www.samajalive.in
Sunday, December 14, 2025
19.1 C
Bhubaneswar

ମହାନଦୀରୁ ହାତୀ ଶାବକର ମୃତ ଦେହ ଉଦ୍ଧାର

ଆଠଗଡ଼/ଗୁରୁଡ଼ିଝାଟିଆ: ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ମେଘା ନିକଟବର୍ତ୍ତୀ ପାଟେଣୀଗାଁ ଠାରେ ଶନିବାର ସକାଳେ ମହାନଦୀ କୂଳରେ ମରି ଭାସୁଥିବା ଏକ ଚାରି ମାସର ମାଇ ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ପଲ୍ଲ ମେଘା-କନ୍ଦରପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭରା ମହାନଦୀ ପାର ହୋଇ ବାଙ୍କୀ ଆଡ଼କୁ ଯାଉଥିବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହି ହାତୀ ଦଳରେ ୧୭ଟି ହାତୀ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୧୬ଟି ହାତୀ ଦୁଇ ଭାଗରେ ବିଭକ୍ତ ହୋଇ ୮ଟି ସାନ ମୁଣ୍ଡଳି ଓ ଅନ୍ୟ ୮ଟି ଅନ୍ତନପୁର ଠାରେ କୂଳକୁ ଉଠିଯାଇଥିବା ବେଳେ ଗୋଟିଏ ଦନ୍ତାହାତୀ ମହାନଦୀର ବନ୍ୟାଜଳରେ ମୁଣ୍ଡଳି ପୋଲ ତଳେ ଫସି ରହିଥିଲା। ତେବେ ସେହି ଦଳରେ ଏକ ମାଇହାତୀ ଶାବକ ରହିଥିବା ବନ ବିଭାଗ ପାଖରେ ଖବର ନଥିଲା। ଶନିବାର ହାତୀ ଶାବକର ମୃତ ଦେହ ମିଳିବା ପରେ ଏହା ଲୋକ ଲୋଚନକୁ ଆସିଛି ଏବଂ ସେହି ଦଳରେ ୧୭ ବଦଳରେ ୧୮ଟି ହାତୀ ଥିବା ସ୍ପଷ୍ଟ ହୋଇଛି।

ସେହିପରି ମୁଣ୍ଡଳି ନିକଟରେ ଭରା ନଦୀ ଜଳରେ ପ୍ରାୟ ୨୨ଘଣ୍ଟ ସଂଘର୍ଷ କରିଥିବା ଦନ୍ତାହାତୀଟି ଶେଷରେ ପ୍ରାଣ ହରାଇ ନଦୀ ସ୍ରୋତରେ ଭାସି ଯାଇଥିଲା। ଅଦ୍ୟାବଧି ତାହାର ମୃତ ଦେହ ଠାବ କରାଯାଇ ପାରିନାହିଁ। ଶୁକ୍ରବାର ସମ୍ପୃକ୍ତ ଦନ୍ତାହାତୀକୁ ସୁରକ୍ଷିତରେ କୂଳରେ ଲଗାଇବାକୁ ପ୍ରୟାସ କରିଥିବା ବନବିଭାଗ କର୍ମଚାରୀ ଓ ଓଡ୍ରାଫ ଦଳ ବିଫଳ ହୋଇଥିଲେ। ତେବେ ସେଠାରେ ଏକ ଅଭାବନୀୟ ଘଟଣା କ୍ରମରେ ଓଡ୍ରାଫ ରବର ଡଙ୍ଗାଟି ଓଲଟି ପଡ଼ିବାରୁ ଓଡ୍ରାଫ ଦଳର ଜଣେ କର୍ମଚାରୀଙ୍କ ସହିତ ଓଟିଭିର ସାମ୍ବାଦିକ ଅରିନ୍ଦମ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ୪ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ମହାନଦୀରୁ ବାହାରିବାକୁ ଉଦ୍ୟମ କରୁଥିବା ଦନ୍ତାହାତୀଟି ପ୍ରାଣ ହରାଇ ପାଣିରେ ବୁଡ଼ିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ଦେଖିଥିଲେ। ଏପରିକି ହାତୀର ମୃତ ଦେହ ଧବଳେଶ୍ୱର ନିକଟରେ ନଦୀରେ ଭାସିଯାଇଥିବା କିଛି ଲୋକ ଦେଖିଛନ୍ତି। କିନ୍ତୁ ମୃତଦେହ ଠାବ ହୋଇନଥିବାରୁ ବନ ବିଭାଗ ପକ୍ଷରୁ ହାତୀର ମୃତ୍ୟୁ କଥାକୁ ସ୍ପଷ୍ଟ କରାଯାଇନାହିଁ।

- Advertisement -

ମୁଣ୍ଡଳି ଠାରେ ମହାନଦୀରେ ଫସିଥିବା ହାତୀକୁ ଯେଉଁଭଳି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରିବାକୁ ପ୍ରୟାସ କରାଗଲା ତାହା ତୃଟିପୂର୍ଣ୍ଣ ବୋଲି ବନ୍ୟଜନ୍ତୁ ଓ ହାତୀ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ବିଶେଷ କରି ଗତ ୮ବର୍ଷ ମଧ୍ୟରେ ୩ଥର ହାତୀ ଫସିଥିବା ଏବଂ ନିଜେ ସୁରକ୍ଷିତ ବାହାରିଥିବା ନଜିର ରହିଛି। ଶୁକ୍ରବାର ମହାନଦୀର ଭରାଜଳରେ ଫସିଥିବା ହାତୀକୁ କୌଣସି ହୋହଲ୍ଲା ନକରି ଛାଡ଼ି ଦେଇଥିଲେ ହାତୀଟି କୂଳକୁ ଯାଇ ବାହାରି ଯାଇଥାନ୍ତା ବୋଲି ସେହି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଶନିବାର ସକାଳେ ଉଦ୍ଧାର କରାଯାଇଥିବା ହାତୀ ଶାବକର ମୃତଦେହକୁ ଆଠଗଡ଼ ଡିଏଫଓ ସୁଦର୍ଶନ ଗୋପିନାଥ ଯାଧବ, ଏସିଏଫଓ ରେଞରଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଛେଦ କରାଯିବା ପରେ ମୃତ ଦେହକୁ ପୋତି ଦିଆଯାଇଥିଲା। ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀଙ୍କର ଏକାଧିକ ଦଳ ନିଖୋଜ ଦନ୍ତାହାତୀର ମୃତ ଦେହ ଠାବ କରିବାକୁ ମହାନଦୀର କୂଳେକୂଳେ ଖୋଜାଖୋଜି ଜାରି ରଖିଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories