ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାଗୋବିନ୍ଦପୁର ଗ୍ରାମରେ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଏକ ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନଯାପନ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବାୟୁ ପ୍ରଦୁଷଣ ଦ୍ୱାରା ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ତେଣୁ ସ୍ୱଚ୍ଚ ବାୟୁ ପାଇଁ ପରିବେଶ ଅନୁକୁଳ ଯାନ ବ୍ୟବହାର କରିବା, ସ୍ୱଳ୍ପ ଦୂରତାକୁ ଯାନ ଦ୍ୱାରା ନଯାଇ ଚାଲିଚାଲି ଅବା ସାଇକଲ ବ୍ୟବହାର କରିବା, ଗଛ ଲଗାଇବା, ଜଙ୍ଗଲ ସୁରକ୍ଷା କରିବା, ଶକ୍ତିର ବିକଳ୍ପ ମାଧ୍ୟମ ଆପଣାଇବା, ଜଙ୍ଗଲ ନିଆଁକୁ ପ୍ରତିହତ କରିବା, ଅନ୍ୟାନ୍ୟ ଆବର୍ଜନାକୁ ପୋଡି ଧୂଆଁ ସୃଷ୍ଟି ନକରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ବାୟୁ ପ୍ରଦୂଷଣ ମନୁଷ୍ୟର ଜୀବନ ଶୈଳୀ ଉପରେ କୁ ପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବାରୁ ଏ ଦିଗରେ ସଚେତନ ହେବା ଆବଶ୍ୟକ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସରପଞ୍ଚ ପ୍ରଭାକର ରାଉତ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ରଞ୍ଜିତ କୁମାର ସ୍ୱାଇଁ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ସୁନିତା ଦାସ, ପ୍ରଣତି ବେହେରା, ସସ୍ମିତା ସେଠୀ, କାଳି ଦେଇ, ଆଶାକର୍ମୀ ବନିତା ରାଉତ, ମନୋରମା ସାହୁ, କୁନିଲତା ସାହୁଙ୍କ ସମେତ ୱାର୍ଡ ସଭ୍ୟ ଓ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।
Popular Categories



