ଆଠଗଡ଼: ଆଠଗଡ଼ ଉପଖଣ୍ଡସ୍ତରୀୟ ମତଦାତା ଦିବସ ମଙ୍ଗଳବାର ଉପଜିଲ୍ଲାପାଳଙ୍କ ସଭାଗୃହରେ କୋଭିଡ କଟକଣା ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ଯୋଗଦେଇ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏକ ସୁସ୍ଥ, ସମୃଦ୍ଧ ଓ ସୃଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭୋଟରମାନେ ସଚେତନ ହୋଇ ନିଜର ମତଦାନ ସାବ୍ୟସ୍ତ କରିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ମତଦାତାମାନେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଆଦିଠାରୁ ଉର୍ଦ୍ଧକୁ ଯାଇ ନିଜର ବିବେକାନୁମୋଦିତ ମତଦାନ ସାବ୍ୟସ୍ତ କଲେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରୁଥିବା ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।
ତହସିଲଦାର ପ୍ରିୟବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କାର୍ଯ୍ୟରେ ନିୟୋଜିତ ସୁପରଭାଇଜର, ବୁଥ୍ ସ୍ତରୀୟ ଅଧିକାରୀ ଓ ଡାଟାଏଣ୍ଟ୍ରି ଅପରେଟରଙ୍କର ଭୂମିକା ଅତ୍ୟନ୍ତ ପ୍ରଂଶସନୀୟ ବୋଲି କହିଥିଲେ। ଏହି ଅବସରରେ ଶ୍ରେଷ୍ଠ ସୁପରଭାଇଜର ଭାବେ ନିଳମଣୀ ନାୟକ, ଶରତ ଚନ୍ଦ୍ର ଲେଙ୍କା, ସୁଧାକର ପତି, ଅନ୍ତର୍ଯ୍ୟାମୀ ପଣ୍ଡା, ଅଭିମନ୍ୟୁ ଚମ୍ପତିରାୟ, ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ ଭାବେ ପର୍ଶୁରାମ ବେହେରା, ଭରତ ଚନ୍ଦ୍ର ପତ୍ରୀ, ସୁବାସ ଚନ୍ଦ୍ର ପ୍ରଧାନ, ସୁଲୋଚନା ପ୍ରଧାନ, ସୁଜାତା ମିଶ୍ର, ପ୍ରଶାନ୍ତ କୁମାର ସାହୁ ଏବଂ ଶ୍ରେଷ୍ଠ ଡାଟାଏଣ୍ଟ୍ରି ଅପରେଟର ଭାବେ କୀର୍ତ୍ତି ରଞ୍ଜନ ପ୍ରଧାନ, ସୀତାରାମ ମହାପାତ୍ର, ଶ୍ରବଣ କୁମାର ସାହୁ, ଲକ୍ଷ୍ମୀକାନ୍ତ ପ୍ରଧାନ, ତପନ କୁମାର ସେଠୀ, ସତ୍ୟରଞ୍ଜନ ସେଣଙ୍କୁ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପରିମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଏକ ସଂକଳ୍ପ ପାଠ କରାଇଥିଲେ।



