ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲକ୍ଷୀନାରାୟଣପୁରଠାରେ ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଗଷ୍ଟମାସର ସ୍କୁଲ ଓ ଅଙ୍ଗନବାଡି ପରିଚ୍ଛନ୍ନତା ଦିବସ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ପିଲାମାନଙ୍କ ସର୍ବାଙ୍ଗିନ ସୁସ୍ଥତା, ସୁରକ୍ଷା ଓ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକର ପରିସ୍କାର ପରିଚ୍ଛନ୍ନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅବ୍ୟବହୃତ ହୋଇ ପଡିଥିବା ଶୌଚାଳୟ, ହାତଧୁଆ ପାଇଁ ଅନୁପଯୁକ୍ତ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ଅଭାବ, ଅସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟାନ୍ନ ଭୋଜନ ଓ ଅଙ୍ଗନବାଡିରେ ଖାଦ୍ୟପ୍ରସ୍ତୁତି ପିଲାମାନଙ୍କ ସ୍ୱାସ୍ଥ୍ୟ ଅନୁକୁଳ ନୁହେଁ। ତେଣୁ ଏହି ସବୁ ବ୍ୟବସ୍ଥାରେ ସୁଧାର ଆସିବା ଜରୁରୀ ବୋଲି ସେ କହିଥିଲେ।
ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପରିସ୍କାର ପରିଚ୍ଛନ୍ନତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଏବଂ ଏହାର ଗୁରୁତ୍ୱ ବିଷୟରେ ପିଲମାନଙ୍କୁ ବୁଝାଇବା ବୋଲି କହିଥିଲେ। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପୁଅ ଓ ଝିଅମାନଙ୍କୁ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା, ଅଳିଆ ଆବର୍ଜନା ପାଇଁ କୁଢଦାନୀ(ଡଷ୍ଟବିନ) ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗାଁ କଲ୍ୟାଣ ସମିତିର ସଭ୍ୟମାନେ ପ୍ରତି ଗ୍ରାମରେ ଥିବା ସ୍କୁଲ, ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରିମଳ ଓ ପରିବେଶର ସ୍ଥିତି ଅନୁଧ୍ୟାନ କରିବା ସହ ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଧାଗୋବିନ୍ଦପୁର ସରପଞ୍ଚ ପୁଷ୍ପଲତା ସାହୁ, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ସାହୁ, ଆଶାକର୍ମୀ କୁନିଲତା ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ଶେଷରେ ଏକ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଥିଲେ।



