‘ସମାଜ’ ପ୍ରଭାବ; ତଇଲାମାଳ କ୍ଷୁଦ୍ର ଜଳସେଚନର ବନ୍ଧ ମରାମତି ଆରମ୍ଭ
ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତର ତଇଲାମାଳଠାରେ ସାପୁଆ ନଦୀ ଉପରେ ୪୦ବର୍ଷ ପୂର୍ବେ ନିର୍ମିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବନ୍ଧଟି ପ୍ରାୟ ୨୦ଦିନ ପୂର୍ବରୁ ନଦୀର ପ୍ରଥମ ବନ୍ୟାଜଳରେ ପଥର ଧସି ଯାଇଥିଲା । ଫଳରେ ନଦୀରେ ଆବଶ୍ୟକୀୟ ପରିମାଣର ଜଳ ରହୁନଥିବାରୁ କ୍ଷୁଦ୍ରକେନାଲରେ ଜଳସେଚନ ପାଇଁ ଜଳ ପ୍ରବାହିତ ହେଉନଥିଲା । ଏ ସଂପର୍କରେ ଗତ ୨୩ତାରିଖରେ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ଆଠଗଡ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ମରାମତି ପାଇଁ ତତ୍ପରତା ପ୍ରକାଶ ପାଇଛି ।
ତେବେ ନଦୀରେ ଜଳସ୍ରୋତ ରହିଥିବାରୁ ମରାମତି ଆରମ୍ଭ କରାଯାଇପାରିନଥିଲା । ନଦୀର ଜଳସ୍ରୋତ କମିବା ପରେ ବନ୍ଧର ଭାଙ୍ଗିଯାଇଥିବା ପ୍ରାୟ ୩୦ମିଟର ଦୈର୍ଘ୍ୟ ବିଶିଷ୍ଟ ପଥର ବନ୍ଧକୁ ମରାମତି କରାଯିବ ବୋଲି କ୍ଷୁଦ୍ର ଜଳସଚନ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରା କହିଥିଲେ । ତେବେ ଧସିଥିବା ପଥର ବନ୍ଧ ମରାମତି କରାଯିବ ଏବଂ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବନ୍ଧଟିକୁ ନବୀକରଣ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ତେବେ ବର୍ଷା ଛାଡିଯାଇଥିବା ଏବଂ ନଦୀରେ ଜଳସ୍ରୋତ କମିଯାଇଥିବାରୁ ଶନିବାର ଠାରୁ ବନ୍ଧର ମରାମତି କାର୍ୟ୍ୟ ଆରମ୍ଭ ହୋଇଥିବା ଦେଖି ଚାଷୀକୂଳ ଆଶ୍ୱସ୍ତ ହୋଇଛନ୍ତି । ବନ୍ଧ ମରାମତି କାର୍ୟ୍ୟସ୍ଥଳରେ ନିଜେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି କାର୍ୟ୍ୟ ତଦାରଖ କରୁଥିବା ଜଣାପଡିଛି । ସମାଜରେ ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ତତ୍ପରତାର ସହ ମରାମତି କାର୍ୟ୍ୟ ଆରମ୍ଭ କରାଯାଇଥିବାରୁ ରାଜନଗର ପଞ୍ଚାୟତର ଚାଷୀମାନେ ‘ସମାଜ’କୁ କୃତଜ୍ଞତା ଜଣାଇଛନ୍ତି ।
Comments are closed.