ସମାଜ: ଚଳିତ ଏସିଆ କପ୍ର ଅନ୍ତିମ ସୁପର-୪ ମ୍ୟାଚ୍ରେ ବାଂଲାଦେଶଠାରୁ ପରାଜୟ ଫଳରେ ଭାରତ ସମସ୍ତ ଫର୍ମାଟରେ ବିଶ୍ବର ୧ନଂ ଦଳ ହେବା ଆଶା ମଉଳି ଯାଇଛି। ଆଇସିସି ମାନ୍ୟତାର ଭାରତ ଏବେ ଟେଷ୍ଟମ୍ୟାଚ୍ ଓ ଟ୍ବେଣ୍ଟି୨୦ରେ ବିଶ୍ବର ୧ନଂ ଦଳ ରହିଛି। ଦିନିକିଆ କ୍ରିକେଟ୍ରେ ଭାରତ ଏବେ ୧୧୪ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ଦିନିକିଆ ମାନ୍ୟତାରେ ୨ୟ ସ୍ଥାନରେ ଥିଲା। ଭାରତର ୧୧୬ ପଏଣ୍ଟ ଥିବା ବେଳେ ୧ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ପାଇଥିଲା। ଦକ୍ଷିଣ ଆଫ୍ରିକାଠାରୁ ଶୁକ୍ରବାର ୪ର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। କେବଳ ବାଂଲାଦେଶକୁ ହରାଇଥିଲେ ଭାରତ ୧ନଂ ଦିନିକିଆ ଦଳ ହୋଇଥାଆନ୍ତା। ଭାରତ ୧୧୪ ପଏଣ୍ଟ ପାଇଥିବା ବେଳେ ଅଷ୍ଟ୍ରେଲିଆ ୧୧୫.୨୫୯ ଏବଂ ୨ୟ ସ୍ଥାନରେ ଥିବା ପାକିସ୍ତାନ ୧୧୪.୮୮୯ ପଏଣ୍ଟ ପାଇଛନ୍ତି। ରବିବାର ୫ମ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେଲେ ଏବଂ ସେହିଦିନ ଶ୍ରୀଲଙ୍କାକୁ ହରାଇ ଭାରତ ଏସିଆ କପ୍ ଚମ୍ପିଆନ୍ ହେଲେ ମଧ୍ୟ ଭାରତ ୧ନଂ ଦିନିକିଆ ଦଳ ହେବାର ସମ୍ଭାବନା ନାହିଁ। ହେଲେ ଅଷ୍ଟ୍ରେଲିଆ ପରାଜୟ ପାକିସ୍ତାନକୁ ବରଂ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ପୁଣି ପହଞ୍ଚାଇବ। ବିଶ୍ବକପ୍ ପୂର୍ବରୁ ଭାରତମାଟିରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ସେେପ୍ଟମ୍ବର ୨୨ରୁ ଖେଳିବ। ଏହି ଶୃଙ୍ଖଳା ୩-୦ରେ ଜିତିେଲ ଭାରତ ୧ନଂ ମାନ୍ୟତା ଫେରି ପାଇପାରେ। ପୁଣି ଭାରତରେ ବିଶ୍ବକପ୍ ଖେଳାଯିବାର ଥିବା ବେଳେ ଏହି ଶୃଙ୍ଖଳା ଜିତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦୃଢ଼ ମନୋବଳ ହାସଲ କରିବାକୁ ଚାହିଁବେ।
Popular Categories



