେ କେନ୍ଦ୍ର ସରକାରଙ୍କ ରିଆତି ପାଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ରାଜ୍ୟ ସରକାରଙ୍କ ରିଆତି ଅର୍ଥ ବି ଆସିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।
ଏହି କ୍ରମରେ ବାଲେଶ୍ବର ଜିଲାରେ ଗତ ଫେବୃଆରୀ ମାସରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମୋଟ ୯,୪୨୫ ପରିବାର ସୂର୍ଯ୍ୟଘର ପାଇଁ ଆବେଦନ କରିଥିବାବେଳେ ୧୦ ମାସରେ ମାତ୍ର ୩୪ ଜଣ ଉପକୃତ ହେବା ସହିତ ସେମାନଙ୍କ ଖାତାକୁ କେନ୍ଦ୍ର ସରକାରଙ୍କ ରିଆତି ଅର୍ଥ ଆସିଥିବା ନୋଡାଲ ଅଫିସର ରାଜୀବ କୁମାର ନାୟକ ସୂଚନା ଦେଇଛନ୍ତି। ଉପକରଣ ଯୋଗାଣ ପାଇଁ ଜିଲାରେ ୩୦ ଅଧିକୃତ ଭେଣ୍ଡର ଅଛନ୍ତି। କାର୍ଯ୍ୟକାରୀ ହେଉଥିବା ଏହି ନୂଆ ଯୋଜନାର ଉପାଦେୟତା ସମ୍ପର୍କରେ ସାଧାରଣ ଲୋକ ଅଧିକ ସଚେତନ ହୋଇନାହାନ୍ତି। ପ୍ରଚାର ପ୍ରସାର ଚାଲିଛି, ଧୀରେ ଧୀରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ ନାୟକ ଆଶା ପ୍ରକାଶ କରିଛନ୍ତି।
ସବୁଠାରୁ ବଡ଼କଥା ହେଲା, ପୂର୍ବରୁ ସରକାରୀ ଯୋଜନାରେ ଜଳସେଚନ ପାଇଁ ପାଣିପମ୍ପ୍ କିମ୍ବା ଚାଷ ପାଇଁ ଟ୍ରାକ୍ଟର, ପାୱାରଟିଲର ବା ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ କରିଥିବା ଚାଷୀଙ୍କ ଅବସ୍ଥା ଯାହା ଥିଲା ଏବର ସୂର୍ଯ୍ୟଘର ଯୋଜନାର ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି। ହିତାଧିକାରୀଙ୍କ ରିଆତି ଅର୍ଥ ସବୁବେ​‌େ​‌ଳ ଉପକରଣ ଯୋଗାଣକାରୀ ସଂସ୍ଥା ପକେଟକୁ ଯାଇଥାଏ। ଯୋଜନାରେ ସାମିଲ ହେଉଥିବା ହିତାଧିକାରୀଙ୍କ ପାଇଁ ଉପକରଣ ମୂଲ୍ୟ ସବୁବେଳେ ଦୁଇ ଗୁଣ ହୋଇଯାଏ। ଅଧିକୃତ ଯୋଗାଣକାରୀ ଉପକରଣର ଗୁଣବତ୍ତା ଦର୍ଶାଇ ସୌରଶକ୍ତି ପେନାଲ ସମେତ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ଆଶାତୀତ ବୃଦ୍ଧି କରୁଛନ୍ତି। ଉଲ୍ଲେଖନୀୟ ବିଷୟ ହେଲା, ପ୍ୟାନେଲଠାରୁ ବ୍ୟାଟେରି ପର୍ଯ୍ୟନ୍ତ, କୌଣସି ଉପକରଣର ସରକାରୀ ମୂଲ୍ୟ ସମ୍ପର୍କରେ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ। ଏଭଳି ସ୍ଥିତିରେ ଜଣେ ସାଧାରଣ ମଧ୍ୟବିତ୍ତ ତଥା ଗରିବ ପରିବାର ଏକକାଳୀନ ୨/୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୂର୍ଯ୍ୟଘର ବ୍ୟବସ୍ଥା ସ୍ଥାପନ କରିବା ଦୁରୂହ ବ୍ୟାପାର ହୋଇଛି। ଏହି ଯୋଜନାରେ ଋଣ ପାଇବାର ନିୟମ ଥିଲେ ବି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅସହଯୋଗ, ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାରର ଅଭାବ ଓ ରିଆତି ଅର୍ଥ ପାଇବାର ଜଟିଳ ବ୍ୟବସ୍ଥା ସୂଯ୍ୟଘରକୁ ଅନ୍ଧାର ମଧ୍ୟକୁ ନେଇଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର ସହ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫେବୃଆରୀ ୧୩ ତାରିଖରେ ପିଏମ ସୂର୍ଯ୍ୟଘର ଯୋଜନା ଶୁଭାରମ୍ଭ କରିଥିଲେ। ବିଜୁଳି ସଂଯୋଗ ଥିବା ସମସ୍ତ ଘରୋଇ ଉପଭୋକ୍ତା ଏହି ଯୋଜନାରେ ସାମିଲ ହେବା ପାଇଁ ନିୟମ ରହିଛି। ସେହି କ୍ରମରେ ପିଏମ ସୂର୍ଯ୍ୟଘର ପୋର୍ଟାଲରେ ହିତାଧିକାରୀ ଆୟ ପ୍ରମାଣପତ୍ର, ଆଧାର କାର୍ଡ଼, ରାସନ କାର୍ଡ଼, ମୋବାଇଲ ନମ୍ବର, ପରିବାରର ମୁଖ୍ୟଙ୍କ ଫଟୋ, ବ୍ୟାଙ୍କ ଜମାଖାତା ଓ ପୂର୍ବରୁ ଥିବା ବିଦ୍ୟୁତ୍ ସଂଯୋଗର ବିଲ ପଇଠ ସହ ଅନଲାଇନ ଆବେଦନ କରିବେ। ଆବେଦନ ପଞ୍ଜୀକରଣ ପରେ ଏହା ଜିଲାର ବିଦ୍ୟୁତ୍ ବଣ୍ଟନ ସଂସ୍ଥା ନୋଡାଲ ଅଧିକାରୀ ଓ ଅଧିକୃତ ଉପକରଣ ଯୋଗାଣ ଅଧିକାରୀଙ୍କ ନିକଟକୁ ଚାଲିଆସିବ। ବିଦ୍ୟୁତ ବିଭାଗ ଅଧିକାରୀ ଓ ଅଧିକୃତ ଉପକରଣ ବିକ୍ରେତା ଆବେଦନକାରୀଙ୍କ ରେକର୍ଡ଼ ତଥା କ୍ଷେତ୍ର ଯାଞ୍ଚ ସହ ଏନଓସି ଦେବା ପରେ ଗୃହ ମାଲିକ ସମସ୍ତ ଅର୍ଥ ବିନିଯୋଗ କରି ସୌର ଶକ୍ତି ପେନାଲ ଓ ଆନୁଷଙ୍ଗିକ ସାମଗ୍ରୀ ସ୍ଥାପନ କରିବ। ସମସ୍ତ ବ୍ୟବସ୍ଥା କାର୍ଯ୍ୟକ୍ଷମ ପରେ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଏହାର ପ୍ରମାଣପତ୍ର ପଠାଇବା ପରେ ହିତାଧିକାରୀଙ୍କ ଜମା ଖାତାକୁ ନିର୍ଦ୍ଧାରିତ ରିଆତି ଅର୍ଥ ଆସିବ।

kalyan agarbati

Comments are closed.