ଆଠଗଡ଼: ଆଠଗଡ଼ ଉପଖଣ୍ଡର ୪ଟି ବ୍ଲକ ଯଥା ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ଼ ବ୍ଲକର ୧୨ଟି ଜିଲ୍ଲା ପରିଷଦ ଆସନରେ କାଏମ ରହିଥିବା ୫୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବାରୁ ଆଉ ୫୦ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଲେ। ପ୍ରଥମରୁ ଏହି ୧୨ଟି ଆସନରେ ୫୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୩ଜଣଙ୍କର ପ୍ରାର୍ଥୀପତ୍ର ଯାଞ୍ଚବେଳେ ନାକଚ ହୋଇଥିଲା ଓ ୩ଜଣ ପ୍ରତ୍ୟାହାର କରିନେଇଥିଲେ। ଉପଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ନିର୍ବାଚନ ଅଧିକାରୀଙ୍କ ନିକଟରୁ ୨୪ତାରିଖରେ ଜଣେ, ୨୫ତାରିଖ ଅନ୍ତିମ ଦିନରେ ଆଉ ୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନିର୍ବାଚନରୁ ଓହରି ଯାଇଛନ୍ତି। ସୋମବାର ଆଠଗଡ଼ ବ୍ଲକ ୩ନଂ ଜୋନର ସ୍ୱାଧୀନ ପ୍ରାର୍ଥୀ ସୋମନାଥ ବେହେରା ଏବଂ ମଙ୍ଗଳବାର ସେହି ଜୋନର ସ୍ୱାଧୀନ ପ୍ରାର୍ଥୀ ବନମାଳି ଜେନା ଓ ବିନୋଦ ବିହାରୀ ସ୍ୱାଇଁ ନାମାଙ୍କନ ପ୍ରତ୍ୟାହାର କରିଥିଲେ।
ନିର୍ବାଚନ ଅଧିକାରୀ ୨୫ତାରିଖ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ଚୁଡାନ୍ତ ଜିଲ୍ଲାପରିଷଦ ପ୍ରାର୍ଥୀ ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ କରିଛନ୍ତି। ସେହି ତାଲିକା ଅନୁଯାୟୀ ନିର୍ବାଚନ ରଣାଙ୍ଗନରେ ନରସିଂହପୁର ୧ନଂ ଜୋନରେ ୪ଜଣ, ୨ନଂ ଜୋନରେ ୪ଜଣ, ୩ନଂ ଜୋନରେ ୫ଜଣ ଓ ୪ନଂ ଜୋନରେ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ ବୋଲି ଜଣାପଡ଼ିଛି। ସେହିପରି ବଡମ୍ବା ୧ନଂ ଜୋନରେ ୪ଜଣ , ୨ନଂ ଜୋନରେ ୫ଜଣ, ୩ନଂ ଜୋନରେ ୪ଜଣ, ତିଗିରଆ ବ୍ଲକର ୧ନଂ ଜୋନରେ ୪ଜଣ, ୨ନଂ ଜୋନରେ ୫ଜଣ ଏବଂ ଆଠଗଡ଼ ବ୍ଲକର ୧ନଂ ଜୋନ୍ରେ ୩ଜଣ, ୨ନଂ ଜୋନରେ ୩ଜଣ ଓ ୩ନଂ ଜୋନରେ ୫ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ପରସ୍ପର ମୁହାଁମୁହିଁ ହେବେ ବୋଲି ଚୂଡାନ୍ତ ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଛି।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ମ ପର୍ଯ୍ୟାୟରେ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆଠଗଡ଼ ପଞ୍ଚାୟତ ସମିତି ଅଧିନ ୩୪ଟି ପଞ୍ଚାୟତ ମଧ୍ୟରୁ ୭ଟି ପଞ୍ଚାୟତରେ ୭ଜଣ ସମିତି ସଭ୍ୟ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଆଉ ୨୭ଟି ପଞ୍ଚାୟତରେ ୭୩ ପ୍ରାର୍ଥୀ ନିର୍ବାଚନ ଲଢିବା ସ୍ପଷ୍ଟ ହୋଇଛି। ସେହିପରି ଜଣେ ସରପଞ୍ଚ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଆଉ ୩୩ଟି ପଞ୍ଚାୟତରେ ୧୩୪ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି। ବେଣ୍ଟପଦା, ଘଣ୍ଟିଖାଲ, ମେଘା, ଓରନ୍ଦା, ସମସରପୁର, ସଠିଲୋ ଓ କୁଲାଇଲୋ ପଞ୍ଚାୟତରେ ୭ଜଣ ସମିତିସଭ୍ୟ ଏବଂ ଘଣ୍ଟିଖାଲ ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ରହିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ସୁତ୍ରରୁ ପ୍ରକାଶ। ସେହିପରି ୩୪ଟି ପଞ୍ଚାୟତର ୪୮୬ ୱାର୍ଡସଭ୍ୟ ପଦବୀରେ କାଏମ ୮୦୦ପ୍ରାର୍ଥୀଙ୍କ ମଧ୍ୟରୁ ୨୪୬ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ୨୪୦ ପଦବୀ ଲାଗି ୫୫୪ ପ୍ରାର୍ଥୀ ରଣାଙ୍ଗନରେ ରହିଲେ।



