www.samajalive.in
Tuesday, December 9, 2025
23.1 C
Bhubaneswar

ବିପର୍ଯ୍ୟସ୍ତ ଅବସ୍ଥାରେ ଆଠଗଡ଼ ସହରର ରାସ୍ତାଘାଟ

ଆଠଗଡ଼: ଆଠଗଡ଼ ସହର ମଧ୍ୟ ଦେଇ ଯାଇଥିବା ୨ଟି ମୁଖ୍ୟ ରାସ୍ତା ସମେତ ଅନ୍ୟାନ୍ୟ ରାସ୍ତାଘାଟ ଖାଲଖମାରେ ପରିପୂର୍ଣ୍ଣ ହୋଇ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ରାସ୍ତାର ଖାଲଖମାରେ ପଡ଼ି ବିଶେଷତଃ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଥିବା ଦେଖାଯାଉଛି। ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଆଠଗଡ଼ ସହର ମଧ୍ୟରେ ସର୍ବାଧିକ ଜନଗହଳିପୂର୍ଣ୍ଣ ଚାନ୍ଦବାଲିଛକ ନିକଟରେ ଅନେକ ଖାଲଖମା ସୃଷ୍ଟି ହେବାଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜୁଥିବା ଏବଂ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଚାନ୍ଦବାଲିଛକର ନୂଆ ବସଷ୍ଟାଣ୍ଡକୁ ଯିବା ରାସ୍ତା ନିକଟରେ ଏହିସବୁ ଖାଲଖମା ସୃଷ୍ଟି ହୋଇଥିବାବେଳେ ଚାନ୍ଦବାଲିଛକ ବଜାର କମିଟିର ସଦସ୍ୟ ଓ ସାଧାରଣ ଲୋକ ପୂର୍ତ୍ତବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ପ୍ରତିକାର ନହେବାରୁ ବାଧ୍ୟ ହୋଇ ବଜାର କମିଟି ସଦସ୍ୟ ଖାଲଥିବା ସ୍ଥାନରେ ସୂଚନା ଫଳକ ଲଗାଇଛନ୍ତି। ଚାନ୍ଦବାଲିଛକ ନିକଟରେ ଥିବା ପ୍ରାକୃତିକ ନାଳକୁ କିଛି ଲୋକ ଜବରଦଖଲ କରି ଗୃହ ନିର୍ମାଣ କରିଥିବାରୁ ବର୍ଷାଜଳ ନାଳରେ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଲହଡି ଭାଙ୍ଗୁଛି। ତା ଛଡା ରାସ୍ତା ଦୁଇ ପାର୍ଶ୍ବରେ ଥିବା ପୂର୍ତ୍ତବିଭାଗ ନାଳ ରାସ୍ତାଠାରୁ ଉଚ୍ଚରେ ଥିବା ଏବଂ ତା ଉପରେ ସ୍ଲାବ ପଡ଼ିଥିବାରୁ ରାସ୍ତାରୁ ପାଣି ନାଳକୁ ନଯାଇ ରାସ୍ତାରେ ଦିନ ଦିନ ଧରି ଜମା ହୋଇ ରହୁଥିବାରୁ ପିଚୁ ନଷ୍ଟ ହେଉଛି।

ରାଜସ୍ୱ ପ୍ରଶାସନ ବା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ସବୁ ଦେଖି ନଦେଖିବା ପରି ଉଦାସୀନ ରହୁଛନ୍ତି। ସେହିପରି ବ୍ଲକ କଲୋନୀ ଯିବା ରାସ୍ତାର ଛକରେ ବାରମ୍ବାର ବିଭାଗ ପକ୍ଷରୁ ମରାମତି ସତ୍ତ୍ବେ ପୁନର୍ବାର ବଡବଡ ଖାଲ ହୋଇଯାଉଥିବାରୁ ଏବଂ ତାହା ଏକ ବୁଲାଣି ରାସ୍ତା ହୋଇଥିବାରୁ ଗାଡିମଟର ବିପଦଜନକ ଅବସ୍ଥାରେ ଚଳାଚଳ କରୁଛନ୍ତି। ସେହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ବିଭିନ୍ନ କଲେଜ ଓ ସ୍କୁଲକୁ ଯିବା ଆସିବା କରୁଥିବାରୁ ସେମାନଙ୍କ ପାଇଁ ବିପଦର ଆଶଙ୍କା ରହୁଛି। ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚାନ୍ଦବାଲିଛକ ଗଡ଼ାରେ ଥିବା ଗ୍ୟାରେଜ ନିକଟରେ ବଡ ବଡ ଗାତ ସୃଷ୍ଟି ହୋଇଛି। ସେହି ରାସ୍ତାର ମେଡିକାଲ ଛକଠାରେ ଖାଲଖମା ସୃଷ୍ଟି ହେବା ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଏହାଛଡା ପୂର୍ତ୍ତବିଭାଗ ଅଧିନରେ ଥିବା ସହର ମଧ୍ୟସ୍ଥ ଅନ୍ୟ କେତେକ ରାସ୍ତାରେ ମଧ୍ୟ ଅନୁରୁପ ଭାବେ ଖାଲଖମା ସୃଷ୍ଟି ହୋଇଛି। ଏ ସବୁର ସ୍ଥାୟୀ ମରାମତି ପାଇଁ ପୂର୍ତ୍ତବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଭାଗୀୟ ଯନ୍ତ୍ରୀ ବର୍ଷା ସଂପୂର୍ଣ୍ଣ ଛାଡିବା ପରେ ମରାମତି କରିବେ ବୋଲି କହୁଥିବାବେଳେ ଏବେ ଅତିକମ୍‌‌ରେ କ୍ରସର ଗୁଣ୍ଡ ଓ ସିମେଣ୍ଟ କଂକ୍ରିଟ ପକାଇ ଖାଲଖମା ମରାମତି କରିବା ଲାଗି ସାଧାରଣରେ ଦାବି ହେଉଛି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories