ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରତ୍ୟକ୍ଷ ଅନୁଭୂତି ଆଲୋଚନା

ଆଠଗଡ: ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ୩ୟ ପର୍ଯ୍ୟାୟରେ ଆଠଗଡ ବ୍ଲକର ୧୩ଟି ବିଦ୍ୟାଳୟ ସାମିଲ ହୋଇଛି । ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଏହି ସମ୍ପର୍କୀତ ପ୍ରତ୍ୟକ୍ଷ ଅନୁଭୂତି ବିଷୟରେ ଏକ ଆଲୋଚନାଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଏଥିରେ ଅଧ୍ୟକ୍ଷତା କରି ରୂପାନ୍ତରିତ ହେବାକୁ ଥିବା ବିଦ୍ୟାଳୟ ଗୁଡିକର ଉନ୍ନୟନ କାର୍ଯ୍ୟ ଉଚ୍ଚମାନର କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏଥିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ନେବା ଲାଗି ପରାମର୍ଶ ଦେଇଥିଲେ ।

ଏଥି ସହିତ ପୂର୍ବରୁ ୨ଟି ପର୍ଯ୍ୟାୟରେ ଏହି ରୂପାନ୍ତର ଯୋଜନାରେ ସାମିଲ ହୋଇ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ୧୩ଟି ବିଦ୍ୟାଳୟ ପରିଦର୍ଶନ କରି ସେଥିରେ ପୂର୍ଣ୍ଣାଙ୍ଗ ହୋଇଥିବା ସ୍ମାର୍ଟ ଶ୍ରେଣୀକକ୍ଷ, ବିଜ୍ଞାନାଗାର, ଇ-ଗ୍ରନ୍ଥାଗାର, ଶୌଚାଳୟ ଆଦି ଦେଖି ସେହି ଢାଞ୍ଚାରେ ନିଜ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କରିବା ଲାଗି ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପ୍ରାକ୍ତନ ବିଦ୍ୟାଳୟ ନିରୀକ୍ଷଣ ଶ୍ରୁତିଧର ପ୍ରଧାନ, ହୃଷିକେଶ ବେହେରା, ରୂପାନ୍ତରିତ ହେବାକୁ ଥିବା ବିଦ୍ୟାଳୟ ଗୁଡିକର ସଂଲଗ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ, ପୂରାତନ ଛାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ଖାଡେଙ୍ଗା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ହେବାକୁ ଥିବା ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ସରକାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଶଂକର୍ଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.